April 25, 2026
siva
Share

 

ପ୍ରତିଟି ହିନ୍ଦୁପ୍ରାଣ ବିଶ୍ୱାସକରେ ବ୍ରହ୍ମା ସୃଷ୍ଟି କର୍ତ୍ତା, ବିଷ୍ଣୁ ପାଳନକର୍ତ୍ତା ଓ ଶିବ ସଂହାର କର୍ତ୍ତା । ସମସ୍ତେ ପରମାତ୍ମାଙ୍କ ବିଭିନ୍ନ ସ୍ୱରୂପ । ଏମାନେ ସମସ୍ତେ ଏକ ଓ ଅଭିନ୍ନ। ସବୁରି ମୂଳରେ ବ୍ୟକ୍ତିର ବିଶ୍ଵାସ ଓ ଭକ୍ତି ନିହିତ ! ବ୍ରହ୍ମା ରଜଗୁଣଧାରୀ, ବିଷ୍ଣୁ ସତ୍ତ୍ଵଗୁଣଧାରୀ, ଶିବ ତମଗୁଣଧାରୀ। ‘ଶିବ ‘ ଶବ୍ଦର ଅର୍ଥ ମଙ୍ଗଳମୟ। ଶିବ ସମସ୍ତ ଜ୍ଞାନ ଓ ପ୍ରଜ୍ଞାର ଆଧାର। ସେ ଆଦର୍ଶ ଯୋଗୀ ଓ ତେଜସ୍ଵୀ ମୁନି । ସେ ଆଶୁତୋଷ। ଶିବ ପୁରାଣ ଅନୁଯାୟୀ ଶିବ ହେଉଛନ୍ତି ପ୍ରକୃତି ଓ ପୁରୁଷର ଉର୍ଦ୍ଧ୍ବରେ । ସେ ମହେଶ୍ୱର, ସେ ମଙ୍ଗଳ କର୍ତ୍ତା ଏବଂ ସମସ୍ତ ପ୍ରାଣୀଙ୍କର ସର୍ବକୁଶଳର କାରଣ । ଶୈବ ଦର୍ଶନ ହେଉଛି ବେଦାନ୍ତର ଶ୍ରେଷ୍ଠ ଦର୍ଶନ। ଭଗବାନ ରାମଚନ୍ଦ୍ର ପ୍ରସିଦ୍ଧ ଦକ୍ଷିଣସାଗର କୂଳରେ ଲଙ୍କାଯାତ୍ରା ସମୟରେ ଶିବପୂଜା କରିଥିବାର ପ୍ରମାଣ ରାମାୟଣରୁ ପ୍ରାପ୍ତ ହୁଏ । ଶିବଙ୍କର ମନ୍ତ୍ର ହେଉଛି” ଓଁ ନମୋ ଶିବାୟ ” । ‘ନ ‘ ର ଅର୍ଥ ପୃଥିବୀ ଓ ବ୍ରହ୍ମ । ‘ମ ‘ ର ଅର୍ଥ ‘ ବିଷ୍ଣୁ ‘, ‘ ଶି ‘ ହେଉଛି ଅଗ୍ନି ଓ ରୁ, ଦ୍ର, ‘ ବା ‘ ହେଉଛି ବାୟୁ ଓ ମହେଶ୍ୱର, ‘ ୟ ‘ ର ଅର୍ଥ ଆକାଶ, ସଦାଶିବ ଏବଂ ଜୀବ । ଶିବଙ୍କ ବର୍ଣ୍ଣ ଶୁଭ୍ର ଏବଂ ଏହି ଶୁଭ୍ରାତା ହିଁ ଆମ୍ଭମାନଙ୍କୁ ନିର୍ମଳ ହୃଦୟର ଓ ସଦଚିନ୍ତା ସମ୍ପର୍କରେ ସଂକେତ ଦିଏ । ତାଙ୍କ ଭାଲପଟରେ ତ୍ରିଧାର ବିଭୂତି ବିଲେପନର ଅର୍ଥ ହିଂସା, ବାସନା ଓ ମାୟା ତ୍ୟାଗ କରିବାର ନିର୍ଦ୍ଦେଶ ଅଟେ। ନନ୍ଦୀ ମହାରାଜ ଶିବଙ୍କର ବାହନ ।
ସେ ସତସଙ୍ଗର ପ୍ରତୀକ ମାତ୍ର।
