October 31, 2026

ବିଜେପୁରରେ ଟ୍ରାନ୍ସ ମୋବିଲିଟିର ଇଭି ମୋଟର ସୋରୁମ୍ ଉଦ୍‌ଘାଟିତ

IMG-20261031-WA0001
Share

 

 

ବରପାଲି :୩୧/୧୦(ସୁଦାମ ଦୀପ)ଇନ୍ଧନ ଚାଳିତ ଯାନର ବିକଳ୍ପ ଭାବେ ଦିନକୁ ଦିନ ଇଲେକ୍ଟ୍ରିକ୍ ଯାନ ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଛି। ଏଭଳି ସମୟରେ ବିଜେପୁରବାସୀଙ୍କ ପାଇଁ ଖୁସି ଖବର। ଆଉ ଇଲେକ୍ଟ୍ରିକ୍ ବାଇକ୍ କିଣିବା ପାଇଁ ଦୂର ସହରକୁ ଯିବାକୁ ପଡ଼ିବ ନାହିଁ। ବରଗଡ଼ ଜିଲ୍ଲା ବିଜେପୁରଠାରେ ଟ୍ରାନ୍ସ ମୋବିଲିଟି ପକ୍ଷରୁ ଏକ ନୂତନ ଇଭି ମୋଟର ସୋରୁମ୍ ଉଦ୍‌ଘାଟିତ ହୋଇଛି। ଏହାଦ୍ୱାରା ବିଜେପୁର ସମେତ ଆଖପାଖ ଅଞ୍ଚଳର ଗ୍ରାହକମାନେ ନିଜ ଅଞ୍ଚଳରେ ଇଲେକ୍ଟ୍ରିକ୍ ଯାନ କିଣିବା ସହ ଆବଶ୍ୟକୀୟ ପରାମର୍ଶ ଓ ସେବା ପାଇବାର ସୁଯୋଗ ପାଇବେ।ଉଦ୍‌ଘାଟନୀ ସମାରୋହରେ ବିଜେପୁର ବ୍ଲକ୍ ଅଧ୍ୟକ୍ଷ ଜୟକୃଷ୍ଣ ଡନସେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୋରୁମ୍‌ର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଟ୍ରାନ୍ସ ମୋବିଲିଟିର ଜେନେରାଲ୍ ସେଲ୍ସ ମ୍ୟାନେଜର ଶୁଭେନ୍ଦୁ ଶେଖର ଉପସ୍ଥିତ ଥିଲେ।

ସୋରୁମ୍‌ର ମୁଖ୍ୟ ପ୍ରହଲ୍ଲାଦ ମେହେର କହିଥିଲେ ଯେ, ଗ୍ରାହକଙ୍କ ପସନ୍ଦ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଠାରେ ୧୮ ପ୍ରକାରର ଇଲେକ୍ଟ୍ରିକ୍ ମୋଟର ଯାନ ଉପଲବ୍ଧ ହେବ। ଏଥିସହ ଦୀପାବଳି ଅବସରରେ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ରିହାତିର ବ୍ୟବସ୍ଥା ମଧ୍ୟ ରହିଥିବା ସେ ସୂଚନା ଦେଇଥିଲେ।ଉଲ୍ଲେଖଯୋଗ୍ୟ ଯେ, ବିଜେପୁର ଅଞ୍ଚଳରେ ପୂର୍ବରୁ ଇଲେକ୍ଟ୍ରିକ୍ ବାଇକ୍‌ର କୌଣସି ସୋରୁମ୍ ନଥିବାରୁ ଆଗ୍ରହୀ ଗ୍ରାହକଙ୍କୁ ଏଥିପାଇଁ ଅନ୍ୟ ସ୍ଥାନ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ଏବେ ସ୍ଥାନୀୟ ଅଞ୍ଚଳରେ ସୋରୁମ୍ ଖୋଲିବା ଫଳରେ ଯାନ କିଣିବାଠାରୁ ଆରମ୍ଭ କରି ଗାଡ଼ି ସମ୍ପର୍କିତ ସୂଚନା ଓ ସେବା ପାଇବା ପର୍ଯ୍ୟନ୍ତ ଗ୍ରାହକଙ୍କୁ ସୁବିଧା ମିଳିବ। ପରିବେଶ ସୁରକ୍ଷା ସହ ଆଧୁନିକ ଯାତାୟାତ ବ୍ୟବସ୍ଥାକୁ ଆପଣାଇବା ଦିଗରେ ଏହି ନୂତନ ସୋରୁମ୍ ବିଜେପୁର ଅଞ୍ଚଳରେ ଏକ ନୂଆଅଧ୍ୟାୟ ଯୋଡ଼ିଛି।