November 18, 2026

ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନରେ ବିଳମ୍ବ ନେଇ ବିଧାନସଭା କମିଟିରେ ଉଠାଇଲେ ବିଧାୟକ ରୂପେଶ ପାଣିଗ୍ରାହୀ..

IMG-20261117-WA0047
Share

ଗଜପତି: ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନରେ ବିଳମ୍ବ ନେଇ ବିଧାନସଭା କମିଟିରେ ଉଠାଇଲେ ବିଧାୟକ ରୂପେଶ ପାଣିଗ୍ରାହୀ: : ଗଜପତି ଜିଲ୍ଲାର ଅଙ୍ଗନୱାଡ଼ି କର୍ମୀଙ୍କ ସମସ୍ୟା ସହ ସୁଭଦ୍ରା ଯୋଜନା ପ୍ରସଙ୍ଗରେ ମଧ୍ୟ ହେଲା ଆଲୋଚନା: ଗଜପତି ଜିଲ୍ଲାରେବାର୍ଦ୍ଧକ୍ୟ ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନରେ ବିଳମ୍ବ ହେଉଥିବା ଏବଂ ହିତାଧିକାରୀ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ବିଧାନସଭା କମିଟି ବୈଠକରେ ସ୍ୱର ଉଠାଇଛନ୍ତି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ। ଏଥିସହ ବାତ୍ୟାରେ କ୍ଷତିଗ୍ରସ୍ତ ଗଜପତି ଜିଲ୍ଲାର ଖର୍ଷଣ୍ଡା ଗ୍ରାମର ଅଙ୍ଗନୱାଡ଼ି କର୍ମୀମାନଙ୍କ ପକ୍ଷରୁ ଉଠାଯାଇଥିବା ସୁଭଦ୍ରା ଯୋଜନା ସମ୍ପର୍କିତ ସମସ୍ୟା ଉପରେ ମଧ୍ୟ ସେ ଆଲୋଚନା କରିଥିଲେ। ବିଧାନସଭା ସଚିବାଳୟ ପକ୍ଷରୁ ଯୁଗ୍ମ ସଚିବ ବିଦ୍ୟାଧର ମାଝୀ’ଙ୍କ ଦସ୍ତଖତରେ ଜାରି ଚିଠି ଅନୁଯାୟୀ, କମିଟି ଅଧ୍ୟକ୍ଷ ବିଭୂତି ଭୂଷଣ ପ୍ରଧାନ’ଙ୍କ ସମେତ ବିଧାୟକ ପ୍ରଶାନ୍ତ ବେହେରା, ଉମା ଚରଣ ମଲ୍ଲିକ, ପ୍ରକାଶ ଚନ୍ଦ୍ର ସେଠୀ, ହିମାଂଶୁ ଶେଖର ସାହୁ, ଡଃ ଫକୀର ମୋହନ ନାଏକ, ରୂପେଶ କୁମାର ପାଣିଗ୍ରାହୀ, ସତ୍ୟଜିତ ଗମାଙ୍ଗୋ, ବିଜୟ କୁମାର ଦଳବେହେରା, ସୁଜାତା ସାହୁ, ପ୍ରଦୀପ କୁମାର ସାହୁ ଓ ସୁବାସିନୀ ଜେନାଙ୍କୁ ବୈଠକରେ ଯୋଗଦେବା ପାଇଁ ନିମନ୍ତ୍ରଣ କରା ଯାଇଥିଲା। ବୈଠକର କାର୍ଯ୍ୟସୂଚୀ ଅନୁଯାୟୀ, ପୂର୍ବାହ୍ନ ୧୦ଟା ୩୦ରେ କମିଟି ସଦସ୍ୟ ମାନଙ୍କ ମଧ୍ୟରେ ପ୍ରାଥମିକ ଆଲୋଚନା ଏବଂ ୧୦ଟା ୪୫ରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଶକ୍ତିକରଣ ବିଭାଗର ସଚିବଙ୍କ ସହ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଥିଲା। ଏଥିରେ ୨୦୨୫-୨୦୨୬ ବର୍ଷର ତୃତୀୟ ରିପୋର୍ଟରେ କମିଟି ପକ୍ଷରୁ ଦିଆଯାଇଥିବା ପର୍ଯ୍ୟବେକ୍ଷଣ ଓ ସୁପାରିଶ ଉପରେ ବିଭାଗର କାର୍ଯ୍ୟାନୁଷ୍ଠାନ ରିପୋର୍ଟ ସହ ବିଭାଗର ସାଧାରଣ କାର୍ଯ୍ୟକଳାପ ସମୀକ୍ଷା କରାଯିବାର ବ୍ୟବସ୍ଥା ରହିଥିଲା। ସେହିପରି ପୂର୍ବାହ୍ନ ୧୧ଟା ୪୫ରେ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବଙ୍କ ସହ ଅନୁରୂପ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଥିଲା। ବୈଠକରେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା ଠିକ୍ ସମୟରେ ମିଳୁନଥିବା ଅଭିଯୋଗକୁ ଗୁରୁତ୍ୱର ସହ ଉପସ୍ଥାପନ କରିଥିଲେ। ଏହାର ଉତ୍ତରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗାମୀ ଦିନରେ ହିତାଧିକାରୀ ମାନଙ୍କୁ ନିର୍ଦ୍ଧାରିତ ସମୟରେ ଭତ୍ତା ପ୍ରଦାନ କରାଯିବା ସହ ବକେୟା ରହିଥିବା ହିତାଧିକାରୀ ମାନଙ୍କୁ ମଧ୍ୟ ଅତିଶୀଘ୍ର ଭତ୍ତା ଦିଆଯିବ ବୋଲି ସୂଚନା ଦିଆଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ବାତ୍ୟାରେ କ୍ଷତିଗ୍ରସ୍ତ ଖର୍ଷଣ୍ଡା ଗ୍ରାମର ଅଙ୍ଗନୱାଡ଼ି ଦିଦିମାନେ ସୁଭଦ୍ରା ଯୋଜନାକୁ ନେଇ ଯେଉଁ ସମସ୍ୟା ଓ ଅଭିଯୋଗ ଉଠାଇଥିଲେ, ସେହି ପ୍ରସଙ୍ଗକୁ ମଧ୍ୟ ବିଧାୟକ ଶ୍ରୀ ପାଣିଗ୍ରାହୀ ବିଭାଗୀୟ ଅଧିକାରୀଙ୍କ ନିକଟରେ ରଖିଥିଲେ। ଗଜପତି ଜିଲ୍ଲାର ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ବ୍ୟକ୍ତି ଓ ମହିଳା ମାନେ ଯେପରି ସରକାରୀ ଯୋଜନାର ସୁବିଧା ସଠିକ୍ ସମୟରେ ପାଇପାରିବେ, ସେଥିପାଇଁ ବିଧାନସଭା ସ୍ତରରେ ଏହି ପ୍ରସଙ୍ଗ ଉଠାଯିବାକୁ ଜିଲ୍ଲାବାସୀ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖୁଛନ୍ତି। ଗଣେଶ କୁମାର ରାଜୁ ପାରଳାଖେମୁଣ୍ଡି(ଗଜପତି)

You may have missed