October 5, 2024

ପୁରୀ ରଥଯାତ୍ରାରେ ସ୍ବେଚ୍ଛାସେବୀଙ୍କ ସେବାକୁ ପ୍ରଶଂସା କଲେ ମୁଖ୍ୟ ଶାସନ ସଚିବ..

Share

ଦୁଇଦିନର ଚଳିତ ବର୍ଷର ରଥଯାତ୍ରାରେ ଦେଖିବାକୁ ମିଳିଥିଲା ଅଗଣିତ ଭକ୍ତଙ୍କର ଭିଡ଼। ପ୍ରବଳ ଗୁଳୁଗୁଳି ଓ ଭିଡ଼ ପାଇଁ ଅନେକ ଭକ୍ତ ଅଣନିଶ୍ୱାସୀ ହୋଇ ବେହୋସ ହେଇପଡ଼ିଥିଲେ। ସେହିପରି ଭିଡର ଫାଇଦା ଉଠାଇ କିଛି ଅସାମାଜିକ ବ୍ୟକ୍ତି ଅନ୍ୟ ଲୋକଙ୍କର ଜିନିଷପତ୍ର ବି ଚୋରି କରିବାର ଖବର ମିଳିଥିଲା। କିନ୍ତୁ ପୂର୍ବରୁ ପ୍ରସ୍ତୁତ ଥିବା ୨୫୦ଜଣିଆ ସେବା ପ୍ରତିନିଧି ଦଳର ସଦସ୍ୟମାନେ ସବୁ ଜାଗାରେ ସଜାଗ ରହି ଉତ୍କୃଷ୍ଟ ସେବାର ନିଦର୍ଶନ ଦେଖାଇ ପ୍ରଶଂସା ସାଉଁଟିଛନ୍ତି।

 

ସବୁଠୁ ଉଲ୍ଲେଖଯୋଗ୍ୟ କାର୍ଯ୍ୟ ଥିଲା ସନ୍ଧ୍ୟା ସମୟରେ ଯେତେବେଳେ ରଥ ନିକଟରେ ଦଳା ଚକଟା ଘଟିଲା ଓ ଷ୍ଟ୍ରେଚରର ଅଭାବ ରହିଥିଲା ତଥା ଭିଡରେ ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା କାଠିକର ପାଠ ଲାଗୁଥିଲା, ଠିକ ସେତିକିବେଳେ ସେବା ପ୍ରତିନିଧିର ଦୁର୍ଯ୍ୟୋଧନ ସ୍ୱାଇଁ, ସୁଶାନ୍ତ ଗୌଡ଼, ମାଧବ ସାସମଲ, ମାନସ ନାୟକ ଓ ପ୍ରିୟବ୍ରତ ସାହୁ, ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ଗୁରୁତର ଆହତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ଓ ବିଷମ ପରିସ୍ଥିତିରେ ଫସିଥିବା ଗୁରୁତର ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଥିଲେ। ପରେ ଏହି କାର୍ଯ୍ୟର ପ୍ରତ୍ୟକ୍ଷ ଭାବେ ତଦାରଖ କରୁଥିବା ଓଡିଶାର ନୂତନ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଉକ୍ତ ସଦସ୍ୟଙ୍କୁ ପ୍ରଶଂସା କରିବା ସହ ଆହୁରି ଉତ୍ତମ ସେବା ଯୋଗାଇବାକୁ ଉତ୍ସାହିତ କରିଥିଲେ। ସେହିପରି ଭିଡରେ ଦୁଇ ଅଲଗା ଅଲଗା ଘଟଣାରେ ନିଜର କାଗଜପତ୍ର ଓ ପଇସା ହଜାଇଥିବା ଦୁଇଜଣଙ୍କୁ ଛତ୍ରପୁରର ନିରାକାର ସାହୁ ଓ ଜଗନ୍ନାଥ ପାତ୍ର ତଥା ରାମଚଣ୍ଡୀ ମନ୍ଦିରରେ କାମ କରୁଥିବା ଉପେନ୍ଦ୍ର ବେହେରା ଓ ଗୋପାଳ କୃଷ୍ଣ ପଣ୍ଡା ଯଥା ସମ୍ଭବ ସାହାଯ୍ୟ କରି ତାଙ୍କର ଟଙ୍କା ପଇସା ଓ କାଗଜପତ୍ର ଥିବା ପର୍ସ ଖୋଜି ଦେବା ସହ ଚୋରକୁ ଧରି ପୋଲିସ ଜିମାରେ ଦେଇଥିଲେ।

 

ସୂଚନାଯୋଗ୍ୟ ଯେ, ପୂର୍ବ ବର୍ଷ ଭଳି ସେବା ପ୍ରତିନିଧିର ସଦସ୍ୟମାନେ ମୁଖ୍ୟ ସଙ୍ଗଠକ ବିଶିଷ୍ଟ ସମାଜସେବୀ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ତଥା ଲୋକନାଥ ରୋଡ଼, ପୁରୀ ସ୍ଥିତ ନିଗମାନନ୍ଦ ଆଶ୍ରମ ସହ ମିଳିତ ଭାବେ ରଥଯାତ୍ରାରେ ବିଭିନ୍ନ ସେବା କାର୍ଯ୍ୟ ଯଥା ରଥଯାତ୍ରା ପୂର୍ବରୁ ଭୋର ୪ଟାରେ ବଡ଼ଦାଣ୍ଡ ଓଳାଇବା, ରଥଯାତ୍ରା ଦିନ ଖାଦ୍ୟ ବାଣ୍ଟିବା, ପାଣି ବାଣ୍ଟିବା, ଷ୍ଟ୍ରେଚରରେ ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କୁ ହସ୍ପିଟାଲ ପହଞ୍ଚାଇବା, ପୋଲିସକୁ ଯଥା ସମ୍ଭବ ସାହାଯ୍ୟ କରିବା ଆଦି କାର୍ଯ୍ୟ କରିଥିଲେ। ତାଙ୍କୁ ସହଯୋଗ କରିଥିଲେ କଳାକାର ବିକାଶ ମହାରଣା, ଓକିଲ ବିଜୟ ଜେନା, ଲସିତ ବେହେରା, ଅନୁଗୁଳ ସେବା ଦଳର ସମୀର ପ୍ରଧାନ, ସଂଗ୍ରାମ ପ୍ରଧାନ, ହଟକିଶୋର ଦେହୁରୀ, ଛତ୍ରପୁରର ଆଇ.ଆର.ଇ.ରେ କାର୍ଯ୍ୟରତ ଟୁଟୁ ନାୟକ ଓ ମନୋରଞ୍ଜନ ବେହେରା ଓ ଇଂଜିନିଅର ବିଶ୍ୱଜିତ ପ୍ରଧାନ।