ଆଦିବାସୀ ଅଧ୍ୟୁଷିତ ମାଧପଲ୍ଲୀରେ ଶିକ୍ଷାର ବିକଳ ଚିତ୍ର, ଅଙ୍ଗନବାଡି କେନ୍ଦ୍ର ଦେଖି ନାହାନ୍ତି କି ସ୍କୁଲ ପିଣ୍ଡା ମାଡି ନାହାନ୍ତି ଶିଶୁ
ବୁଗୁଡ଼ା : ତା ୧୬/୦୩/୨୩ : ସରକାରୀ ଯୋଜନାରେ ୩ ରୁ ୧୪ ବର୍ଷ ପିଲାଙ୍କ ପାଇଁ ଶିକ୍ଷା ବାଧ୍ୟତା ମୂଳକ କରାଯାଇଛି l ସର୍ବଶିକ୍ଷା ଅଭିଯାନରେ ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ବହି,ପୋଷାକ ଓ ଜୋତା ପର୍ଯ୍ୟନ୍ତ ସବୁ ମାଗଣାରେ ଦିଆ ଯାଉଛି l ଗୋଟିଏ ବି ଶିଶୁ ଯେମିତି ବିଦ୍ୟାଳୟକୁ ନଯାଇ ରହିବେ ନାହିଁ ସେଥିପ୍ରତି ବିଭିନ୍ନ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ହେଲେ ଏତେ ସବୁ ବ୍ୟବସ୍ଥା ସତ୍ତ୍ୱେ ବି ସବୁ ଫସର ଫାଟି ଯାଉଛି । ଯାହାର ଜ୍ବଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରଚୁଲି ପଞ୍ଚାୟତ ଅନ୍ତର୍ଗତ ମାଧପଲ୍ଲୀ ଗ୍ରାମରେ l ଆଜି ଏକ ସାମ୍ବାଦିକ ଦଳ ସେହି ଗାଁରେ ପହଞ୍ଚିଲା ବେଳକୁ ପାଖା ପାଖି ଦିନ ଗୋଟାଏ ହୋଇଥିଲା । କିଛି ଗାଁ ଲୋକ ତାଙ୍କର ଚାଳ କୁଡିଆ ବାରଣ୍ଡାରେ ବସି ଥିବା ବେଳେ କିଛି ପିଲା ଦାଣ୍ଡରେ ଖେଳୁ ଥିଲେ l ପିଲାମାନେ ସ୍କୁଲ ନଯାଇ କ’ଣ ଖେଳୁଛନ୍ତି ବୋଲି ପଚାରି ବୁଝିବାରେ ଜଣା ପଡିଲା ଏହି ଗ୍ରାମର ୨ଟି ପିଲାଙ୍କୁ ଛାଡି ଦେଲେ ବାକି ଶିଶୁମାନେ ସ୍କୁଲ ତ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ମଧ୍ୟ ଦେଖି ନାହାନ୍ତି l କାରଣ ବୁଝିବାରେ ଜଣା ପଡିଲା ଯେ ଗାଁରେ ଅଙ୍ଗନବାଡି କେନ୍ଦ୍ର ନାହିଁ କି ସ୍କୁଲ ନାହିଁ । ଯାହା ଫଳରେ ଶିଶୁଙ୍କୁ ୩ କିଲୋମିଟର ଦୂର କରଚୁଲି କିମ୍ବା ଜେଏକ ଗ୍ରାମକୁ ଯିବାକୁ ପଡେ । ଅନ୍ୟପକ୍ଷରେ ମାଟି ରାସ୍ତା ସାଙ୍ଗକୁ ରାସ୍ତାରେ ହାତୀ ଭୟ ଯୋଗୁଁ ଏତେ ବାଟ ଚାଲି ଚାଲି ଯିବା ଶିଶୁମାନଙ୍କ ପକ୍ଷେ କଷ୍ଟକର ହେଉଥିବାରୁ ଆଜି ଯାଏଁ ଏହି ଗ୍ରାମର ଶିଶୁମାନେ ଅଙ୍ଗନବାଡି କେନ୍ଦ୍ର ଦେଖିନଥିବା ବେଳେ କିଛି