୭ ଦଫା ଦାବି ନେଇ ବୋଲଗଡ଼ ବ୍ଲକ ସମ୍ମୁଖରେ ଅଙ୍ଗନୱାଡି କର୍ମୀଙ୍କ ଅନିର୍ଦ୍ଦିଷ୍ଟ କାଳୀନ ଧାରଣା…
ବୋଲଗଡ଼,୨୭/୧୧(ଉପାନ୍ତ ଖବର): ୭ ଦଫା ଦାବି ପୂରଣ ନେଇ ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ର ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଶାଖା ପକ୍ଷରୁ ବୋଲଗଡ଼ ବ୍ଲକ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳୀନ ଧାରଣା ଆରମ୍ଭ ହୋଇଛି। ସଙ୍ଘ ସଭାନେତ୍ରୀ ମେରିଆ ବେଗମ୍ ଙ୍କ ନେତୃତ୍ବରେ ୨୨୮ ଟି ସେଣ୍ଟରର କର୍ମୀ ଓ ସହାୟିକା ଏକାଠି ହୋଇଥିଲେ। ଆଜି ଠାରୁ ବ୍ଲକର ଅଙ୍ଗନୱାଡି କର୍ମୀ ଓ ସହାୟିକା ମାନେ ଏକଜୁଟ ହୋଇ ଦାବି ପୂରଣ ପାଇଁ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଏହି ଆନ୍ଦୋଳନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସୁପୁତ୍ର ତଥା କଂଗ୍ରେସ ନେତା ପୃଥି ବଲ୍ଲଭ ପଟ୍ଟନାୟକ ସାମିଲ ହୋଇଥିଲେ। ସଂଘ ପକ୍ଷରୁ ଅଙ୍ଗନୱାଡି କର୍ମୀଙ୍କୁ ବିଭିନ୍ନ ଦାବି ଗୁଡିକ ହେଲା ସରକାରୀ ମାନ୍ୟତା ପ୍ରଦାନ, କର୍ମୀଙ୍କ ମାସିକ ଦରମା ୩୦ ହଜାର ଟଙ୍କା ଏବଂ ସହାୟିକାଙ୍କ ଦରମା ୧୫ ହଜାର ଟଙ୍କା କରିବା, ୫୫ ବର୍ଷ ବୟସରେ ଅବସର ସମ୍ପର୍କିତ ନିୟମ ପ୍ରତ୍ୟାହାର କରିବା ଆଦି ଦାବି ଉଠାଯାଇଛି। ଏଥିସହ ଅବସର ସମୟରେ କର୍ମୀଙ୍କୁ ୧୦ ଲକ୍ଷ ଓ ସହାୟିକାଙ୍କୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ, ଚାକିରି କାଳ ମଧ୍ୟରେ ମୃତ୍ୟୁ ହେଲେ ୫ ଲକ୍ଷ ଟଙ୍କା କ୍ଷତିପୂରଣ ସହ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଯୋଗାଇଦେବା, ୭ ପ୍ରତିଶତ କର୍ମୀଙ୍କୁ ସୁପରଭାଇଜର ଭାବେ ନିଯୁକ୍ତି ଏବଂ ବକେୟା ପୋଷଣ ରାଶି ପ୍ରଦାନ ଆଦି ଦାବି ରହିଛି। ଏହି ସମସ୍ତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏହି ଧାରଣା ଯୋଗୁଁ ଆଜି ବ୍ଳକର ଅନେକ ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ଖାଦ୍ୟ ବଣ୍ଟନ ବନ୍ଦ ରହିଥିଲା। ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
