ଫ୍ୟାକଲ୍ଟି ମେଣ୍ଟର ଡେଭେଲପମେଣ୍ଟ ପ୍ରୋଗ୍ରାମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଦୁଇ ଅଧ୍ୟାପକ
ବ୍ରହ୍ମପୁର,: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟମିତା ମନୋଭାବ, ନବସୃଜନ ଓ ଷ୍ଟାର୍ଟଅପ୍ ସଂସ୍କୃତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏକ ସ୍ୱତନ୍ତ୍ର “ଫ୍ୟାକଲ୍ଟି ମେଣ୍ଟର ଡେଭେଲପମେଣ୍ଟ ପ୍ରୋଗ୍ରାମ” (ଏଫ୍.ଏମ୍.ଡି.ପି.) ଅନୁଷ୍ଠିତ ହୋଇଯାଇଛି। ଗୁଜରାଟର ଅହମଦାବାଦସ୍ଥିତ ପ୍ରତିଷ୍ଠିତ “ଏଣ୍ଟରପ୍ରେନ୍ୟୁଅରଶିପ୍ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ” (ଇଡିଆଇଆଇ) ଠାରେ ସେପ୍ଟେମ୍ବର ୧୯ରୁ ୨୭ ତାରିଖ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ସମୁଦାୟ ୪୦ ଜଣ ଅଧ୍ୟାପକଙ୍କୁ ମନୋନୀତ କରାଯାଇଥିଲା।
ଏହି କ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ପ୍ରାଣୀବିଜ୍ଞାନ (Zoology) ବିଭାଗର ଡ. ସନ୍ଦୀପ କୁମାର ଦାଶ ଏବଂ ବାୟୋଟେକ୍ନୋଲୋଜି (Biotechnology) ବିଭାଗର ଡ. ଆଦିତ୍ୟ କୁମାର ପଣ୍ଡା ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ହୋଇ ସଫଳତାର ସହିତ ଏହି ପ୍ରଶିକ୍ଷଣ ସମାପ୍ତ କରି ଫେରିଛନ୍ତି।
ପ୍ରଶିକ୍ଷଣ କାର୍ଯ୍ୟକ୍ରମଟିକୁ ଇଡିଆଇଆଇର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ଅମିତ କୁମାର ଦ୍ୱିବେଦୀ ପରିଚାଳନା କରିଥିବା ବେଳେ ପ୍ରଶିକ୍ଷାର୍ଥୀମାନେ ଅନୁଷ୍ଠାନର ମହାନିର୍ଦ୍ଦେଶକ ଡ. ସୁନୀଲ ଶୁକ୍ଲାଙ୍କ ସହ ବୌଦ୍ଧିକ ଆଲୋଚନାର ସୁଯୋଗ ପାଇଥିଲେ। ବିଶ୍ୱବିଦ୍ୟାଳୟ ପରିସରରେ ଏଣ୍ଟରପ୍ରେନ୍ୟୁଅରଶିପ୍ ଡେଭେଲପମେଣ୍ଟ ସେଲ୍ (ଇଡିସି) ପ୍ରତିଷ୍ଠା କରିବା, ଶ୍ରେଣୀଗୃହ ଓ ଗବେଷଣାଗାରକୁ ପ୍ରାକ୍-ଇନକ୍ୟୁବେସନ ହବ୍ ଭାବେ ଗଢ଼ି ତୋଳିବା ଏବଂ ଛାତ୍ରଛାତ୍ରୀଙ୍କୁ “ଚାକିରି ଖୋଜିବା” ବଦଳରେ “ଚାକିରି ସୃଷ୍ଟି କରିବା” ଦିଗରେ ପ୍ରେରଣା ଓ ମାର୍ଗଦର୍ଶନ ଯୋଗାଇଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା।
ଉଭୟ ଅଧ୍ୟାପକ ସଫଳତାର ସହ ପ୍ରଶିକ୍ଷଣ ଶେଷ କରିଥିବାରୁ ବିଶ୍ୱବିଦ୍ୟାଳୟ କୁଳପତି, କୁଳସଚିବ, ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି।
