November 23, 2024

ଓଡ଼ିଶାର ରାଜସ୍ୱ ମାନଚିତ୍ରରୁ ମାଛକୁଣ୍ଡ ଉଭାନ୍ ! ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଓଡ଼ିଶା ନାଁ ଆନ୍ଧ୍ର ସରକାରଙ୍କ ହାତରେ ?

Share

କୋରାପୁଟ,: ଓଡ଼ିଶାର ରାଜସ୍ୱ ମାନଚିତ୍ରରୁ ମାଛକୁଣ୍ଡ ଉଭାନ୍ ହୋଇଯାଇଛିକି ? ଅସଲରେ ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଓଡ଼ିଶା ନାଁ ଆନ୍ଧ୍ର ସରକାରଙ୍କ ହାତରେ ? ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ବୁଦ୍ଧିଜୀବୀ ମହଳରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି। ଆନ୍ଧ୍ର-ଓଡ଼ିଶାର ସୀମା ନିର୍ଦ୍ଧାରଣ କରୁଥିବା ମାଛକୁଣ୍ଡ ନଦୀ ଓଡ଼ିଶାର ରାଜସ୍ୱ ମାନଚିତ୍ରରେ ନ ଥିବା ନେଇ ଚିନ୍ତାପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏଭଳି ଏକ ସମ୍ବେଦନଶୀଳ ବିଷୟ ବସ୍ତୁକୁ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି। ସେ ଆନ୍ଧ୍ର-ଓଡ଼ିଶାର ସୀମା ନିର୍ଦ୍ଧାରଣ କରୁଥିବା ମାଛକୁଣ୍ଡ ନଦୀ କୋରାପୁଟର ଜୀବନରେଖା ଓ ଆମର ଅସ୍ମିତା ବୋଲି କହିଛନ୍ତି। ଏହା ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ମାଛକୁଣ୍ଡ ନଦୀର ଗୁରୁତ୍ୱ ଅଧିକ ଓ ବେଶ୍ ପ୍ରାସଙ୍ଗିକ । ତେବେ ଓଡ଼ିଶାର ରାଜସ୍ୱ ମାନଚିତ୍ରରେ ଏହି ନଦୀ ନ ଥିବା ଖବରକାଗଜରୁ ଜାଣି ମୁଁ ଚିନ୍ତିତ, ଯାହା ଓଡ଼ିଆଙ୍କ ପାଇଁ ଗମ୍ଭୀର ବିଷୟ ବୋଲି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ପଡୋଶୀ ରାଜ୍ୟ ତରଫରୁ ଓଡ଼ିଶାରେ ଅନୁପ୍ରବେଶ ଲାଗି ରହିଥିବାବେଳେ ଏପରି ଖବର ଓଡ଼ିଶାବାସୀଙ୍କୁ ମର୍ମାହତ କରିଛି । ପୂର୍ବରୁ ମାଛକୁଣ୍ଡ ନଦୀର ଅନତି ଦୂରରେ ନିର୍ମିତ ‘ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପ’କୁ ଓଡ଼ିଶା ସରକାର ଆନ୍ଧ୍ର ସରକାରଙ୍କ ହାତକୁ ଟେକି ଦେଇଥିବା ଖବର ଆସିଛି । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ ଦଶମ ଶ୍ରେଣୀ ବହିରେ ମାଛକୁଣ୍ଡ ଜଳ ପ୍ରକଳ୍ପ ଆନ୍ଧ୍ରର ବୋଲି ଉଲ୍ଲେଖ କରାଯାଇଥିବା ଭଳି ପୂର୍ବରୁ ଏକ ସାଂଘାତିକ ତ୍ରୁଟି ଦେଖିବାକୁ ମିଳିଥିଲା ।

ଆମର ଭୌଗୋଳିକ ସ୍ଥାନ ଗୁଡିକ ଓ ସୀମାନ୍ତ ଅଞ୍ଚଳର ପ୍ରସଙ୍ଗ ଗୁଡିକୁ ରାଜ୍ୟ ସରକାର ସମ୍ବେଦନଶୀଳତାର ସହ ଗୁରୁତ୍ୱ ଦେଇ ସମାଧାନର ରାସ୍ତା ବାହାର ନକରିବା ଚିନ୍ତାର ବିଷୟ । ଏହା କ’ଣ ଦୀର୍ଘ ୨୫ ବର୍ଷ ଶାସନର ରୂପାନ୍ତରଣ ? ସାଢେ ୪ କୋଟି ଓଡ଼ିଆଙ୍କ ପାଇଁ ଏହା ଅସ୍ମିତା ଓ ରାଜ୍ୟ ସ୍ୱାର୍ଥର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।(ରାଜାରାମ ଷଡଙ୍ଗୀ)