November 15, 2024

ବୁଗୁଡ଼ାରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ,  ମେଡିକାଲରେ ନାହାନ୍ତି ଡାକ୍ତର , ଫିଲଡ଼ରେ କର୍ମଚାରୀ ରହୁ ନାହାନ୍ତି 

Share

  ବୁଗୁଡ଼ା : ତା ୧୯/୧୦/୨୪ : ବୁଗୁଡ଼ା ଡାକ୍ତରଖାନରେ ଆବଶ୍ୟକ ଡାକ୍ତର ନଥିବା ବେଳେ ଯେତେ ଜଣ ଅଛନ୍ତି ସେମାନେ ମଧ୍ୟ ପାଳି କରି ଚଳାଇଛନ୍ତି ରୋଗୀ ସେବା l ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡ଼ିଥିବା ବେଳେ ଏବେ ଅଛନ୍ତି ମାତ୍ର ୪ ଜଣ ଡାକ୍ତର l ସେଥି ମଧ୍ୟରୁ ଜଣେ ଆୟୁଷ ଓ ଅନ୍ୟ ଜଣେ ଦାନ୍ତ ଡାକ୍ତର ହୋଇଥିବା ବେଳେ ୨ ଜଣ ଏମବିବିଏସ ଡାକ୍ତର ଅଛନ୍ତି l ପ୍ରତିଦିନ ଓପିଡିରେ ସମସ୍ତ ଡାକ୍ତର ବସିବା ପରିବର୍ତ୍ତେ ନିଜ ଭିତରେ ପାଳି କରି ଜଣେ ହିଁ ରୋଗୀ ଦେଖୁଛନ୍ତି l ବାରମ୍ବାର ଅଭିଯୋଗ ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ଶୂନ l ନିୟମ ପ୍ରକାରେ ବୁଗୁଡ଼ା ମେଡିକାଲରେ ସ୍ତ୍ରୀ ରୋଗ ବିଶେଷଜ୍ଞ, ଶିଶୁ ରୋଗ ବିଶେଷଜ୍ଞ,ଭେଷଜ ବିଶେଷଜ୍ଞ ଓ ସର୍ଜରୀ ବିଶେଷଜ୍ଞ ସମେତ ଦଶ ଜଣ ଆସିଷ୍ଟାଣ୍ଟ ସର୍ଜନ, ୭ ଜଣ ଷ୍ଟାଫ ନର୍ସ, ୨ ଜଣ ଫାର୍ମାସିଷ୍ଟ ଓ ୨ ଜଣ ଏଲ.ଟି ରହିବାକୁ ଥିବା ବେଳେ ପୂର୍ବରୁ ଥିବା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ଚାକିରୀରୁ ଇସ୍ତଫା ଦେଇ ସାରିଥିବା ବେଳେ ଆଜି ପର୍ଯ୍ୟନ୍ତ ଅନ୍ୟ କୌଣସି ଶିଶୁ ରୋଗ ବିଶେଷଜ୍ଞ ,ଭେଷଜ ବିଶେଷଜ୍ଞ ଓ ସର୍ଜରୀ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ହୋଇ ନାହାନ୍ତି l ୩ ଜଣ ଷ୍ଟାଫ ନର୍ସ ଓ ଜଣେ ଲେଖାଏଁ ଫାର୍ମାସିଷ୍ଟ ଓ ଏଲ.ଟି ପଦବୀ ଖାଲି ପଡିଛି l ବୁଗୁଡ଼ା ବ୍ଲକରେ ସମୁଦାୟ ୧୯ଟି ସବ-ସେଣ୍ଟର ଥିବା ବେଳେ ତିନୋଟି ସେଣ୍ଟରରେ ଏଏନଏମ ନଥିବା ବେଳେ ୬ଟି ସ୍ଥାନରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ନାହାନ୍ତି l କିଛି ସ୍ଥାନରେ ଏଏନଏମ ପୋଷ୍ଟିଙ୍ଗ ହୋଇଥିଲେ ହେଁ ସେମାନେ ସେଣ୍ଟରକୁ ଯାଉ ନଥିବା ଅଭିଯୋଗ ହେଉଛି l ବୁଗୁଡ଼ା ମେଡିକାଲରେ ନୂତନ ଭାବେ ଜଣେ ଭିଏସ କିରାଣୀ ନିଯୁକ୍ତି ହୋଇଛନ୍ତି ହେଲେ ତାଙ୍କର ମଧ୍ୟ ଦେଖା ମିଳୁନି l ସେ ମାସ ମାସ ଧରି ଆସୁ ନଥିଲେ ମଧ୍ୟ ଉପସ୍ଥିତି ଖାତାରେ ଜାଲ ଦସ୍ତଖତ କରି ଦରମା ଉଠା ଯାଉଥିବା ଅଭିଯୋଗ ହେଉଛି l ମେଡିକାଲ ଅଫିସର ଫିଲଡ଼୍ ପରିଦର୍ଶନ କରି ସ୍ଥିତି ପରଖିବା ପରିବର୍ତ୍ତେ ସେ ପାଳି କରି ମେଡିକାଲ ଆସୁଥିବାରୁ ବୁଗୁଡ଼ାରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଥିବା ନେଇ ବୁଦ୍ଧିଜୀବୀ ମହଲରେ ଅଭିଯୋଗ କରୁଛନ୍ତି l ମନ୍ତ୍ରୀ ଗୋକୁଳା ନନ୍ଦ ମଳିକ ମଧ୍ୟ ଅଚାନକ ମେଡିକାଲ ପରିଦର୍ଶନ କରି ବିଭିନ୍ନ ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ତାଗିଦ୍ କରିଥିଲେ ହେଁ ସ୍ୱାସ୍ଥ୍ୟ ସେବାରେ କୌଣସି ସୁଧାର ଆସୁନି l ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପଚାରିବାରେ ସେ କହିଥିଲେ ଏ ନେଇ ବାରମ୍ବାର ତାଗିଦ୍ କଲେ ମଧ୍ୟ କେହି ଶୁଣୁ ନାହାନ୍ତି ଏବଂ କିରାଣୀ ଆସୁ ନଥିବା ପ୍ରସଙ୍ଗରେ ତଦନ୍ତ କରାଯିବ ବୋଲି କହିଛନ୍ତି l