ଶିଶୁ ମନ୍ଦିରର ୨୯ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ…
. ବୁଗୁଡା : ତା : ୨୭/୧୧/୨୭ : ସ୍ଥାନୀୟ ସରସ୍ବତୀ ଶିଶୁବିଦ୍ୟା ମନ୍ଦିରର ୨୯ତମ ବାର୍ଷିକ କ୍ରୀଡା ସମାରୋହ ଉଦଘାଟିତ ହୋଇଯାଇଛି । ଉକ୍ତ ତ୍ରିଦିବସୀୟ ବାର୍ଷିକ କ୍ରୀଡା ସମାରୋହର ଉଦଘାଟନୀ ଉତ୍ସବ ଅବସରରେ କ୍ରୀଡା ଜ୍ଯୋତି ପ୍ରତିଯୋଗୀଙ୍କ ଦ୍ବାରା ବଳଦେବ ମନ୍ଦିରୁ ଅଣାଯାଇ କ୍ରୀଡା ସ୍ଥଳରେ ପହଞ୍ଚିଥିଲା । ପରିଚାଳନା ସମିତି ସମ୍ପାଦକ ବିଶ୍ବ ମୋହନ ମିଶ୍ରଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୁଗୁଡା ବନାଞ୍ଚଳ ଅଧିକାରୀ ମାନସ କୁମାର ସାହୁ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଗୋପାଳ ଚନ୍ଦ୍ର ପାତ୍ର ଓ ଏସ୍ଏମସି କୋଷାଧକ୍ଷ ତ୍ରିଲୋଚନ ସାହୁ ଯୋଗ ଦେଇ ପ୍ରତିଯୋଗୀଙ୍କୁ ମାର୍ଗ ଦର୍ଶନ ପୂର୍ବକ ଉତ୍ସାହିତ କରିଥିଲେ । କ୍ରୀଡା ପ୍ରତିଯୋଗିତା କାଳରେ ସଦଭାବନା ରକ୍ଷା ନିମନ୍ତେ ଗତବର୍ଷର ଚମ୍ପିଆନ୍ ସଂସ୍କୃତି ମହାପାତ୍ର ଓ ପ୍ରଜ୍ଞା କୁମାରୀ ଗୌଡଙ୍କ ନେତୃତ୍ୱରେ ପ୍ରତିଯୋଗୀଙ୍କ ସାମୁହିକ ଶପଥ ପାଠ ପରେ ଶିଶୁ ବାଟିକା, କନିଷ୍ଠ ବର୍ଗ, ବାଲ ବର୍ଗ ଓ କିଶୋର ବର୍ଗର ପ୍ରତିଯୋଗୀମାନଙ୍କ ମଧ୍ୟରେ ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ , ଗୁଳା ଫିଙ୍ଗା ଆଦି ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ଶିକ୍ଷାନୁଷ୍ଠାନର ସମସ୍ତ ଗୁରୁଜୀ ଓ ଗୁରୁମା କ୍ରୀଡା ପ୍ରତିଯୋଗିତାଗୁଡିକୁ ପରିଚାଳନା ସହ ମୂଲ୍ଯାଙ୍କନ ପୂର୍ବକ କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିଲା ବେଳେ ସମାରୋପ ଉତ୍ସବରେ ସେମାନଙ୍କୁ ପୁରସ୍କୃତ କରାଯିବା ନେଇ ପ୍ରକାଶ ପାଇଛି। ଗୁରୁମା ମଧୁସ୍ମିତା ଦାଶଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ଉତ୍ସବରେ ଗୁରୁମା ରସନା ପ୍ରଧାନ ବନ୍ଦନା , ଶାରୀରିକ ପ୍ରମୁଖ ଗୁରୁଜୀ ସଞ୍ଜୟ ଷଡଙ୍ଗୀ ଉଦଘାଟନୀ ମନ୍ତ୍ରପାଠ, ଛାତ୍ରୀ ଅନ୍ବେଷା ରାଣୀ ଡାକୁଆ, ସ୍ନେହାରାଣୀ ପରିଡା ଓ ପଦ୍ମିନୀ ବେହେରା ସଙ୍ଗୀତ ଗାନ ଏବଂ ପ୍ରଧାନାଚାର୍ଯ୍ଯ ଚଣ୍ଡି ପ୍ରସାଦ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଗୁରୁଜୀ ଲଡୁ କିଶୋର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

