October 5, 2024
Share

 

1921ମସିହା ମାର୍ଚ୍ଚ ମାସ 23ତାରିଖ ସକାଳେ ଗାନ୍ଧିଜୀ କଲିକତାରୁ ଟ୍ରେନ ଯୋଗେ ଆସି କଟକ ରେଳ ଷ୍ଟେସନରେ ପହଁଚିଲେ. ସାଥିରେ ଥିଲେ ପତ୍ନୀ କସ୍ତୁରବା ଏବଂ ପୁତ୍ର ଦେବଦାସ. ଗାନ୍ଧିଜୀଙ୍କୁ ସ୍ୱାଗତ ଜଣାଇବାକୁ ସେଦିନ ଉପସ୍ଥିତ ଥିଲେ ପ୍ରାୟ ଦଶ ହଜାରରୁ ଅଧିକ ଲୋକ ଏବଂ ଓଡ଼ିଶା କଂଗ୍ରେସର ସଭାପତି ପଣ୍ଡିତ ଗୋପବନ୍ଧୁ ଦାସ. ସନ୍ଧ୍ୟାରେ କାଠଯୋଡ଼ି ପଠାରେ ଏକ ସାଧାରଣ ସଭା ହୋଇଥିଲା. ସେଦିନ ସଭାରେ ଗୋପବନ୍ଧୁ ଗାନ୍ଧିଜୀଙ୍କ ସମ୍ପର୍କରେ ଦେଇଥିବା ପ୍ରାରମ୍ଭିକ ପରିଚୟ ପ୍ରଦାନ, ସମାଜର ତା 02/04/1921 ସଂସ୍କରଣରୁ ଉଦ୍ଧୃତ କରାଗଲା.

. “ଭାଇମାନେ, ଯେଉଁ ମହାତ୍ମା ଗାନ୍ଧୀଙ୍କୁ ଆପଣମାନେ ଦେଖିବେ ବୋଲି ଏତେ ଦିନ ବ୍ୟାକୁଳ ହେଉଥିଲେ, ସେ ଆଜି ଆପଣମାନଙ୍କ ସମ୍ମୁଖରେ ବିଦ୍ୟମାନ. ସେ ଭାରତର ଘରେ ଘରେ, ଗାଁରେ ଗାଁରେ, ଆବାଳ ବୃଦ୍ଧ ବନିତାଙ୍କ ନିକଟରେ ପରିଚିତ. ଅତଏବ ସଭାରେ ତାଙ୍କ ପରିଚୟ ଦେବା, ସଭାର ଵିଧି ରକ୍ଷା କରିବା ମୋ ପକ୍ଷରେ ବିଡମ୍ବନା ମାତ୍ର. ଉତ୍କଳର ପ୍ରତ୍ୟେକ ସ୍ତ୍ରୀ ପୁରୁଷ ଏ ମହାପୁରୁଷଙ୍କୁ ଜାଣନ୍ତି. ବୁଦ୍ଧଦେବଙ୍କ ଠାରୁ ଆରମ୍ଭ କରି କବିର,ରାମାନୁଜ, ଶଙ୍କର, ନାନକ, ଚୈତନ୍ୟ ପ୍ରଭୃତି ମହାପୁରୁଷମାନେ ଉତ୍କଳ ଭୁଇଁରେ ପାଦଚିହ୍ନ ରଖି ଯାଇଛନ୍ତି. ଆହୁରି ମଧ୍ୟ ଆଜକୁ ତିନିଶହ ବର୍ଷ ପୂର୍ବେ ଠିକ ଆଜିର ଦୋଳପୁର୍ଣିମା ତିଥିରେ ଚୈତନ୍ୟ ମହାପ୍ରଭୁ ଏହି ନଦୀର ବାଲୁକାରେ ପ୍ରେମ ଓ ଧର୍ମର ପ୍ରଚାର କରିଥିଲେ. ଆଜି ଅନ୍ୟଜଣେ ମହାପୁରୁଷ ପୁଣି ତିନିଶହ ବର୍ଷ ପରେ ଏଇ ବାଲୁକା ପଠାରେ ଠିକ ସେଇ ତିଥିରେ ରାଜନୈତିକ ପ୍ରେମ ଧର୍ମ ପ୍ରଚାର କରିବାକୁ ଆସିଛନ୍ତି. ଏହି ମହାପୁରୁଷଙ୍କ ଯୋଗୁଁ ରାଜନୀତି ପୁଣି ଧର୍ମ ଉପରେ ପ୍ରତିଷ୍ଠିତ ହୋଇଛି. ଏଇ ମହାତ୍ମା ଓ ପୁଣ୍ୟାତ୍ମାଙ୍କ ରାଜନୀତିରେ କୂଟ ରାଜନୀତିର ସଭା ନାହିଁ. ଆଜି ମହାତ୍ମାଗାନ୍ଧୀଙ୍କ ଶୁଭାଗମାନ ଉତ୍କଳ ଇତିହାସରେ ଏକ ନୂତନ ଚିର ସ୍ମରଣୀୟ ଦିବସ ହୋଇ ରହିବ. କ୍ରମଶଃ. ……

ସତ୍ୟବାଦୀ ଦାଶ

ସୁଆଣ୍ଡୋ, ସତ୍ୟବାଦୀ, ପୁରୀ