ବାଲେଶ୍ବରରେ ମହିଳା ଏବଂ ଛାତ୍ରୀଙ୍କ ପାଇଁ ଶୁଭାରମ୍ଭ ହେଲା ପ୍ରିମିୟମ୍ ଲେଡିଜ୍ ହୋଷ୍ଟେଲ ‘ଦେବଦୀପ ବ୍ଲସମ୍ ହାଉସ୍’*
ବାଲେଶ୍ବର:( ଦେବାଶିଷ ଦାଶ )
ଶିକ୍ଷା ଓ କର୍ମକ୍ଷେତ୍ରକୁ ଆସୁଥିବା ଛାତ୍ରୀ ଏବଂ କାର୍ଯ୍ୟରତା ମହିଳାମାନଙ୍କ ପାଇଁ ବାଲେଶ୍ବର ସହରର ଉପକଣ୍ଠସ୍ଥ ଅରଡବଜାରଠାରେ ଏକ ଅତ୍ୟାଧୁନିକ, ସୁରକ୍ଷିତ ଏବଂ ପ୍ରିମିୟମ୍ ଲେଡିଜ୍ ହୋଷ୍ଟେଲ ‘ଦେବଦୀପ ବ୍ଲସମ୍ ହାଉସ୍’ (DEVDEEP Blossom House) ର ଶୁଭ ଉଦଘାଟନ ଆଜି ଏକ ଭବ୍ଯ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ସହରର ମହିଳାମାନଙ୍କୁ ଏକ ସୁରକ୍ଷିତ ତଥା ଘରୋଇ ପରିବେଶ ଯୋଗାଇଦେବା ଏହି ଅନୁଷ୍ଠାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି। ହଷ୍ଟେଲର ନିର୍ଦ୍ଦେଶିକା ଶ୍ରୀମତୀ ରଶ୍ମିରେଖା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବରେ ବାଲେଶ୍ବର ନାରୀସଂଘର ସଭାପତି ଶ୍ରୀମତୀ ଗୋପାମୁଦ୍ରା ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ହଷ୍ଟେଲଟିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବାଲେଶ୍ବର ନାରୀସଂଘର ସମ୍ପାଦିକା ଶ୍ରୀମତୀ ଅପର୍ଣ୍ଣା ମହାପାତ୍ର ଏବଂ ନାରୀସଂଘର ବରିଷ୍ଠ ସଦସ୍ୟା ଶ୍ରୀମତୀ ହେମଲତା ଦାସ ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ନୂତନ ଅନୁଷ୍ଠାନଟିର ପରିସର ବୁଲି ଦେଖିବା ସହ ଏପରି ଏକ ପ୍ରୟାସ ମହିଳା ସଶକ୍ତିକରଣ ଏବଂ ସୁରକ୍ଷା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ। ଏଥିସହ ସମସ୍ତ ଅତିଥିମାନେ ହଷ୍ଟେଲର ଉତ୍ତରୋତ୍ତର ଉନ୍ନତି ଓ ସଫଳତା କାମନା କରିଥିଲେ।ଉଦଘାଟନ ଅବସରରେ ଆୟୋଜିତ ପ୍ରତିକ୍ରିୟାରେ ନିର୍ଦ୍ଦେଶିକା ଶ୍ରୀମତୀ ରଶ୍ମିରେଖା ନାୟକ କହିଛନ୍ତି ଯେ, ବାହାରୁ ଆସୁଥିବା ଛାତ୍ରୀ ଏବଂ କର୍ମଜୀବୀ ମହିଳାମାନେ ଯେପରି ବିନା କୌଣସି ଚାପରେ ନିଜ ଘର ଭଳି ଶାନ୍ତ ଓ ନିରାପଦ ପରିବେଶରେ ରହି ପାଠପଢ଼ା କିମ୍ବା କାମ କରିପାରିବେ, ସେଥିପାଇଁ ଏଠାରେ ସମସ୍ତ ପ୍ରକାରର ଆଧୁନିକ ସୁବିଧା ବ୍ୟବସ୍ଥା କରାଯାଇଛି।
ଏହି ହଷ୍ଟେଲରେ ରହଣି ପାଇଁ ସ୍ୱଚ୍ଛ ଓ ଆରାମଦାୟକ କୋଠରୀ, ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା (CCTV ନିରୀକ୍ଷଣ), ପାନୀୟ ଜଳ, ବିଦ୍ୟୁତ୍ ସେବା ଏବଂ ପରିମଳ ବ୍ୟବସ୍ଥାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ବାଲେଶ୍ବର ସହରରେ ମହିଳାମାନଙ୍କ ପାଇଁ ଏହି ପ୍ରିମିୟମ୍ ହଷ୍ଟେଲ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଶାପ୍ରକାଶ କରାଯାଇଛି।
