ରାସ୍ତାରେ ଧାନତଳି ରୋଇଲେ ମହିଳା
ରାସ୍ତାରେ ଧାନତଳି ରୋଇଲେ ମହିଳା
ହାଟଡିହି,୨୨/୮: ହାଟଡିହି ବ୍ଲକ୍ ହାବଳେଶ୍ଵର ପଞ୍ଚାୟତ ତିମିରିଆ ଗ୍ରାମର ୮ ନମ୍ବର ୱାର୍ଡ ଗଡ଼ାସାହି ରାସ୍ତାଟି ପ୍ରାୟ ୧୦ ବର୍ଷ ହେବ ମରାମତି ହୋଇନାହିଁ। ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବାରୁ ଲୋକଙ୍କୁ ଯାତାୟାତରେ ସମସ୍ୟା ହେଉଛି । ଏହାର ପ୍ରତିବାଦରେ ଗ୍ରାମର ମହିଳାମାନେ ରାସ୍ତାରେ ଧାନତଳି ରୋଇ ପ୍ରତିବାଦ କରିଛନ୍ତି। ଏହି ସାହିରେ ୭୦ ପରିବାର ବାସ କରୁଛନ୍ତି। ବର୍ଷାଦିନେ ରାସ୍ତାରେ ପାଣି ଜର୍ମି କାଦୁଅ ହେଉଥିବାରୁ ଲୋକଙ୍କୁ ଘରୁ ବାହାରିବାରେ ସମସ୍ୟା ହେଉଛି । ଜରୁରୀ ପରିସ୍ଥିତିରେ ସାହିକୁ ଆମ୍ବୁଲାନ୍ସ ଓ ଦମକଳ ପଶି ପାରୁନି ବୋଲି ସାହିର ଭାରତୀ ବାଉଳ, ଚମ୍ପା ବେହେରା, ଭାଗ୍ୟଲକ୍ଷ୍ମୀ ବେହେରା, ବେହେରା, ସୁଷମା ପଲେଇ, ସରସ୍ବତୀ ପ୍ରଧାନ, ଚାନ୍ଦି ପଲେଇ, ବିମଳା ପଲେଇ, ମଞ୍ଜୁଶ୍ରୀ ବେହେରା, ବାସନ୍ତୀ ବେହେରା, ଶାଢି ବେହେରା, ମେନକା ବେହେରା, ବାସନ୍ତୀ ବାରିକ, ଶଙ୍କିରୀ ବେହେରା, ବିମଳା ବାରିକ, କଞ୍ଜାଳି ଖଟୁଆ, ବିଳାସିନୀ ବସରିଆ, ସୁକାନ୍ତ ପ୍ରଧାନ, ଅନିତା ବାରିକ, ନିରୁପମା ବାରିକ ପ୍ରମୁଖ ଅଭିଯୋଗ କରିଛନ୍ତି। ଗଡ଼ାସାହିର ମଙ୍ଗଳା ଶାଳଠାରୁ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଅତ୍ୟନ୍ତ ଦୟନୀୟ ହୋଇଛି। ରାସ୍ତା ମରାମତି ପାଇଁ ବାରମ୍ବାର ଦାବି ଜଣାଇବା ସତ୍ତ୍ଵେ କୌଣସି ପଦକ୍ଷେପ ନିଆ ନଯିବାରୁ ଆଜି ମହିଳାମାନେ ପଙ୍କକାଦୁଅ ରାସ୍ତାରେ ଧାନତଳି ରୋଇ ପ୍ରତିବାଦ କରିଛନ୍ତି। ରାସ୍ତା ମରାମତି ଆସନ୍ତା ନିର୍ବାଚନରେ ଗଡ଼ାସାହିର ଲୋକମାନେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
(ସୋମେଶ ପରିଡ଼ା ଙ୍କ ରିପୋର୍ଟ)