ସାଧୁ ସଙ୍ଗ ବା ସତ୍ ସଙ୍ଗ କଲେ ମନୁଷ୍ୟ ଜାଗତିକ ଜଞ୍ଜାଳରୁ ମୁକ୍ତହୋଇ ମୋକ୍ଷ ଲାଭ କରେ । ପୁଣି ସେଇ ନନ୍ଦୀ ମହାରାଜ ସ୍ଵୟଂ ଧର୍ମଦେବତା ।
ତେଣୁ ଶିବ ଧର୍ମର ରକ୍ଷକ।
ଶିବଙ୍କ ଦକ୍ଷିଣ ହସ୍ତରେ ଶୋଭା ପାଉଥିବା ତ୍ରିଶୂଳ ସତ୍ଵ, ରଜ ଓ ତମ ଗୁଣର ନିଦର୍ଶନ ମାତ୍ର। ବାମ ହସ୍ତରେ ଡମ୍ବରୁ ର ଶବ୍ଦ ହେଉଛି ବ୍ରହ୍ମର ପ୍ରକୃତ ପ୍ରତୀକ ।
ବେଦର ଆଦ୍ୟ ଅକ୍ଷର ‘ ଓଁ, ହିଁ ଶବ୍ଦ ବ୍ରହ୍ମ। ଏହି ଓଁ ହେଉଛି ସମସ୍ତ ଭାଷାର ମୂଳାଧାର ଓ ପ୍ରାଣବିନ୍ଦୁ ।
ଶିବଙ୍କ ମସ୍ତକରେ ଚନ୍ଦ୍ରକଳା ହେଉଛି ସଂଜମୀ ର ପ୍ରତୀକ। ତାଙ୍କ ଜଟାରୁ ପୁଣ୍ୟତୋୟା ଗଙ୍ଗା ନିର୍ଝରିତ ।
ସେହି ଗଙ୍ଗା ହିଁ ଅମୃତଧାରର ଅମର ସଂକେତ ।
ଶିବଙ୍କ ଅଙ୍ଗ ଭୂଷଣ ହେଉଛି ସର୍ପ ।
ସର୍ପ ହେଉଛି ପ୍ରଜ୍ଞା ଓ ଚିରନ୍ତନତାର ପ୍ରତୀକ। ପୁଣି ଶିବ ତ୍ରିଲୋଚନ ନାମରେ ଖ୍ୟାତ ।
ଏହି ତୃତୀୟ ନେତ୍ର ମୋକ୍ଷଦ୍ଵାର ଭାବରେ ବିଦିତ । ତେଣୁ ସେ ସତ୍ୟ – ଶିବ – ସୁନ୍ଦର ନାମରେ ଆମ ନିକଟରେ ପରିଚିତ । ଶିବଙ୍କର ଆଉ ସବୁ ଅଙ୍ଗଭୂଷଣ ଆମେ ଶିବ ଉପନିଷଦରୁ ସୂଚନା ପାଉ । ଦକ୍ଷପତ୍ନୀ ପ୍ରସୂତୀଙ୍କର ଅଭିଶାପ ଫଳରେ ଭଗବାନ ଶିବ ଲିଙ୍ଗ ରୂପରେ ଆମ ସମାଜରେ ପୂଜା ପାଇ ଆସୁଛନ୍ତି ।
ତେଣୁ ଆମେ ଶିବ ମନ୍ଦିର ମାନଙ୍କରେ ଶିବ ମୂର୍ତ୍ତି ବଦଳରେ ଶିବ ଲିଙ୍ଗ ହିଁ ଦର୍ଶନ କରିଥାଉ ।
ଶିବ ଲିଙ୍ଗକୁ ତିନି ଭାଗରେ ବିଭକ୍ତ କରାଯାଇଛି ।
ନିମ୍ନଭାଗ ବ୍ରହ୍ମାପୀଠ, ମଧ୍ୟଭାଗ ବିଷ୍ଣୁପୀଠ ଓ ଉପରିଭାଗ ଶିବପୀଠ ଭାବରେ ପରିକଳ୍ପିତ।
ଶିବରାତ୍ରିର ମହିମା ସମ୍ପର୍କରେ ମହାଭାରତର ଶାନ୍ତି ପର୍ବରୁ ଏକ ହୃଦୟସ୍ପର୍ଶି କାହାଣୀ ଆଲୋଚନା କଲେ ଜଣାଯାଏ ପିତାମହ ଭୀଷ୍ମ ଶରଶଯ୍ୟାରେ ଥାଇ ଧର୍ମୋପଦେଶ ଦେଲାବେଳେ ମହାଶିବରାତ୍ରି ପାଳନ ସମ୍ପର୍କରେ ଇଖ୍ୟାକୁ ବଂଶର ରାଜା ଚିତ୍ରଭାନୁଙ୍କ କାହାଣୀ ଉଲ୍ଲେଖ କରିଥିଲେ ।
ରାଜା ଚିତ୍ରଭାନୁ ସମଗ୍ର ଜମ୍ବୁଦୀପରେ ଏକଛତ୍ରପତି ଶାସକ ଥିଲେ । ଥରେ ତାଙ୍କ ସ୍ତ୍ରୀ ଶିବରାତ୍ରି ଉପବାସ ପାଳନ କରିଥିଲେ ,।
ଏହି ସମୟରେ ଋଷି ଅଷ୍ଟବକ୍ର ରାଜଦରବାରକୁ ଆସି ରାଜାଙ୍କୁ ପ୍ରଶ୍ନକଲେ ଆପଣମାନେ କାହିଁକି ଶିବରାତ୍ରି ଉତ୍ସବ ପାଳନ କରୁଛନ୍ତି ,,
ରାଜା ଜାତିସ୍ମର ଥିବାରୁ ତାଙ୍କର ପୂର୍ବଜନ୍ମର କାହାଣୀ ଉଦ୍ଧାର କରି ଶିବରାତ୍ରି ପାଳନର ମହତ୍ତ୍ୱ ଋଷିଙ୍କୁ ବୁଝାଇଲେ ।
ସେ କହିଲେ —- ପୂର୍ବଜନ୍ମରେ ସୁସ୍ଵର ନାମରେ ସେ ଜଣେ ଶିକାରୀ ଥିଲେ । ଜୀବିକା ନିର୍ବାହ ପାଇଁ ତାଙ୍କୁ ପ୍ରତିଦିନ ଶିକାରକୁ ଯିବାକୁ ହୁଏ ।
ଦିନେ ବଣରେ ବୁଲୁବୁଲୁ ସନ୍ଧ୍ୟା ହେଲା ।
ସେ କୌଣସି ପ୍ରକାରେ ନିଜର କୁଟୀରକୁ ଫେରି ପାରିଲେ ନାହିଁ । ଭୋକରେ ପେଟ ଜଳୁଥାଏ ।
ଏଣେ କୁଟୀରରେ ଅପେକ୍ଷାରେ ରହିଥିବା ନିଜର ସ୍ତ୍ରୀ ଓ ସନ୍ତାନମାନେ ଭୋକ ଉପାସରେ ଆଉଟି ହୋଇ ଯିବେଣୀ । ଏକଥା ଭାବିଭାବି ସେ ବିଚଳିତ ହୋଇ ପଡିଲେ ଓ କାନ୍ଦିବାକୁ ଲାଗିଲେ । ହିଂସ୍ରଜନ୍ତୁ ମାନଙ୍କ କବଳରୁ ସେ ନିଜକୁ ରକ୍ଷା କରିବା ପାଇଁ ନିକଟରେ ଥିବା ଏକ ବେଲଗଛରେ ଆଶ୍ରୟ ନେଲେ । ଆଖିକୁ ନିଦ ଆସିଲା ନାହିଁ । ରାତିସାରା ବେଲପତ୍ରୀ ଛିଡାଇ ପକାଇବାକୁ ଲାଗିଲେ ଓ ସନ୍ତାନସନ୍ତତିଙ୍କ କଥା ମନେ ପକାଇ ଆଖିରୁ ଲୁହ ଝରାଇଲେ । କିନ୍ତୁ ସେ ଜାଣନ୍ତି ନାହିଁ, ବୃକ୍ଷର ପାଦଦେଶରେ ଶିବଲିଙ୍ଗ ଅଛନ୍ତିବୋଲି । ସମସ୍ତ ପତ୍ର ଓ ନୟନର ଅଶ୍ରୁଜଳ ଶିବଲିଙ୍ଗଙ୍କ ଉପରେ ପଡୁଥାଏ । ସକାଳ ହେଲା । ସେ ଗଛରୁ ଓହ୍ଲାଇ ଶିକାର ଧରି ଘରକୁ ଫେରିଲେ ଓ ଶିକାର ଲବ୍ଧ ଧନରେ କୁଟୁମ୍ବ ପ୍ରତିପାଳନ କଲେ । ତାଙ୍କର ଉପବାସ ବ୍ରତ ଭଙ୍ଗ ହେଲା । ସେ ସମ୍ମୁଖରେ ଉପସ୍ଥିତ ଥିବା ଜଣେ ଭିକ୍ଷୁକକୁ ପ୍ରଥମେ କିଛି ଖାଦ୍ୟ ଦାନକରି ନିଜେ ଖାଇଲେ । ମୃତ୍ୟୁ ସମୟ ଆସିଲା । ସେ ଦେଖିଲେ ଦୁଇଜଣ ଶିବଦୂତ ଆସି ତାଙ୍କ ପାଖରେ ପହଞ୍ଚି ତାଙ୍କୁ ଶିବଙ୍କ ନିକଟକୁ ନେଇଯିବାକୁ ଉଦ୍ୟତ ହେଉଛନ୍ତି । ଅଜାନତରେ ହେଲେ ମଧ୍ୟ ଶିବରାତ୍ରି ଦିବସରେ ସେ ବିଲ୍ଵବୃକ୍ଷରେ ଆଶ୍ରୟନେଇ ଉଜାଗର ରହି ବିଲ୍ଵପତ୍ର ସହ ଲୋତକବିନ୍ଦୁ ମୋଚନକରି ଶିବଲିଙ୍ଗ ପୂଜା କରିଥିବାରୁ ଶିବଙ୍କ ପାଖରେ ରହିବାର ସୁଯୋଗଲାଭ କଲେ ଓ ଏବେ ଚିତ୍ରଭାନୁ ଭାବରେ ରାଜଗାଦି ଭୋଗକଲେ । ଏହା ହିଁ ହେଇଛି ରାଜା ଚିତ୍ରଭାନୁଙ୍କର ଶିବରାତ୍ରି ମହିମା ଉପାଖ୍ୟାନ ।……
ଆମ୍ଭେମାନେ ସମସ୍ତେ ସଂସାରୀ । ଆମ ଜୀବନର ଏକମାତ୍ର ଲକ୍ଷ୍ୟହେଲା ନିର୍ବାଣ ଲାଭ କରିବା । ତାହାହେଲେ ଆମେ ଏହି ପବିତ୍ର ଶିବରାତ୍ରିଟିକୁ ନିଶ୍ଚିତ ଭାବରେ ପାଳନ କରିବା ଉଚିତ୍।
ବେଲପତ୍ର ଶିବଙ୍କର ଅତିପ୍ରିୟ ବୋଲି ଭଗବାନ ଶିବ ପାର୍ବତୀଙ୍କୁ କହିଛନ୍ତି । ଶିବରାତ୍ରିରେ ଶିବଙ୍କ ଅଭିଷେକ ଚାରି ପ୍ରହରରେ ହୁଏ । ପ୍ରଥମ ପ୍ରହରରେ କ୍ଷୀରରେ ଶିବଙ୍କୁ ସ୍ନାନ, ଦ୍ୱିତୀୟ ପ୍ରହରରେ ଦଧିରେ, ତୃତୀୟ ପ୍ରହର ମହୁରେ ଓ ଅନ୍ତିମ ପ୍ରହର ଶିବଙ୍କ ପାଇଁ ଉଦ୍ଦିଷ୍ଟ ନୈବେଦ୍ୟରେ ସ୍ନାନ ହେବାର ବିଧି ପ୍ରାମାଣିକ ସିଦ୍ଧି। ଏଇଠି ପୂର୍ଣ୍ଣଚ୍ଛେଦ ପକାଇଲି । ଆଜିର ଶିବରାତ୍ରିରେ ସମସ୍ତ ମାନବ ସମାଜକୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ !! ଶିବ ସମସ୍ତଙ୍କର ମଙ୍ଗଳ କରନ୍ତୁ।।।।। ଓଁ ନମୋ ଶିବାୟ….. ଜୟ ଜଗନ୍ନାଥ…..

ଅଧ୍ୟାପକ ଡ଼ ପ୍ରଦୀପ୍ତ କୁମାର ମିଶ୍ର,

ନୀଳଗିରି ମହିଳା ଡିଗ୍ରୀ ମହାବିଦ୍ୟାଳୟ,

ନୀଳଗିରି… ବାଲେଶ୍ବର……

 

(ଦେବାଶିଷ ଦାଶ କ୍କ ରିପୋର୍ଟ୍)

You may have missed