ଟ୍ରକରେ ଗଞ୍ଜେଇ ଚୋରାଚାଲାଣ ବେଳେ ଜଣେ ଗିରଫ
ଟ୍ରକରେ ଗଞ୍ଜେଇ ଚୋରାଚାଲାଣ ବେଳେ ଜଣେ ଗିରଫ
ଗଜପତି ଜିଲ୍ଲାରୁ ବିହାର ରାଜ୍ୟକୁ ବେଆଇନ ଭାବେ ଧୋବଜା ବୋଝେଇ ଟ୍ରକରେ ଗଞ୍ଜେଇ ଚୋରାଚାଲାଣ ବେଳେ ପାଟପୁର ପୋଲିସ ତପ୍ତପାଣି ଘାଟି ନିକଟସ୍ଥ ରାଜନାପଲ୍ଲୀ ଠାରେ ଅତର୍କିତ ଚଢ଼ାଉ କରିଥିବା ଜଣାପଡିଛି । ତେବେ ଉକ୍ତ ଚଢ଼ାଉ ସମୟରେ ପୋଲିସ ୧୭ ଗୋଟି ଗଞ୍ଜେଇ ବସ୍ତା ଜବତ କରିଥିବା ବେଳେ ଟ୍ରକ ଚାଳକକୁ ଗିରଫ କରିପାରିଛି । ଗିରଫ ଚାଳକ ଜଣକ ହେଲେ ବିହାର ରାଜ୍ୟ ପାଟନା ଜିଲ୍ଲା ସଲିମପୁର ଥାନା ରାମନଗର ଗ୍ରାମର ମଧୁସୂଦନ କୁମାର ସିଂ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ଖବରନୁଯାୟୀ, ଗଞ୍ଜେଇର ହବ୍ କୁହାଯାଉଥିବା ଗଜପତି ଜିଲ୍ଲାରୁ ବିଭିନ୍ନ ସମୟରେ ଗଞ୍ଜେଇ ମାଫିଆ ମାନେ ଅଭିନବ ଉପାୟରେ ବେଆଇନ ଭାବେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ ଓ ବିହାର ରାଜ୍ୟକୁ ଚୋରାଚାଲାଣ କରୁଥିବା ନଜର ଆସୁଥିବା ବେଳେ ପୋଲିସ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛି । ତେବେ ଗତକାଲି ପୁଣିଥରେ ଏକ ଟ୍ରକ ( ବି ଆର୍ ୦୬ ଜିବି ୫୫୦୮) ଯୋଗେ ବେଆଇନ ଭାବେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ପୋଲିସ ବିଶେଷ ସୂତ୍ରରୁ ଖବରପାଇ ଏସ୍ ଆଇ ଶ୍ରୀନିବାସ ଦାସ ଏବଂ ଏ ଏସ୍ ଆଇ ପରମେଶ୍ବର ମଳିକ ଟ୍ରକକୁ ଅଟକାଇ ଗାଡ଼ିର ତଲାସୀ କରିଥିଲେ । ତେବେ ଉକ୍ତ ଟ୍ରକରେ ବହୁ ଧୋବଜା ବସ୍ତା ଭିତରେ କିଛି ଗଞ୍ଜେଇ ବସ୍ତା ଲୁଚି ରହିଥିବା ଜାଣି ପାରିଥିଲେ । ଘଟଣାପରେ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ ମାପ ପରେ ସେଥିରେ ୫୮୭ କେଜି ୯୦୦ ଗ୍ରାମ ଗଞ୍ଜେଇ ରହିଥିବା ପୋଲିସର ତଦନ୍ତରୁ ଜଣାପଡ଼ିଛି । ଜବତ ଗଞ୍ଜେଇର ବଜାର ମୂଲ୍ୟ ୮୦ ଲକ୍ଷରୁ ଉର୍ଦ୍ଧ ହୋଇପାରେ ବୋଲି ଅନୁମାନ କରାଯାଉଛି । ଏନେଇ ପାଟପୁର ଥାନା ମାମଲା ନଂ ୪୬୨/୨୩ ଦଫା ୨୦(ବି) ଆଇଆଇ(ସି) ଏନ୍ ଡିପିଏସ୍ ଆକ୍ଟ ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ ପରେ ଜିଲ୍ଲା ଦୌରାଜଜ କୋର୍ଟକୁ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି। ବ୍ରହ୍ମପୁର ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