ପିଲା ସ୍କୁଲ ମଧ୍ୟ ଦେଖି ନାହାନ୍ତି l ଏହି ଗ୍ରାମରେ ରହୁଛନ୍ତି ସମୁଦାୟ ୧୮ ଆଦିବାସୀ ପରିବାର l ଗ୍ରାମର ସମସ୍ତେ ଗରୀବ ଆଦିବାସୀ l ବଣ ଜଙ୍ଗଲରୁ କାଠ, ମହୁଲ ସଂଗ୍ରହ କରିବା ସହ ମୁଲ ଲାଗିଲେ ସେମାନଙ୍କ ପରିବାର ଚାଲୁଛି l ପିଲାଙ୍କୁ ଏତେ ଦୂର ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ନେବା ଆଣିବା କରିବା ପାଇଁ ସେମାନଙ୍କ ପାଖରେ ସମୟ ନାହିଁ ରୋନା ଯୋଗୁଁ ସେମାନଙ୍କ ଆର୍ଥିକ ପରିସ୍ଥିତି ଆହୁରି ବିଗିଡି ଯାଇଛି l କରୋନା ପରିସ୍ଥିତି ସୁଧୁରି ଥିଲେ ହେଁ ସେମାନଙ୍କ ଆର୍ଥିକ ସ୍ଥିତିରେ ଆହୁରି ସୁଧାର ଆସିନି l ଆବାସ ଯୋଜନା ବି ଏମାନଙ୍କ ପାଇଁ ସାତ ସପନ ହୋଇ ରହିଛି । ଫଳରେ ଅଧିକାଂଶ ଆଦିବାସୀ ପରିବାର ଭଙ୍ଗା ଚାଳ କୁଡିଆରେ ଜୀବନ ଅତିବାହିତ କରୁଛନ୍ତି l ପିଲାମାନେ ସ୍କୁଲ ଯିବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଅଧିକାଂଶ ପିଲା ଅଧାରୁ ପାଠ ଛାଡି ଥିବା ବେଳେ ବହୁତ ପିଲା ଏ ପର୍ଯ୍ୟନ୍ତ ସ୍କୁଲ ଯାଇ ନାହାନ୍ତି l ଏହି ଗ୍ରାମର ସାଇରାମ ମଳିକ(୮ ),ପୂଜା ମଳିକ (୬ ), ପ୍ରଦୀପ ମଳିକ(୭ ), ମନୋଜ ଜାନି(୭ ), ସନ୍ତୋଷିନୀ ଜାନି(୬ ) ଆଜି ପର୍ଯ୍ୟନ୍ତ ସ୍କୁଲ କି ଅଙ୍ଗନବାଡି ପିଣ୍ଡା ମାଡି ନଥିବା ବେଳେ ଦେବରାଜ ମଳିକଙ୍କ ପୁଅ ଶିବ ମଳିକ(୯) , ନାରାୟଣ ମଳିକଙ୍କ ପୁଅ ଗରୁଡ଼ (୧୩) , ବସନ୍ତ ନାୟକଙ୍କ ପୁଅ ନରେନ୍ଦ୍ର ନାୟକ (୧୪ ), ନାରାୟଣ ମଳିକଙ୍କ ପୁଅ ସାଗର ମଳିକ(୧୪ ),ଆକାଶ ମଳିକ (୧୪ ),ରାଜେଶ ନାୟକ (୧୪ ),୫ ଶ୍ରେଣୀରୁ ପାଠ ଛାଡି ଘରେ ବସିଛନ୍ତି l ତେବେ ଏତେ ପିଲା ସ୍କୁଲ ଯାଉ ନଥିବା ବେଳେ ସେମାନଙ୍କୁ ବୁଝାଇ ଶୁଝାଇ ସ୍କୁଲ କିମ୍ୱା ଅଙ୍ଗନବାଡି କେନ୍ଦ୍ରକୁ ନେବା ପାଇଁ ଆଜି ପର୍ଯ୍ୟନ୍ତ ଶିକ୍ଷାବିଭାଗର କୌଣସି ଅଧିକାରୀ କି ଅଙ୍ଗନବାଡି କର୍ମୀ ଗ୍ରାମକୁ ଆସି ନଥିବା କଥା ଗାଁ ସଭାପତି ବିପ୍ର ଚରଣ ମଳିକ ବଡ ଦୁଃଖରେ ପ୍ରକାଶ କରିଛନ୍ତି l