November 15, 2024

ପୋତି ହୋଇଗଲାଣି ନାଳ , ରାସ୍ତାରେ ବୋହୁଛି ବର୍ଷା ଜଳ , ପ୍ରତିକାର ଦାବି 

Share

ବୁଗୁଡ଼ା : ତା ୧୨/୦୮/୨୪ : ସ୍ଥାନୀୟ ଏନ୍ଏସି କର୍ତ୍ତୃପକ୍ଷଙ୍କ ୭ନଂ ଓ୍ବାର୍ଡର ମଦନମୋହନ ଛକଠାରୁ ପୋଲସରା ପଟକୁ ଲମ୍ବିଥିବା ରାସ୍ତାରେ ବର୍ଷା ଜଳ ଲହଡି ମାରୁଥିବାରୁ ଲୋକେ ଯାତାୟାତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତାର ଉଭୟ ପଟରେ ରହିଥିବା ନାଳ ପୋତି ହୋଇଯାଇଥିବାରୁ ସେଥିରେ ଜଳ ନିଷ୍କାସନ ହୋଇପାରୁନାହିଁ । କେତେକ ଲୋକ ନାଳ ଉପରେ ଘର କରିଦେଇଥିବାରୁ ତାହା ମଧ୍ୟ ସଫେଇ ହୋଇ ପାରୁନଥିବାରୁ ବର୍ଷା ହେଲେ ଜଳ ନିଷ୍କାସନ ହୋଇନପାରି ରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଛି । ଫଳରେ ଦୀର୍ଘ ସମୟ ଧରି ଲୋକଙ୍କ ଯାତାୟାତ ସାଙ୍ଗକୁ ଯାନବାହାନ ଚଳାଚଳରେ ଘୋର ଅସୁବିଧା ହେଉଛି । ଏଥି ସହ ରାସ୍ତାଟି ଖାଲଖମାରେ ପରିପୂର୍ଣ୍ଣ ହେତୁ ବର୍ଷା କାଳରେ ତାହା ଜାଣିନପାରି ଯାନବାହାନ ଚାଳକମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ।

ଲୋକେ ବାରମ୍ବାର ଏଭଳି ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିବା ବେଳେ ଏ ନେଇ ଅନେକ ଥର ଦୃଷ୍ଟି ଆକର୍ଷଣ କରାଯାଇଥିବା ସତ୍ତ୍ବେ ଏନ୍ଏସି କର୍ତ୍ତୃପକ୍ଷ ଏଥି ପ୍ରତି ଗୁରୁତ୍ବ ଦେଉନଥିବା ଅଭିଯୋଗ ହେଉଛି । ଏଣୁ ଏହି ସମସ୍ଯାର କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ ଦାବି ହେଉଛି ।