November 22, 2024

ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଦେଇପାରିଲେନି ୩ ଛାତ୍ରୀ

Share

ବୁଗୁଡ଼ା : ତା ୨୮/୦୨/୨୩ : ଗତ ସୋମବାର ଦିନ ସମଗ୍ର ରାଜ୍ୟରେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ବୁଗୁଡ଼ା ପିପୁଲ୍ସ ହାଇସ୍କୁଲ ଓ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ଛାତ୍ରଛାତ୍ରୀ ଉକ୍ତ ପରୀକ୍ଷା ଦେଇଥିଲେ ହେଁ ତିନି ଜଣ ଛାତ୍ରୀ ପରୀକ୍ଷା ଦେଇ ନ ପାରି କାନ୍ଦି କାନ୍ଦି ଫେରିଥିବା ଦେଖିବାକୁ ମିଳିଥିଲା । ଏ ନେଇ ଖବର ନେବାରେ ଜଣା ପଡିଥିଲା ଯେ ସେମାନେ ପଙ୍କଳସାହି ଗ୍ରାମସ୍ଥ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ରୀ କୃତିକା ଜେନା, ରିଙ୍କି ଗୌଡ ଓ ମନିଷା ଗୌଡ ଏବଂ ଚଳିତ ବର୍ଷ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଷ୍ଟେଜ୍-୧ ପାଇଁ ନିର୍ଦ୍ଧାରିତ ସମୟରେ ଫର୍ମ ପୂରଣ କରିଥିଲେ । କିନ୍ତୁ, ପରୀକ୍ଷା ସମୟ ପାଖେଇ ଯାଇଥିଲେ ମଧ୍ୟ କୌଣସି କାରଣରୁ ତାଙ୍କର ଆଡମିଟ୍ କାର୍ଡ ଡାଉନ୍ ଲୋଡ୍ ହୋଇପାରି ନଥିଲା। ଆଉ ଯେତେବେଳେ ଆଡମିଟ୍ ଡାଉନ୍ ଲୋଡ୍ ହେଲା ସେତେବେଳେ ତାହାକୁ ଧରି ତିନିହେଁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା । ଫଳରେ ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷଙ୍କ ଠାରୁ ତାଙ୍କୁ ପରୀକ୍ଷା ଦେବାର ସୁଯୋଗ ନ ମିଳିବାରୁ କାନ୍ଦି କାନ୍ଦି ଫେରିଥିଲେ । ଏଥି ପାଇଁ ବିଦ୍ଯାଳୟର ଜନୈକ ଶିକ୍ଷକଙ୍କୁ ଦାୟୀ କରି ପିଲାଏ ସ୍କୁଲ ଆଗରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ଆଜି ପୁଣି ଜନୈକ ଅଭିଭାବକ ଏନେଇ ସ୍କୁଲରେ ତାଲା ପକାଇବା ପରେ ସେଠାରେ ଅସ୍ବଭାବିକ ପରିସ୍ଥିତି ସୃଷ୍ଟି ସହ ଘଟଣା ଭିନ୍ନ ମୋଡ ନେଇ ମାମଲା ପୋଲିସ ଥାନା ପର୍ଯ୍ୟନ୍ତ ଯାଇଥିଲା । ତେବେ ଏହି ମାମଲାର ମୀମାଂସା ହେବା ପରେ ପରିସ୍ଥିତି ସ୍ବଭାବିକ ହୋଇଥିବା ଜଣାଯାଇଛି । ଉକ୍ତ ମେଧାବୃତ୍ତି ପରୀକ୍ଷା ଦେବାରୁ ଛାତ୍ରୀ ତିନିହେଁ ବଞ୍ଚିତ ହେବାରେ ଦାୟୀ କିଏ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

You may have missed