୪୮ ବର୍ଷରେ ପାଦ ଥାପିଲା ବୁଗୁଡା ପିପୁଲ୍ସ କଲେଜ , ପ୍ରତିଷ୍ଠା ଦିବସରେ କଲେଜର ସାମଗ୍ରିକ ବିକାଶ ଉପରେ ଗୁରୁତ୍ବ , କୃତି ଛାତ୍ରଛାତ୍ରୀ ପୁରସ୍କୃତ

ବୁଗୁଡ଼ା : ତା ୩୦/୦୭/୨୫ : ସ୍ଥାନୀୟ ପିପୁଲ୍ସ କଲେଜର ୪୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କଲେଜର ସମ୍ମିଳନୀ କକ୍ଷରେ ଆଇକ୍ୟୁଏସି ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଅଧ୍ଯକ୍ଷ ଡ.ପୁରୁଷୋତ୍ତମ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ପିପୁଲ୍ସ କଲେଜର ପ୍ରତିଷ୍ଠାତା ସଦସ୍ୟ ଡାକ୍ତର ଦୟାନିଧି ରାଉତ , ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ଯକ୍ଷ ତଥା ବରିଷ୍ଠ ସାହିତ୍ୟିକ ଡ.ଶ୍ୟାମା ପ୍ରସାଦ ମିଶ୍ର , ସମ୍ମାନିତ ଅତିଥି ଭାବେ କଲେଜ ଉପାଧ୍ୟକ୍ଷ ହରିକୃଷ୍ଣ ନାୟକ ଯୋଗ ଦେଇଥିଲେ । ଗତ ୧୯୭୮ ମସିହା ଜୁଲାଇ ୩୦ ତାରିଖ ଦିନ ପ୍ରତିଷ୍ଠିତ ଉକ୍ତ କଲେଜର ପ୍ରତିଷ୍ଠାତା ସଦସ୍ୟ କାଳୀ ଚରଣ ନାୟକ,ବୀର କିଶୋର ଦାଶ, ରେବତୀ ମୋହନ ନାୟକ, ସୁଶାନ୍ତ ରାଉତ, ଗୌତ୍ତମ ଜେନା , କାଳୀ ଚରଣ ସ୍ବାଇଁ , ନବଘନ ନାୟକ , ଆଦିକନ୍ଧ ଆରୁଖ ଓ ରାମ ନାରାୟଣ ସାହୁ ପ୍ରମୁଖଙ୍କ ଅବଦାନ ସମ୍ପର୍କେ ଆଲୋଚନା କରାଯାଇଥିଲା । ଦୀର୍ଘ ୪୭ ବର୍ଷ ମଧ୍ୟରେ କଲେଜର ସାମଗ୍ରିକ ବିକାଶ ସମ୍ପର୍କେ ଆଲୋଚନା ସାଙ୍ଗକୁ ଆଦର୍ଶମୟ ଶୈକ୍ଷିକ ବାତାବରଣ ଏବଂ ପୁନଃ ନାକ୍ ମାନ୍ଯତା ହାସଲ ଦିଗରେ ସଙ୍କଳ୍ପବଦ୍ଧତା ପୂର୍ବକ ସାମୂହିକ ଅଦମ୍ୟ ଉଦ୍ଯମ ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା । ଏଥି ସହ ବୁଗୁଡା ଅଞ୍ଚଳର ଏହି ପ୍ରଥମ କଲେଜର ଅବିସ୍ମରଣୀୟ ଅତୀତ ଏବଂ ପରିକଳ୍ପିତ ଭବିଷ୍ୟତ ସମ୍ପର୍କେ ଆଲୋକପାତ କରାଯାଇଥିଲା। ଏ ଅବସରରେ କଲେଜର ବିଭିନ୍ନ ବିଭାଗରେ ସର୍ବାଧିକ ମାର୍କ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ସହିତ କ୍ରୀଡା ଓ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଧ୍ଯାପକ ଡ.ପ୍ରଦୀପ କୁମାର ଦାଶ ଅତିଥି ପରିଚୟ ପ୍ରଦାନ , ଆଇକ୍ୟୁଏସି କୋ-କୋଅର୍ଡିନେଟର ଅଧ୍ୟାପକ ଆତ୍ମ ପ୍ରକାଶ ନାୟକ ମହାବିଦ୍ୟାଳୟର ସଂକ୍ଷିପ୍ତ ବିବରଣୀ ପଠନ ଏବଂ ପରିଶେଷରେ କୋଅର୍ଡିନେଟର ଅଧ୍ଯାପକ ସୁଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
