November 23, 2024

ବିଶ୍ଵମ୍ବର ବିଦ୍ୟାପୀଠ ଠାରେ ପ୍ରତିଭା ପ୍ରୋତ୍ସାହନ ଉତ୍ସବ -୨୦୨୪ ଅନୁଷ୍ଠିତ …

Share

ବିଶ୍ୱମ୍ଭର ବିଦ୍ୟାପୀଠ,ପୁରୀ ପରିସରରେ “ବିଶ୍ବମ୍ଭର ବିଦ୍ୟାପୀଠ ପ୍ରାଇଜ ମେମୋରିଆଲ ଟ୍ରଷ୍ଟ ” ର ତ୍ରୟୋବିଂଶତମ ପ୍ରତିଭା ପ୍ରୋତ୍ସାହନ ଉତ୍ସବ ୨୦୨୩-୨୪ ପ୍ରତିଷ୍ଠାତା ତଥା ସଭାପତି ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଘୁନାଥ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ଟ୍ରଷ୍ଟ ବୋର୍ଡର ସଦସ୍ୟ ଶ୍ରୀଯୁକ୍ତ ଧ୍ରୁବଚରଣ କର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ।ଶ୍ରୀଯୁକ୍ତ ରଘୁନାଥ ମହାପାତ୍ର ଟ୍ରଷ୍ଟ ବୋର୍ଡ ଗଠନର ଉଦ୍ଦେଶ୍ୟ ଓ କାର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ ।ଟ୍ରଷ୍ଟ ବୋର୍ଡର ସମ୍ପାଦକ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀମତୀ ଶୁଭଶ୍ରୀ ଦାଶ ସଂପାଦକୀୟ ବିବରଣୀ ପାଠ କରିଥିଲେ ।

ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପୂର୍ବତନ ଛାତ୍ର ଡ. ଗୁଣ ମହାପାତ୍ର ,ଡ.ଶ୍ୟାମସୁନ୍ଦର ମହାପାତ୍ର ,ଡ.ହରିବଲ୍ଲଭ ମହାପାତ୍ର ଏବଂ ଡ. ନିବେଦିତା ମହାପାତ୍ର ପ୍ରଭୃତି ଉପସ୍ଥିତ ରହି ଉତ୍ସବକୁ ସରସ ସୁନ୍ଦର କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ଓ ସେମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ବିଦ୍ୟାଳୟର ପୂର୍ବତନ ଛାତ୍ରୀ ଶୁଭଶ୍ରୀ ପ୍ରଧାନ OJS (ଓଡ଼ିଶା ବିଚାରବିଭାଗୀୟ ସେବା) ଓ ବର୍ତ୍ତମାନ ଏହି ଅନୁଷ୍ଠାନର ପ୍ରଧାନ ଶିକ୍ଷକ ତଥା ପୂର୍ବତନ ଛାତ୍ରୀ ଶୁଭଶ୍ରୀ ଦାଶ OES (ଓଡ଼ିଶା ଶିକ୍ଷା ସେବା) ପାଇଥିବାରୁ ଉକ୍ତ ଉତ୍ସବରେ ସେ ଦୁହିଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଉତ୍ସବରେ ୩୮ ଲକ୍ଷ ୫ ହଜାର ଟଙ୍କା ସ୍ଥାୟୀ ଜମାର ସୁଧରୁ ଛାତ୍ରବୃତ୍ତି ,ବିଭିନ୍ନ କ୍ଷେତ୍ରରେ ଯୋଗ୍ୟତାଭିତ୍ତିକ ପ୍ରୋତ୍ସାହନ ପୁରସ୍କାର ପ୍ରାୟ ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ।ଏହି ଉତ୍ସବରେ ସ୍ନେହାସ୍ମିତା ସାହୁ ବିଶ୍ୱମ୍ଭର ଶ୍ରୀ ଓ ବିଜ୍ଞାନଶ୍ରୀ ,ଜ୍ୟୋତିରଂଜନ ପାଢ଼ୀ ଛାତ୍ରରତ୍ନ , ଏ ସ୍ନେହା ପାତ୍ର କନ୍ୟରତ୍ନ ଏବଂ ମଧୁସ୍ମିତା ସାହୁ ସୁକନ୍ୟା ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।ପରିଶେଷରେ ଟ୍ରଷ୍ଟ ବୋର୍ଡର ସଦସ୍ୟ ଶ୍ରୀଯୁକ୍ତ ଦିବାକର ଦଳାଇ ଉପସ୍ଥିତ ସମସ୍ତ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ,ଅତିଥି ବର୍ଗ ,ବଦାନ୍ୟ ବ୍ୟକ୍ତିବର୍ଗ ,ଛାପା ଗଣମାଧ୍ୟମ ପ୍ରତିନିଧି ତଥା ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।