April 26, 2026

ଆମ ଜହ୍ନମାମୁଁ ସରଗ ଶଶୀ ଭାରତ ସହିତ ସମ୍ପର୍କ ବେଶି

Screenshot_20230824-164210
Share

ଆମ ଜହ୍ନମାମୁଁ ସରଗ ଶଶୀ
ଭାରତ ସହିତ ସମ୍ପର୍କ ବେଶି

ବିକ୍ରମ ଯାଇଛି ମାମୁଁ ଘରକୁ
ବୁଲିବ ସେଠାରେ ମନ ଇଛାକୁ

ପ୍ରଜ୍ଞାନ ଯାଇଛି ସାଙ୍ଗରେ ତା’ର
ଫଟୋ ଉଠେଇବ ଥରକୁ ଥର

ମାମୁଁ ଘରେ ମାଇଁ ଅଛି କି ନାହିଁ
ଖବର ବୁଝିବେ ସେ ଦୁଇ ଭାଇ

ଜଣେ ବୁଦ୍ଧିଆକୁ ଜଣେ ବଳୁଆ
ପ୍ରଜ୍ଞାନ-ବିକ୍ରମ ଜଗା ବଳିଆ

ବୁଲିବେ ମାମୁଁଙ୍କ ଘର ଦୁଆର
ବାରି ବଗିଚା କି ଅଛି ସେଠାର

କଠିନ ମାଟି କି ଅବା ନରମ
ଜଳବାୟୁ ଥଣ୍ଡା କିବା ଗରମ

ଠେକୁଆ ଅଛି କି ମାମୁଁଙ୍କ ଘରେ
ଅବା କେଉଁ ଜୀବ ଅଛି ସେଠାରେ

ମାଟି ତଳେ ମାମୁଁ ରଖିଛ କିସ
ସୁନା, ହୀରା, ଲୀଳା ଅବା ପିୟୂଷ

ଭଣଜା ହାତରେ ଦେବ ପଠାଇ
ସାଙ୍ଗରେ ତ ଗାଡ଼ି ନେଇଛି ସେହି

ତମ ପଟେ ଖରା, ବରଷା, ଶୀତ
ଏବେ କୋଉ ପାଗ କହି ଦେବ ତ

ବୋଉ ଏଠି ଅଛି ତୁମେ ସେଠାରେ
ଭଲ ମାମୁଁ ତମେ ଏତେ ଦୂରରେ

ଜହ୍ନମାମୁଁ ବୋଲି ହୁରି ପଡୁଛି
ଭଣଜାକୁ ଛାଡି ମାମୁଁ ବୁଲୁଛି

ପଚାରୁନି ପୁଅ କେମିତି ଅଛ
ଭଉଣୀ କଥା ତ ଭୁଲି ଯାଇଛ

ଦୁହିତା ସମ୍ପତ୍ତି ଭାଗ ବୋଉର
ଚନ୍ଦ୍ର ମଣ୍ଡଳ ତ ଆମ ଅଜାର

ସେକଥା ତୁମେ କି ପାଶୋରି ଅଛ
ଭଣଜାମାନଙ୍କୁ ଭୁଲି ଯାଇଛ

ଆମେ ଭୁଲି ନାହୁଁ ମାମୁଁ ତୁମକୁ
ଆଜି ଗଲୁ ତେଣୁ ତୁମ ଘରକୁ

ଭଣଜାଙ୍କ ଭଲ ମନ୍ଦ ବୁଝିବ
ତୁମ ଘର କଥା ସବୁ ଲେଖିବ

ଇସ୍ରୋ ଡାକଘର ଆମ ଠିକଣା
ଉଡୁଥିବ ସେଠି ତ୍ରିରଙ୍ଗା ବାନା