April 27, 2026

ବର୍ଷାଦିନରେ ଭବାନୀପାଟଣା ସହରର ରାସ୍ତା ଗୁଡିକର ଅବସ୍ଥା ସଚନୀୟ..

IMG-20240912-WA0024
Share

      ବର୍ଷାଦିନରେ ଭବାନୀପାଟଣା ସହରର ରାସ୍ତା ଗୁଡିକର ଅବସ୍ଥା ସଚନୀୟ। ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ ): ଭବାନୀପାଟଣା ସହରର ବିଭିନ୍ନ ସାହିର ରାସ୍ତା ଓ ଗଳିକନ୍ଦି ମାନଙ୍କରେ ପ୍ରତିବର୍ଷ ବର୍ଷା ଦିନ ଆସିଲେ ବର୍ଷା ଯୋଗୁଁ ପ୍ରାୟ ୧ ଫୁଟ ଉପରେ ଡ୍ରେନ ପାଣି ଜମା ହୋଇଯାଏ। ସହରର ପ୍ରାୟ ଅଧିକାଂଶ ଡ୍ରେନ ଗୁଡିକ ସୁନିୟୋଜିତ ଭାବରେ ତିଆରି କରା ନଯାଇ ଖାମଖିଆଲି ଭାବରେ ତିଆରି କରାଯାଇଛି। ଯେଉଁଥିପାଇଁ ଡ୍ରେନ ମଧ୍ୟରେ ପ୍ରାୟ ୧ ଫୁଟ ପାଖାପାଖି ବାଲି ପଙ୍କ ଜମା ହୋଇ ରହେ। ଯାହାଫଳରେ ଡ୍ରେନରେ ପାଣି ଠିକ ଭାବରେ ନିଷ୍କାସିତ ନହୋଇପାରି ଡ୍ରେନ ଗୁଡିକରେ ନର୍ଦମା ପାଣି ପୂର୍ଣ୍ଣ ହୋଇରହିଥାଏ। ଏଥି ସକାଶେ ବର୍ଷା ଦିନରେ ଅଳ୍ପ ବର୍ଷାରେ ମଧ୍ୟ ଡ୍ରେନର ପାଣି ଉଛୁଳି ରାସ୍ତା ଉପରକୁ ଚାଲିଆସେ, ଯାହାଫଳରେ ରାସ୍ତା ଗୁଡିକରେ ପ୍ରାୟ ୧ ଫୁଟ ଉପରେ ନର୍ଦମା ପାଣି ଜମାହୋଇ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରିଥାଏ। ଏଥିସହ ନିମ୍ନ ମାନର ରାସ୍ତା ନିର୍ମାଣ ଯୋଗୁଁ ପାଣି ଜମା ହୋଇଥିବା ଜାଗାରେ ବଡ ବଡ଼ ଗର୍ତ୍ତ ଗୁଡିକ ସୃଷ୍ଟି ହୋଇଛି। କେତେକ ସ୍ଥାନରେ ରାସ୍ତା ଗୁଡିକ ଅଧା ଧୋଇ ହୋଇଯାଇଛି। ରାସ୍ତାରେ ଡ୍ରେନ ପାଣି ଜମାହୋଇ ରହିବା ଫଳରେ ରାସ୍ତାରେ କାଦୁଅ ଜମିଯାଏ। ଯେଉଁଥିପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖାସ କରି ସାଇକଲ ଓ ଦୁଇଚକିଆ ଯାନରେ ଯାଉଥିବା ଲୋକେ ରାସ୍ତାରେ ନର୍ଦମା ପାଣି ଯୋଗୁଁ ବଡ ବଡ ଗର୍ତ୍ତ ଥିବା ଜାଣିନପାରି ଦୁର୍ଘଟଣାର ଶିକାର ହୋଇଥାନ୍ତି। ଏ ନେଇ ଅଞ୍ଚଳବସି ବାରମ୍ବାର ୱାର୍ଡମେମ୍ବର ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇପାରିନାହିଁ। ଏହି ନର୍ଦମା ପାଣି ଜମାହେବା ଯୋଗୁଁ ମଶାମାନଙ୍କର ପ୍ରାଦୁର୍ଭାବ ମଧ୍ୟ ବହୁତ ବଢିଯାଇଛି। ଯେଉଁଥିପାଇଁ ଲୋକେ ଡେଙ୍ଗୁ ଓ ମେଲେରିଆ ଭଳି ଜ୍ୱରରେ ପୀଡିତ ହେବାର ଆଶଙ୍କା ରହୁଛି। ତେଣୁ ଏସବୁ ଅସୁବିଧା ଗୁଡିକୁ ବିଭାଗୀୟ ଅଧିକାରୀ ଗଭୀର ଭାବରେ ଦୃଷ୍ଟି ଦେଇ ଏହି ସମସ୍ୟାର ସମାଧାନ କରନ୍ତୁ ବୋଲି ଅଞ୍ଚଳବସି ଦାବି କରୁଛନ୍ତି।