ପରମ୍ପରା ର ପର୍ବ ଝୁଲଣ ଯାତ୍ରା
ପୁରପଲ୍ଲୀରେ ଏବେ ବେଶ୍ ଉତ୍ସବମୁଖର ପରିବେଶ। ଶ୍ରାବଣ ମାସ ଶୁକ୍ଳ ଦଶମୀ ତିଥିରୁ ଆରମ୍ଭ ହୋଇଥିବା ପବିତ୍ର ଝୁଲଣ ଯାତ୍ରା ଭାଦ୍ରବ କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଚତୁର୍ଦ୍ଦିଗରେ ଭଜନ, କୀର୍ତ୍ତନ ଓ ପ୍ରବଚନର ମଧୁର ସ୍ୱରରେ ମଠ ପରିସରଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି।
ଜଗନ୍ନାଥବଲ୍ଲଭ ମଠ, ରାଧାବଲ୍ଲଭ ମଠ, ସିଧବକୁଳ ମଠ, ବଡ଼ଓଡ଼ିଆ ମଠ ସମେତ ବିଭିନ୍ନ ମଠରେ ଶ୍ରୀରାଧାକୃଷ୍ଣଙ୍କୁ ସୋଲ, ଜରି ଓ ଜମୁରାରେ ଖଚିତ ସୁନ୍ଦର ଦୋଳିରେ ବିଜେ କରାଯାଇଛି। କୁଞ୍ଜଗୁଡ଼ିକରେ ସୁଆ, ସାରି, ପାରା, ଗୁଣ୍ଡୁଚି ମୂଷା, ନାଗା ଓ ମାଙ୍କଡ଼ ଆଦିଙ୍କ ପ୍ରତିକୃତି ସାଙ୍ଗକୁ ଆକର୍ଷଣୀୟ ଆଲୋକମାଳା ସାଜସଜ୍ଜାର ମନୋହର ଦୃଶ୍ୟ ଭକ୍ତଙ୍କୁ ବେଶ୍ ଆକୃଷ୍ଟ କରୁଛି।
ସେପଟେ ଶ୍ରୀମନ୍ଦିରରେ ମଧ୍ୟ ସାତଦିନ ବ୍ୟାପୀ ଝୁଲଣ ଯାତ୍ରା ଆରମ୍ଭ ହୋଇଛି। ପ୍ରତିଦିନ ସନ୍ଧ୍ୟା ଆଳତି ଓ ଧୂପ ବଢ଼ିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ଦକ୍ଷିଣୀ ଘରୁ ରତ୍ନସିଂହାସନ ଏବଂ ପରେ ଆଜ୍ଞାମାଳ ପ୍ରାପ୍ତ ହୋଇ ମୁକ୍ତିମଣ୍ଡପରେ ଝୁଲଣ କୁଞ୍ଜକୁ ବିଜେ କରୁଛନ୍ତି। ପୂଜାପଣ୍ଡା ସାମନ୍ତଙ୍କ ଦ୍ୱାରା ମହାପ୍ରଭୁଙ୍କୁ ମାଣ୍ଡୁଆ ଭୋଗ ଅର୍ପଣ କରାଯାଉଛି।
ପୌରାଣିକ ଓ ସାଂସ୍କୃତିକ ପରମ୍ପରା ଅନୁଯାୟୀ, ଗୌଡ଼ିୟ ସମ୍ପ୍ରଦାୟରେ ଶ୍ରୀରାଧାକୃଷ୍ଣ ହେଉଛନ୍ତି ଉପାସ୍ୟ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
