September 29, 2024

ଗଜପତି:- ଜିଲ୍ଲାସ୍ତରୀୟ “ପୋଷଣ ମାସ” ପାଳନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

Share

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁନିଅନ ବ୍ୟାଙ୍କର ଆରସେଟି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଗଜପତି ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ପଦଯାତ୍ରାକୁ ଡିଏସଡବ୍ଲ୍ୟୁଓ: ଶ୍ରୀମତୀ ମନୋରମା ଦେବୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ପଦଯାତ୍ରାରେ ବହୁ ସଂଖ୍ୟାରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗର ଅଧିକାରୀ , କର୍ମଚାରୀ ଏବଂ ସିଡିପିଓ ମାନଙ୍କ ସମେତ ଅଙ୍ଗନବାଡି କର୍ମୀ ଓ ହେଲ୍ପର ମାନେ ହାତରେ ବ୍ୟାନର ଓ ପ୍ଲା-କାର୍ଡ ଧରି ପୋଷଣ ଉପରେ ବିଭିନ୍ନ ସ୍ଲୋଗାନ ଦେଇ ପରିକ୍ରମା କରିଥିଲେ ।

ପରେ ଏହି ପରିପ୍ରେକ୍ଷୀରେ ଆରସେଟି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଅତିଥି ଓ ଅନ୍ୟମାନଙ୍କୁ ସ୍ଵାଗତ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହି ଗର୍ଭବତୀ ମା ମାନଙ୍କୁ ପୁଷ୍ଟିକର ଆହାର ପ୍ରଦାନ ସମ୍ପର୍କରେ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ଦେଶ୍ୟ ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ କୁ-ପୋଷଣ ମୁକ୍ତ ସମାଜ ଗଠନ କରିବା ଏହି କାର୍ଯ୍ୟକ୍ରମର ମୂଳମନ୍ତ୍ର । ଯେତେ ଶିଶୁ ଜନ୍ମ ହେଉଛନ୍ତି ସମସ୍ତେ ସୁସ୍ଥ ସବଳ ହୋଇ ଜନ୍ମ ନିଅନ୍ତୁ । ଏ ଦିଗରେ ଗାଁ ଗହଳିରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ମାନଙ୍କ ଗୁରୁତ୍ୱ ଅଧିକ ରହିଛି । ଅଙ୍ଗନବାଡି କର୍ମୀ ଓ ହେଲପର ଏହି ପ୍ରକ୍ରିୟାରେ ଯଦିଓ ସବୁଠାରୁ ତଳ ସ୍ତରରେ ଅଛନ୍ତି , ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ସେମାନଙ୍କର ଅଛି । ବର୍ତ୍ତମାନ ଯେଉଁ ସମୟ ହେଉଛି , ତାର ସଦୁପଯୋଗ କରିବା ସବୁଠାରୁ ଅଧିକ ଉପଯୁକ୍ତ କାର୍ଯ୍ୟ ଯାହାକି , ସେହି ଭଲ ଜିନିଷ କଥା ସବୁ ଅଙ୍ଗନବାଡି କର୍ମୀମାନେ ଛୋଟ ପିଲାମାନଙ୍କୁ ଶିଖାଇଥାନ୍ତି । ତେଣୁ ଆମ ଛୋଟ ପିଲାମାନଙ୍କ ଭବିଷ୍ୟତ ଯେଉଁମାନେ ଗଢ଼ୁଛନ୍ତି , ସେମାନଙ୍କୁ ସବୁ ସ୍ତରରେ ଅଧିକ ଓ ଉଚିତ୍ ସମ୍ମାନ ଦେବା ଆମ କର୍ତ୍ତବ୍ୟ ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଡିସିପିୟୁ: ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ ଏବଂ ଓଡ଼ିଶା ଜୀବିକା ମିଶନର ଡିପିଏମ: ଶ୍ରୀ ଟିମନ ଵାରା ପ୍ରମୁଖ ଯୋଗ ଦେଇ ପୋଷଣ ଉପରେ ନିଜର ବକ୍ତବ୍ୟ ରଖିଥିଲେ ।

କାର୍ଯ୍ୟକ୍ରମରେ ଡିଏସଡବ୍ଲ୍ୟୁଓ: କାର୍ଯ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କେ: ସୁନୀତା କାର୍ଯ୍ୟକ୍ରମରେ ସଂଯୋଜନା କରି ରାଷ୍ଟ୍ରୀୟ ମହିଳା ଶିଶୁ ବିକାଶ ବିଭାଗ ଦ୍ଵାରା ଏହା ଏକ ଫ୍ଲାଗସିପ କାର୍ଯ୍ୟକ୍ରମ । ଏଥିରେ ଆଇସିଡ଼ିଏସ: ଅନ୍ତର୍ଗତ ୬ ଟି ସେବା ଉପଲବ୍ଧ ହେବା ସହିତ ଏହି ପୋଷଣ ଅଭିଯାନ କାର୍ଯ୍ୟକ୍ରମ ଅନ୍ୟତମ । ମୁଖ୍ୟତଃ ଏଥିରେ ଗର୍ଭାବସ୍ଥାରୁ ୨ ବର୍ଷ ପର୍ଯ୍ୟନ୍ତ ଯତ୍ନ , ଏନେମିଆ ମୁକ୍ତ ସମାଜ ଗଠନ କରିବା , ତରଳ ଝାଡ଼ା କୁ ରୋକିବା , ପୁଷ୍ଟିକର ଆହାର ପ୍ରଦାନ , ଗେଡା ପଣକୁ ଦୂର କରିବା ଏବଂ କିଶୋରୀ ମାନଙ୍କ ଯତ୍ନ ଇତ୍ୟାଦି ରହିଥିବା ସମ୍ପର୍କରେ କହିଥିଲେ ।

