November 23, 2024

ପିପୁଲ୍ସ କଲେଜର ୪୬ତମ ପ୍ରତିଷ୍ଠା ଦିବସ ପାଳିତ , ଗୋଲ୍ଡ ମେଡାଲିଷ୍ଟ୍ ଚିନ୍ମୟୀ ସାହୁ ସମ୍ବର୍ଦ୍ଧିତ

Share

ପିପୁଲ୍ସ କଲେଜର ୪୬ତମ ପ୍ରତିଷ୍ଠା ଦିବସ ପାଳିତ , ଗୋଲ୍ଡ ମେଡାଲିଷ୍ଟ୍ ଚିନ୍ମୟୀ ସାହୁ ସମ୍ବର୍ଦ୍ଧିତ
ବୁଗୁଡ଼ା : ତା ୩୦/୦୭/୨୩ : ସ୍ଥାନୀୟ ପିପୁଲ୍ସ କଲେଜର ୪୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କଲେଜର ସମ୍ମିଳନୀ କକ୍ଷରେ ଆଇକ୍ୟୁଏସି ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଅଧ୍ଯକ୍ଷ ହରିକୃଷ୍ଣ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ କଲେଜ ପରିଚାଳନା କମିଟି ସଭାପତି ରଜନୀ କାନ୍ତ ଭଟ୍ଟ ଏବଂ ସମ୍ମାନିତ ଅତିଥି ଭାବେ କଲେଜ ପ୍ରତିଷ୍ଠାତା ଡଃ.ଦୟାନିଧି ରାଉତ ଓ ରେବତୀ ମୋହନ ନାୟକ ଯୋଗ ଦେଇଥିଲେ । ଗତ ୧୯୭୮ ମସିହାରେ ପ୍ରତିଷ୍ଠିତ ଉକ୍ତ କଲେଜର ପ୍ରତିଷ୍ଠାତା କାଳୀ ଚରଣ ନାୟକ,ବୀର କିଶୋର ଦାଶ, ସୁଶାନ୍ତ ରାଉତ, ଗୌତ୍ତମ ଜେନା , କାଳୀ ଚରଣ ସ୍ବାଇଁ , ନବଘନ ନାୟକ , ଆଦିକନ୍ଧ ଆରୁଖ ଓ ରାମ ନାରାୟଣ ସାହୁ ପ୍ରମୁଖଙ୍କ ଅବିସ୍ମରଣୀୟ ଅବଦାନ ସମ୍ପର୍କେ ଉପସ୍ଥିତ ପ୍ରତିଷ୍ଠାତା ଦ୍ବୟ ଆଲୋକପାତ କରିଥିଲେ ।
ଦୀର୍ଘ ୪୫ ବର୍ଷ ମଧ୍ୟରେ କଲେଜର ସାମଗ୍ରିକ ବିକାଶ ସମ୍ପର୍କେ ଆଲୋଚନା ହୋଇଥିଲା । ଆଦର୍ଶମୟ ଶୈକ୍ଷିକ ବାତାବରଣ ସାଙ୍ଗକୁ ପୁନଃ ନାକ୍ ମାନ୍ଯତା ହାସଲ ଦିଗରେ ସଙ୍କଳ୍ପବଦ୍ଧ ସାମୁହିକ ଅଦମ୍ୟ ଉଦ୍ଯମ ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା । ଏ ଅବସରରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ଗୋଲ୍ଡ ମେଡାଲ୍ ହାସଲ କରିଥିବା ପିପୁଲ୍ସ କଲେଜ ରାଜନୀତି ବିଜ୍ଞାନର ଛାତ୍ରୀ ଚିନ୍ମୟୀ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଟପ୍ ଟେନରେ ସ୍ଥାନ ପାଇଥିବା କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥି ସହ କଲେଜର ବିଭିନ୍ନ ବିଭାଗରେ ସର୍ବାଧିକ ମାର୍କ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ସାଙ୍ଗକୁ କ୍ରୀଡା ଓ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ଯାପକ ଆତ୍ମପ୍ରକାଶ ନାୟକ ସଂଯୋଜନା , ଆଇକ୍ୟୁଏସି ସଂଯୋଜକ ଅଧ୍ଯାପକ ପ୍ରଦୀପ କୁମାର ଦାଶ କଲେଜର ଇତିହାସ ବିବରଣୀ ପଠନ , ଅଧ୍ୟାପକ ସଞ୍ଜୟ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ ଏବଂ ଅଧ୍ଯାପକ ଜୟରାମ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।