ନକଲି ନିଯୁକ୍ତି ପତ୍ର ଦେଇ ଠକେଇ ଅଭିଯୋଗ,୩ ଗିରଫ
ବୁଗୁଡ଼ା : ତା ୧୦/୦୮/୨୪ : କୋର୍ଟରେ ଜୁନିୟର୍ ଟାଇପିଷ୍ଟ ପଦ ପାଇଁ ନକଲି ନିଯୁକ୍ତି ପତ୍ର ଦେଇ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଠକାମୀର ଶିକାର ହୋଇଥିବା ଯୁବକ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି l ଗିରଫ ଯୁବକ ତ୍ରୟ ହେଲେ ବୁଗୁଡ଼ା ନିକଟସ୍ଥ ଷୋହଳମାଇଲିର ପ୍ରଭାତ କୁମାର ପାତ୍ର ଓ ଭଞ୍ଜନଗର ଲଣ୍ଡେଇ ସାହିର ରମେଶ ପାତ୍ର ଏବଂ ଭଞ୍ଜନଗର “ଓ” କରିମ ହୋଟେଲ ଗଳିରେ ରହୁଥିବା ଜନ୍ମେଜୟ ପାଣିଗ୍ରାହୀ ଓରଫ ଟୁଲୁ l ବୁଗୁଡ଼ାର ପ୍ରଭାତ କୁମାର ପାତ୍ର ବି ଟେକ ପଢା ସାରି ଚାକିରି ଅନ୍ୱେଷଣରେ ଥିବା ବେଳେ ସେ ଗତ ବର୍ଷ ଜୁଲାଇ ମାସରେ ସମ୍ପର୍କୀୟ ରମେଶ ପାତ୍ରଙ୍କ ଜରିଆରେ ଟୁଲୁ ପାଣିଗ୍ରାହୀକୁ ଯୋଗାଯୋଗ କରିଥିଲେ ଏବଂ ଟୁଲୁ ଚାକିରି କରାଇଦେବ କହି ୬ ଲକ୍ଷ ଟଙ୍କାର ଡିଲ କରିଥିଲା l ଚାକିରି ଆଶାରେ ପ୍ରଭାତ ଟୁଲୁଙ୍କୁ ୨ ଲକ୍ଷ ଟଙ୍କା ଅଗ୍ରିମ ଦେଇ ବାକି ଟଙ୍କା ଚାକିରି ହେବା ପରେ ଦେବେ ବୋଲି କଥା ଛିଣ୍ଡି ଥିଲା l ଗତ ଜୁଲାଇ ୯ ତାରିଖରେ ବୁଗୁଡ଼ା ଅଦାଲତରେ ଟାଇପିଷ୍ଟ ପଦବୀରେ ଚାକିରି ପାଇଥିବା ଏବଂ ଚଳିତ ଅଗଷ୍ଟ ୭ ତାରିଖରେ ବୁଗୁଡ଼ା ଅଦାଲତରେ ଆବଶକୀୟ ପ୍ରମାଣପତ୍ର ଦାଖଲ କରି ଚାକିରିରେ ଯୋଗ ଦେବାକୁ ରେଜିଷ୍ଟ୍ ପୋଷ୍ଟରେ ନିଯୁକ୍ତି ପତ୍ର ପାଇବା ପରେ ଆଉ ୨ ଲକ୍ଷ ୭୧ ହଜାର ଟଙ୍କା ଟୁଲୁଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଭାତ ପଠାଇବା ସହ ଖୁସିରେ ପୂଜାପାଠ କରି ସାହି ପଡୋଶୀଙ୍କୁ ମିଠା ବାଣ୍ଟି ସୁଟ୍ ବୁଟ୍ ପିନ୍ଧି ଗତ ୭ ତାରିଖରେ ନିଯୁକ୍ତି ପତ୍ରକୁ ଧରି ପ୍ରଭାତ ବୁଗୁଡ଼ା ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ କୋର୍ଟରେ ପହଞ୍ଚିଥିଲେ । ଯାଞ୍ଚ ବେଳେ କୋର୍ଟର କର୍ମଚାରୀମାନେ ନିଯୁକ୍ତି ପତ୍ରକୁ ନକଲି ବୋଲି ଦର୍ଶାଇ ଥିଲେ ।ବୁଗୁଡ଼ା ଜେଏମଏଫସି ମାଜିଷ୍ଟ୍ରେଟ ଏହି ଲେଟର ଦେଖିବା ପରେ ଏହା ନକଲି ହୋଇଥିବା ଜାଣି ବୁଗୁଡ଼ା ଥାନାକୁ ଖବର ଦେଇଥିଲେ l ବୁଗୁଡ଼ା ଥାନା ଅଧିକାରୀ ପ୍ରଭାତ ରଞ୍ଜନ ମହାନ୍ତି ତୁରନ୍ତ ପ୍ରଭାତଙ୍କୁ ଧରି ବୁଗୁଡ଼ା ଥାନାକୁ ଆଣି ଏ ନେଇ କେସ୍ ନଂ ୩୯୮/୨୪ ରେ ଏକ ମାମଲା ରୁଜୁ କରି ଖୋଳତାଡ଼ ଆରମ୍ଭ କଲା ପରେ ଏହା ପଛରେ ଏକ ଗ୍ୟାଙ୍ଗର ହାତ ଥିବା ଜାଣିବାକୁ ପାଇଥିଲେ l ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ ଭଞ୍ଜନଗର ଯାଇ ରମେଶ ଓ ଟୁଲୁ ପାଣିଗ୍ରାହୀଙ୍କୁ ଗିରଫ କରିଥିଲେ । ଏଥି ସହ ଟୁଲୁଙ୍କ ଘରେ ଖାନତଲାସ କରି ବିଭିନ୍ନ ଚାକିରି ପାଇଁ ରଖାଯାଇଥିବା ଅନ ଲାଇନ ଆବେଦନ ଫର୍ମ ଏବଂ ନଗଦ ୬୫ ହଜାର ଟଙ୍କା ଜବତ କରିବା ସହ ଟୁଲୁଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ୨ ଲକ୍ଷ ୩୦ ହଜାର ଟଙ୍କା ଜବତ ହୋଇଥିବା ଜଣା ପଡିଛି l ଏହି ରାକେଟରେ ଥିବା ଆଉ ଜଣେ ଆସାମୀକୁ ମଧ୍ୟ ପୋଲିସ ଖୋଜୁଥିବା ଜଣା ପଡିଛି l