ସେହିଭଳି ଡିଏସଡବ୍ଲ୍ୟୁ: କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଶ୍ରୀମତୀ ସାରଳା ପାତ୍ର ଏବଂ ପୋଷଣ କାର୍ଯ୍ୟକ୍ରମର ସଂଯୋଜିକା ଶ୍ରୀମତୀ ପାୟଲ ପାଣିଗ୍ରାହୀ ଉପସ୍ଥିତ ରହି ପୋଷଣ ମାସ ପାଳନ ଅବସରରେ ମାସବ୍ୟାପୀ ଅନୁଷ୍ଠିତ ହେଉଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

ଅନ୍ୟପକ୍ଷରେ ସାମ୍ବାଦିକ ମାନଙ୍କୁ ପୋଷଣ ମାସ ପାଳନ ସମ୍ପର୍କରେ ଅଧିକ ସୂଚନା ଦେଇ ମୋହନା ସିଡିପିଓ: ଶ୍ରୀମତୀ ସବିତା ପଟ୍ଟନାୟକ ଏବଂ ଡିଏସଡବ୍ଲ୍ୟୁଓ: ଶ୍ରୀମତୀ ମନୋରମା ଦେବୀ କହିଛନ୍ତି ଯେ , ଏହି ପୋଷଣ ମାସ ପାଳନ କାର୍ଯ୍ୟକ୍ରମ କେନ୍ଦ୍ର ସ୍ତରରୁ ଆରମ୍ଭ କରି ପଞ୍ଚାୟତ ଓ ଜିଲ୍ଲା ସ୍ତରରେ ମାଆ ମାନଙ୍କୁ ଓ ଗୋଷ୍ଟିକୁ ନେଇ ପୋଷଣ ଅଭିଯାନ କାର୍ଯ୍ୟକ୍ରମ ଅଧୀନରେ ପାଳନ କରାଯାଉଛି । ଏଥିରେ ଯେତେ ସବୁ ଗର୍ଭବତୀ , ପ୍ରସୂତି , ଛୋଟ ଶିଶୁ ଓ କିଶୋରୀ ବାଳିକା ଅଛନ୍ତି , ସେମାନଙ୍କ ପୁଷ୍ଟିକର ସ୍ଥିତିକୁ ଉନ୍ନତ ମାନରେ ବିକାଶ କରାଇବା ଏଭଳି କାର୍ଯ୍ୟକ୍ରମର ମହତ୍ ଉଦ୍ଦେଶ୍ୟ ରହିଛି ବୋଲି କହିଥିଲେ ।

ସେହିଭଳି କାର୍ଯ୍ୟକ୍ରମରେ ରାୟଗଡ଼ ସିଡିପିଓ: ଶ୍ରୀମତୀ ବି: କୋମଳାଙ୍ଗି ଏବଂ ନୂଆଗଡ ସିଡିପିଓ: ଶ୍ରୀମତୀ ରାଜେଶ୍ୱରୀ ପାତ୍ର ପୋଷଣ ଯୁକ୍ତ ଆହାର ସମ୍ପର୍କରେ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ ।

ଏହି ଅବସରରେ ଗର୍ଭବତୀ ମା ପାଇଁ ଗୋଦଭରି ତଥା ସାଦଖିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଜଣେ ଗର୍ଭବତୀ ତଥା ସନ୍ତାନ ସମ୍ଭବ ମାଆଙ୍କୁ ଫୁଲଦିପ ଓ ହଳଦିଆ ଚାଉଳରେ ବନ୍ଦାପନା କରା ଯାଇ ତାଙ୍କୁ ବିଭିନ୍ନ ପ୍ରକାରର ଫଳ ଓ ପିଠା ମିଠା ସବୁ ଉପହାର ସ୍ବରୂପ ଦିଆ ଯାଇଥିଲା ।

ପରେ ସ୍ୱଚ୍ଛତା ହିଁ ସେବା ଉପରେ ଉପସ୍ଥିତ ସମସ୍ତଙ୍କୁ ନେଇ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ସେହିଭଳି କାର୍ଯ୍ୟକ୍ରମ ଅବସରରେ ମା’ଙ୍କ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଅତିଥି ମାନେ ବୃକ୍ଷରେ ପାଣି ଢ଼ାଳି ଥିଲେ ।

ଅନ୍ୟପକ୍ଷରେ ପୋଷଣ ଯୁକ୍ତ ପୁଷ୍ଟିକର ଖାଦ୍ୟ ଉପରେ ସଚେତନତା ଦାସକାଠିଆ ନାଚ ଅନୁଷ୍ଠିତ ହେବା ସହ ପୋଷଣ ଉପରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଏବଂ ସେକ୍ଟର ସ୍ତରୀୟ ଶ୍ରେଷ୍ଠ କର୍ମୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା ।

କାର୍ଯ୍ୟକ୍ରମ ସ୍ଥଳରେ ପୋଷଣ ଯୁକ୍ତ ପୁଷ୍ଟିକର ଖାଦ୍ୟ ଓ ପନିପରିବା ଉପରେ ଏକ ପ୍ରଦର୍ଶନୀ ହୋଇଥିବା ବେଳେ ରକ୍ତ ପରିମାଣ ମାପ ଉପରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଏଏନଏମ: ଶ୍ରୀମତୀ ଭି: ଲକ୍ଷ୍ମୀ କୁମାରୀ ପଟ୍ଟନାୟକ ଏବଂ ଏଏନଏମ: ଶ୍ରୀମତୀ ସନ୍ତୋଷି ଜେନାଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା ।

ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପର୍ବେଶନ କରା ଯାଇଥିଲା ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————

You may have missed