ଚାଷୀଙ୍କ ଦୁଃଖ ବଢାଇଲା ‘ଅର୍ଣ୍ଣବ’..
ବେଗୁନିଆ ,(ଉପାନ୍ତ ଖବର ମାନସ ରଞ୍ଜନ କର)୩୦।୧୦():ବର୍ଷ ସାରା ଚାଷୀ ଆକାଶକୁ ଚାହିଁ ରହେ। କେବେ ମେଘ ଆସିବ, କେବେ ବର୍ଷା ହେବ, କେବେ ଧାନ ଗଛ ପାଚିବ ଏହି ଅପେକ୍ଷାରେ ତା’ର ବର୍ଷକ କଟେ। ଆଉ ଯେତେବେଳେ ପାଚିଲା ଧାନ ପବନରେ ଝୁଲେ, ଚାଷୀ ଭାବେ ଏବେ ଋଣ ଶୁଝିବ, ପିଲାର ଫିସ୍ ଦେବ, ଘରେ ନୂଆ ଚାଉଳ ରାନ୍ଧିବ। କିନ୍ତୁ ଏହି ସ୍ୱପ୍ନ ଉପରେ ଏବେ ଅର୍ଣ୍ଣବର କଳା ବାଦଲ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗତ ତିନି ଦିନ ଧରି ବୋଲଗଡ଼ ଆକାଶ କାନ୍ଦୁଛି। ଲଗାଣ ବର୍ଷାର ପ୍ରତି ବୁନ୍ଦା ଯେମିତି ଚାଷୀର ଛାତିରେ ଛୁଞ୍ଚି ପରି ବାଜୁଛି।ବିଲ ଆଡକୁ ଚାହିଁଲେ ହୃଦୟ ଥରି ଯାଉଛି। ଯେଉଁ ସୁନାର ଧାନ ଗଛ କାଲି ଯାଏଁ ମୁଣ୍ଡ ଟେକି ଠିଆ ହୋଇଥିଲା, ଆଜି ସେ ପବନ ଓ ବର୍ଷା ମାଡରେ ମାଟିରେ ଲୋଟି ପଡିଛି। ଅନେକ ଜାଗାରେ ପାଚିଲା ଧାନ ପାଣିରେ ବୁଡି ରହିଛି। ଏହା କେବଳ ଧାନ ନୁହେଁ, ଏହା ଚାଷୀର ବର୍ଷକର ଆଶା, ପରିବାରର ସ୍ୱପ୍ନ।ସେହିପରି ପନିପରିବା ଚାଷୀର ଦୁଃଖ ଆହୁରି ଅଧିକ। ବାଇଗଣ, ବିନ୍ସ, ଟମାଟୋ ଫୁଲରୁ ଫଳ ହେବା ବେଳେ କ୍ଷେତରେ ପାଣି ଜମି ରହିଛି। ଫୁଲ ଝଡି ଯାଉଛି, ଫଳ ପଚି ଯାଉଛି। ଯଦି ଏମିତି ଆଉ ଦୁଇ ଦିନ ପାଣି ରହେ, ଗଛ ମୂଳରୁ ପଚି ଯିବ। “ବିହନ, ସାର, ଔଷଧ, ମୂଲ ସବୁ ଋଣ କରି ଆଣିଥିଲି ଆଜ୍ଞା। ଭାବିଥିଲି ଧାନ ବିକି ଋଣ ଶୁଝିବି। ଏବେ ଧାନ ସବୁ ଶୋଇପଡିଲା। ଖର୍ଚ୍ଚ ପଇସା ଫେରିବ ତ?” – ବିଲ ମୁଣ୍ଡରେ ଠିଆ ହୋଇ ଜଣେ ବୟସ୍କ ଚାଷୀର ଆଖିରେ ଲୁହ, କଣ୍ଠରେ ଏହି ଗୋଟିଏ ପ୍ରଶ୍ନ। ଧାନ ଓ ପନିପରିବା ହିଁ ଏଠାକାର ଶହ ଶହ ପରିବାରର ଜୀବିକା। ଏହି କ୍ଷତି କେବଳ ଫସଲର ନୁହେଁ, ଏହା ସେମାନଙ୍କ ହାଣ୍ଡିର, ପିଲାର ପାଠ ପଢାର, ସମଗ୍ର ସଂସାରର କ୍ଷତି। ତେଣୁ ଚାଷୀମହଲରୁ ଦାବି ଉଠିଛି କୃଷି ବିଭାଗ ଓ ପ୍ରଶାସନ କେବଳ ଅଫିସରେ ବସି ରିପୋର୍ଟ ନ ଲେଖି, ବିଲକୁ ଓହ୍ଲାନ୍ତୁ। କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରନ୍ତୁ, ଫସଲ ବୀମା ଓ ସରକାରୀ ସହାୟତା ପାଇଁ ବାଟ ଦେଖାନ୍ତୁ। ନଚେତ୍ ଅର୍ଣ୍ଣବ ଚାଲିଯିବ, କିନ୍ତୁ ଚାଷୀ ଆଖିର ଲୁହ ରହିଯିବ।
