ସାଙ୍ଗଠନିକ ବୈଠକ କଲେ ବିଧାୟକ ସମ୍ବିତ୍ ରାଉତରାୟ …
କର୍ମି ସମ୍ମିଳନୀରେ ଭାବପ୍ରବଣ ହୋଇ କାନ୍ଦିଲେ ପାରାଦୀପ ବିଧାୟକ ସମ୍ବିତ୍ ରାଉତରାୟ |ଏହି ଅବସରରେ ବିଜେଡ଼ିର ବିଦ୍ରୋହୀ କର୍ମୀଙ୍କୁ ଜବାବ ଦେଇ ମୋବାପା ଦାମୋଦର ରାଉତ ଯେଉଁ ମାନଙ୍କୁ ପରିଚୟ ଦେଇଥିଲେ ସେମାନେ ମୋର ଓ ମୋ ବାପାଙ୍କର କୁତ୍ସା ରଟନା କରୁଛନ୍ତି ବୋଲି କହିଛନ୍ତି | କୁଜଙ୍ଗର ଏକ ମଣ୍ଡପରେ ସାଙ୍ଗଠନିକ ବୈଠକ କରି କର୍ମୀ ସମାବେଶ କରିଛନ୍ତି ସମ୍ବିତ୍ । ଯେ କୌଣସି ମୁହୂର୍ତ୍ତରେ ଟିକେଟ ଘୋଷଣା ହେବାକୁ ଥିବା ବେଳେ ସମ୍ବିତଙ୍କ ପତ୍ନୀ ଗିତାଞ୍ଜଳି ଏହି ବୈଠକରେ ମୁଖ୍ଯ ଆକର୍ଷଣ ଭାବେ ଉଭା ହୋଇଛନ୍ତି । ଏହି ଅବସରରେ କର୍ମୀମାନେ ତାଙ୍କୁ ପାଛୋଟି ନେବା ବେଳେ ଭାବୀ ବିଧାୟକ ପ୍ରାର୍ଥୀନୀ ବୋଲି ସମ୍ବୋଧନ କରି ନାରାବାଜି କରିଛନ୍ତି । ଟିକେଟ କାହାକୁ ମିଳିବ ଏଯାଏ ଦଳ ଘୋଷଣା ହୋଇ ନଥିଲେ ସୁଦ୍ଧା ସମ୍ବିତ ଙ୍କ ଶିବିର ବେଶ୍ ଉତ୍ସାହିତ ଓ ଚଳଚଞ୍ଚଳ ରହିଛି । ଯାହାକୁ ଦେଖିଲେ ଗିତାଞ୍ଜଳୀ ଟିକେଟ ପାଇବା ଏକରକମ ସ୍ପଷ୍ଟ ବୋଲି ଚର୍ଚ୍ଚା ହେଉଛି । ଅନ୍ଯପଟେ ବିଧାୟକ କିମ୍ବା ତାଙ୍କ ପରିବାରର କାହାକୁ ଟିକେଟ ଦେଲେ ଦଳକୁ ପାରାଦୀପରେ ମାଟି ଚଟେଇ ଦେବେ ବୋଲି ଚେତାବନୀ ଦେଇ ବିଜେଡ଼ିର ଗୋଟିଏ ଗୋଷ୍ଠୀ ୯ ଥର ମେଳି ବାନ୍ଧିଥିଲେ । ଏହାର ପ୍ରତିବାଦ କରି ଆଜିର ସଭାରେ ଯୋଗ ଦେଇଥିଲେ ବିଜେଡ଼ି ବ୍ଲକ ସଭାପତି, କାର୍ଯ୍ୟକାରୀ ସଭାପତି, କୁଜଙ୍ଗ ବ୍ଲକ୍ ଅଧ୍ଯକ୍ଷା, ତିର୍ତ୍ତୋଲ ବ୍ଲକ୍ ଅଧ୍ଯକ୍ଷ, ଯୁବ ବିଜେଡ଼ି ସଭାପତି, ଛାତ୍ର ବିଜେଡ଼ି ସଭାପତି ଓ ଅନେକ ସରପଞ୍ଚଙ୍କ ସମେତ ଅଧିକାଂଶ କାର୍ଯ୍ୟକର୍ତ୍ତା | ଏପରିକି ବିଧାୟକ ସମ୍ବିତ ରାଉତରାୟଙ୍କୁ ହୋଇଥିବା ଆକ୍ଷେପର ପ୍ରତିବାଦ ମଧ୍ଯ କରିଥିଲେ | ସେପଟେ ଭାଷଣ ଦେବା ଅବସରରେ ଭୋଟ ଭିକ୍ଷା କରିଛନ୍ତି ଗିତାଞ୍ଜଳି । (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )