ଅର୍ଥାଭାବ ଓ ଦୁର୍ଘଟଣାରେ 80 ଭାଗ ଶରୀର ପୋଡି ଯିବା ପରେ ମଧ୍ୟ କିରଣମୟୀ ସଂଘର୍ଷ ମଧ୍ୟରେ ସଫଳତା
ଅର୍ଥାଭାବ ଓ ଦୁର୍ଘଟଣାରେ 80 ଭାଗ ଶରୀର ପୋଡି ଯିବା ପରେ ମଧ୍ୟ କିରଣମୟୀ ସଂଘର୍ଷ ମଧ୍ୟରେ ସଫଳତା ପାଇଲେ
ପାରଳାଖେମୁଣ୍ଡି:୩୧/୭(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ନାରୀମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି. ଅର୍ଥାଭାବ, ଦରିଦ୍ରତା ଓ ଦୁର୍ଘଟଣାରେ ଶତକଡା ୮୦ଭାଗ ଶରୀର ପୋଡି ଯାଇଥିଲେ ସୁଦ୍ଧା ପରିବାର ଓ ନିଜ ଲୋକଙ୍କ ବିନା ସହାୟତାରେ ସ୍ୱାବଲମ୍ବୀ ହୋଇ ଆଜି ସଫଳତା ପାଇ ପାରିଛନ୍ତି. ନାରୀ ବି ମଣିଷ , ପୁରୁଷ ଭଳି ତାର ବି ମାନବାଧିକାର ରହିଛି ।ଏଇ ସାଧାରଣ କଥାଟିକୁ କିନ୍ତୁ ଏଯାଏଁ ରକ୍ଷଣଶୀଳ ସମାଜ ବୁଝି ପାରିନାହିଁ।ତେଣୁ ଆଜି ମଧ୍ୟ ନାରୀମାନଙ୍କୁ ବହୁ କ୍ଷେତ୍ରରେ ବିଭିନ୍ନ କଟକଣା ଓ ବାଧା ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡୁଛି । ସଂଘର୍ଷ କରିବାକୁ ହେଉଛି ବିକାଶର ପଥରେ ଆଗକୁ ଯିବା ପାଇଁ ।ନିଜ ଅଧିକାରକୁ ଅକ୍ଷୁର୍ଣ ରଖିବା ସକାଶେ ,ଏମ୍ . କିରଣମୟୀଙ୍କ ଜୀବନ ଏଭଳି ସଂଘର୍ଷରେ ଭରା । ସମାଜରେ ସ୍ୱାବଲମ୍ବୀ ହୋଇ ସମ୍ମାନର ସହ ବଂଚିବା ପାଇଁ ସେ କୈଶୋରରୁ ଲଢେଇ କରି ଆସିଛନ୍ତି ଓ ଏବେ ବି କରୁଛନ୍ତି ।କାଶୀନଗର ବ୍ଲକ୍ ଗୋରୀବନ୍ଧା ପଂଚାୟତ ଅନ୍ତର୍ଗତ ରାଜପୁର ଗ୍ରାମରେ ସମ୍ପ୍ରତି ବସବାସ କରନ୍ତି ଏହି ମହିଳା ଜଣକ ।ଦୁଃଖଦ ତାଙ୍କ ଜୀବନ କାହାଣୀରୁ ଜଣାପଡେ ଯେ , ବିବାହ ପରେ ଦିନେ ଏକ ଦୁର୍ଘଟଣାରେ ତାଙ୍କ ଶରୀରର ୭୦ ପ୍ରତିଶତ ପୋଡି ଯାଇଥିଲା ।ପ୍ରାୟ ଲୋପ ପାଇଥିଲା ସେ ବଂଚି ରହିବାର ସମ୍ଭାବନା । ତେବେ ଦୀର୍ଘ ଦିନର ଚିକିତ୍ସା ପରେ ସେ ଚଳନକ୍ଷମ ହୋଇ ପାରିଥିଲେ । ଏହା ସୌଭାଗ୍ୟର କଥା ବୋଲି ଭାବିଲା ବେଳକୁ ତାଙ୍କୁ କିନ୍ତୁ ଅପେକ୍ଷା କରି ରହିଥିଲା ପରିବାର ଓ ଆତ୍ମୀୟ ସ୍ୱଜନ ତାଙ୍କ ଠାରୁ ଦୂରେଇ ଯିବାର ଦୁର୍ଭାଗ୍ୟ ।ସ୍ୱାମୀ ଓ ପରିବାରର ଅନ୍ୟମାନେ ତାଙ୍କ ସହ ଆଉ ନରହିବା ପାଇଁ ନିଷ୍ପତ୍ତି ନେଇଥିଲେ । ହଠାତ ଖୁବ୍ ଏକାକିନୀ ହୋଇ ଯାଇଥିଲେ କିରଣ୍ମୟୀ ।ପିତା ମାତାଙ୍କ ନିକଟକୁ ଫେରିଯିବା ଛଡା ଅନ୍ୟ କିଛି ଉପାୟ ନଥିଲା ତାଙ୍କ ନିକଟରେ ।ଶାରୀରିକ ଓ ମାନସିକ ଯନ୍ତ୍ରଣାରେ ସଢ଼ିବା ଭିତରେ ଦିନେ ସେ ଆଉ କାହା ଉପରେ ବୋଝ ନହୋଇ ଅଲଗା ନିଜ ଭାଗ୍ୟକୁ ଆଦରି ରହିବାର ନିଷ୍ପତ୍ତି ନେଇଥିଲେ ଓ ରହିଥିଲେ ବି ।୨୦୧୭ ମସିହାର ଦିନେ ଅକସ୍ମାତ ସେ ସ୍ଥାନୀୟ ଅଙ୍ଗନାବାଡ଼ି ୱାର୍କରଙ୍କ ଠାରୁ ସ୍ୱୟଂ ସହାୟକ ଗୋଷ୍ଠୀ ବିଷୟରେ ଜାଣିବାକୁ ପାଇଥିଲେ।ନିରାଶାର ଅନ୍ଧାର ହଟାଇ ଏହା ତାଙ୍କ ପାଇଁ ଅଶାର କିରଣ ଆଣି ଦେଇଥିଲା।ଗ୍ରାମର ଅନ୍ୟ ୯ ଜଣ ମହିଳାଙ୍କୁ ସାଙ୍ଗରେ ନେଇ ସେ ଗଢ଼ିଥିଲେ ଏକ ଏସ୍ଏଚଜି ଗ୍ରୁପ। ୬ ବର୍ଷର ସାଧନା ପରେ ତାଙ୍କ ସ୍ୱୟଂ ସହାୟକ ଗୋଷ୍ଠୀ ବର୍ତ୍ତମାନ Small and Micro Entrepreneurs [ S….]ମାନ୍ୟତା ପାଇଛି ।ବ୍ଲକ୍ ସ୍ତରୀୟ ଫେଡେରେସନ [ ବି ଏଲ ଏଫ ] ସଭାନେତ୍ରୀ ଭାବେ ସେ ବି ନିର୍ବାଚିତ ହୋଇଛନ୍ତି ।ତାଙ୍କ ଗ୍ରୁପ ପକ୍ଷରୁ ବର୍ତ୍ତମାନ ଫଳ ଚାଷ , ଛତୁ ଉତ୍ପାଦନ , କମ୍ପୋଷ୍ଟ ପ୍ରସ୍ତୁତି , ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଯୋଗାଣଭଳି ବହୁ କାର୍ଯ୍ୟ କରା ଯାଉଛି ।ସମ୍ପୃକ୍ତ ସମସ୍ତଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ଗ୍ରୁପ୍ ଟି ବର୍ତ୍ତମାନ ସମର୍ଥ ହୋଇ ପାରିଛି ରାଜ୍ୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ । କିରଣ୍ମୟୀ ବର୍ତ୍ତମାନ ଅନ୍ୟମାନଙ୍କ ସକାଶେ ଏକ ଉଦାହରଣ ।ପ୍ରତିକୂଳ ପରିସ୍ଥିତିରେ ହାର ନମାନି ସେ ସ୍ଵପ୍ନ ଦେଖିଛନ୍ତି , ଓ ସେ ସ୍ୱପ୍ନକୁ ବାସ୍ତବ ରୂପ ଦେବା ଲାଗି ସଂଘର୍ଷ କରି ଯେପରି ସଫଳତା ପାଇଛନ୍ତି , ତାର ଦୃଷ୍ଟାନ୍ତ ଅଲଭ୍ୟ ନହେଲେ ବି ସହଜଲଭ୍ୟ ନୁହେ l