September 29, 2024

ସୋରଡ଼ା ବିଧାନସଭା ମଣ୍ଡଳୀ ବିକାଶମୂଳକ ବୈଠକ ; ଜଳ ସେଚନ ଏବଂ ମାଛ ଚାଷ ଉପରେ ଗୁରୁତ୍ୱ 

Share

 

ବେଲଗୁଣ୍ଠା,27/09, ବେଲଗୁଣ୍ଠା ପଂଚାୟତ ସମିତି ସଭାଗୃହ ପରିସରରେ ସୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀ ବିକାଶ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I ବୈଠକରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ସମ୍ମାନିତ ଅତିଥି ରୂପେ ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶିକା ମଧୁମିତା,ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ୍ କୁମାର ସେଠୀ,ଜିଲ୍ଲା ଶିଲ୍ପ ପ୍ରତିଷ୍ଠାନ ପରିଚାଳକ ହୃଷୀକେଶ ବେହେରା, ସୋରଡ଼ା ବିଡ଼ିଓ ପ୍ରଣିତା ଦାସ୍ , ବେଲଗୁଣ୍ଠା ବିଡ଼ିଓ ଭାରତୀ ଦେବୀ, ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷା ପ୍ରମିଳା ପ୍ରଧାନ ବିଜୟ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ I ଯୋଜନା ଏବଂ ପରିସଂଖ୍ୟାନ ଉପନିର୍ଦ୍ଦେଶକ ଅଶୋକ କୁମାର ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ବୈଠକରେ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଉଭୟ ବେଲଗୁଣ୍ଠା ଏବଂ ସୋରଡ଼ା ବ୍ଳକ୍ ର ବିଭିନ୍ନ ଉନ୍ନୟନମୂଳକ ଏବଂ ଜନ ମଙ୍ଗଳକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା I ନିର୍ବାଚନ ମଣ୍ଡଳୀରେ ଛଅଟି ବୃହତ୍ ଉଠା ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ କରୁନଥିବା ନେଇ ବିଧାୟକ କ୍ଷୋଭ ପ୍ରକାଶ କରିଥିଲେ I ଏହା ସହିତ ଜଳ ଯୋଗାଣ ପ୍ରକଳ୍ପ ଗୁଡିକୁ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ବିଦ୍ୟୁତ୍ ବିଭାଗକୁ ପରାମର୍ଶ ଦେଇଥିଲେ I ସେହିପରି ମନେରଗା ଯୋଜନା ରେ ଦୁର୍ନିତୀ ହେଉଥିବା ନେଇ ସେ ବିଭାଗୀୟ ଅଧିକାରୀମାନଙ୍କୁ ତାଗିଦ୍ କରିଥିଲେ I ମାଛ ଚାଷ କ୍ଷେତ୍ରରେ କେବଳ ରୋହି,ଭାକୁର ଊତ୍ପାଦନ ଉପରେ ଗୁରୁତ୍ୱ ନଦେଇ ପୁଷ୍ଟିକର ମାଛ ବାଉଁଶପତ୍ରୀ ଏବଂ ମହୁରାଳି ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ I ଜଙ୍ଗଲୀ ଜୀବଜନ୍ତୁଙ୍କ ଖାଦ୍ଯାଭାବ ପୂରଣ ନିମନ୍ତେ ଜଂଗଲରେ ବିଭିନ୍ନ ଫଳ ଚାରା ରୋପଣ ଉପରେ ଗୁରୁତ୍ୱ ଦେଇଥିଲେ ବିଧାୟକ ଶ୍ରୀ ବିଷୋୟୀ I ସୋରଡ଼ା ନିର୍ବାଚନ ମଣ୍ଡଳୀର ଉଭୟ ସୋରଡ଼ା ଏବଂ ବେଲଗୁଣ୍ଠା ବ୍ଳକ୍ ରେ ବର୍ତ୍ତମାନ ସୁଦ୍ଧା ରାସ୍ତା ଘାଟ, ବିଦ୍ୟୁତ୍ ଯୋଗାଣ ଭଳି ମୌଳିକ ସୁବିଧା ପହଞ୍ଚି ପାରି ନଥିବାରୁ ବିଧାୟକ ଉଦ୍‌ବେଗ ପ୍ରକାଶ କରିଥିଲେ I ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବିଭାଗର ଉନ୍ନତି ସମ୍ପର୍କରେ ଆଲୋଚନା କରି ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଡ଼ାକ୍ତର ନିଯୁକ୍ତି ଉପରେ ସେ ଗୁରୁତ୍ୱ ଦେଇଥିଲେ I ଅଣଧାନ ଏବଂ ଫଳ, ପରିବା ଚାଷ ଉପରେ ଗୁରୁତ୍ୱ ଦେବା ସହ ଶିତଳ ଭଣ୍ଡାର ସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଇଥିଲେ I ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପ୍ଲାନିଂ ଅଫିସର୍ ଜଗନ୍ନାଥ ମଲ୍ଲିକ, ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡ଼ଙ୍ଗୀ, ଜିଲ୍ଳା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକ,ସୁଶାନ୍ତ କୁମାର ସାହୁ, ଡ଼ାକ୍ତର ରାମଚନ୍ଦ୍ର ବେହେରାଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ Iବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ ଧନ୍ୟବାଦ ଜ୍ଞାପନ କରିଥିଲେ I

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