October 5, 2024

ବ୍ଯତିକ୍ରମ ନ ଘଟାଇ ବୁଗୁଡ଼ା ରୁଟରେ ସରକାରୀ ବସ୍ ଚଳାଇବା ପାଇଁ ଦାବି 

Share

ବୁଗୁଡା:ସରକାରୀ ବସର ରୁଟ୍ ରହିଛି ଗୋଟିଏ ପଟେ କିନ୍ତୁ ତାହା ଯାଉଛି ଅନ୍ୟ ପଟେ। ଏଭଳି ବ୍ଯତିକ୍ରମ ଦେଖିବାକୁ ମିଳିଛି ଭଞ୍ଜନଗରରୁ କେନ୍ଦୁଝରକୁ ଯାଉଥିବା ବସ୍ (ନଂ- ଓଡି ୧୯ ଜେ – ୪୦୮୧) କ୍ଷେତ୍ରରେ । ଏହି ବସଟି ଭଞ୍ଜନଗରରୁ ବାହାରି ବାଲିପଦର ଓ ବୁଗୁଡ଼ା ପଟ ଦେଇ କେନ୍ଦୁଝର ଯିବା ପାଇଁ ପରମିଟ୍ ରହିଥିବା ବେଳେ ତାହା ଜଗନ୍ନାଥ ପ୍ରସାଦ ଦେଇ କରସିଙ୍ଗି ଛକରେ ପହଞ୍ଚି କେନ୍ଦୁଝରକୁ ଯାଉଛି । ବୁଗୁଡା ଅଞ୍ଚଳରୁ ସନ୍ଧ୍ୟା ସମୟରେ ଭୁବନେଶ୍ୱର ଯିବା ପାଇଁ ଅନ୍ଯ କୌଣସି ବସ୍ ନ ଥିବା ବେଳେ ଏହି ବସଟିର ବୁଗୁଡ଼ାରେ ପହଞ୍ଚିବା ସମୟ ଅପରାହ୍ନ ଘ୦୪:୨୦ମି ରହିଥିବାରୁ ଯାତ୍ରୀଙ୍କ ବହୁତ ସୁବିଧା ହେଉଥିଲା । ତେବେ ବସଟିର ରୁଟ୍ ପରିବର୍ତ୍ତନ ହେତୁ ବୁଗୁଡ଼ା ଅଞ୍ଚଳର ଯାତ୍ରୀମାନଙ୍କୁ ଅପରାହ୍ନ କିମ୍ବା ସନ୍ଧ୍ୟାରେ ଭୁବନେଶ୍ଵର, କଟକ, ଘଟଗାଁ, କେନ୍ଦୁଝର ଯିବାକୁ ଥିଲେ ବହୁ ଦୂରସ୍ଥ କରସିଙ୍ଗି ଛକକୁ ଯିବାକୁ ପଡୁଛି । ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି । ଅନ୍ୟପକ୍ଷରେ ସରକାରୀ ବସର ଏଭଳି ରୁଟ୍ ପରିବର୍ତ୍ତନ ବୁଗୁଡ଼ା ଅଞ୍ଚଳବାସୀଙ୍କ ପ୍ରତି ବୈମାତୃକ ମନୋଭାବର ଏକ ନଗ୍ନ ନମୁନା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ତେଣୁ, ରାଜ୍ଯ ସଡକ ପରିବହନ ନିଗମର ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ତ୍ବରିତ ପଦକ୍ଷେପ ଗ୍ରହଣ ସକାଶେ ସାଧାରଣରେ ଦୃଢ ଦାବି ହେଉଛି ।