August 29, 2026

ପାଟପୁର କଲେଜରେ ସାଇବର କ୍ରାଇମ ଓ ନିଶାମୁକ୍ତ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ

IMG-20260829-WA0009
Share

 

 

ସାନଖେମୁଣ୍ଡି : (ବିଜୟ କୁମାର ପ୍ରଧାନ )ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର ଥାନା ପକ୍ଷରୁ ବିଶ୍ୱାସ ରାୟ ସାଇନ୍ସ କଲେଜ, ପାଟପୁର ପରିସରରେ ସାଇବର କ୍ରାଇମରୁ କିଭଳି ସୁରକ୍ଷିତ ରହିପାରିବା ଏବଂ ନିଶାମୁକ୍ତ ଓଡ଼ିଶା ସମ୍ପର୍କିତ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଅଛି।କଲେଜର ଅଧ୍ୟକ୍ଷ ଶ୍ରୀ ଅଶ୍ବିନୀ କୁମାର ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଚେତନତା ସଭାରେ ପାଟପୁର ଥାନାର ଥାନା ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଡ. କୈଳାଶ ଚନ୍ଦ୍ର ସ୍ୱାଇଁ ସଭା ପରିଚାଳନା ଓ ସଂଯୋଜନା କରିଥିଲେ।ମୁଖ୍ୟଅତିଥି ଶ୍ରୀ ବେହେରା କ୍ରମବର୍ଦ୍ଧିଷ୍ଣୁ ସାଇବର ଅପରାଧ ଏବଂ ଏହାର ନିରାକରଣ ସମ୍ପର୍କରେ ଉପସ୍ଥିତ ଛାତ୍ରୀଛାତ୍ରମାନଙ୍କୁ ସଚେତନ କରାଇଥିଲେ। ବର୍ତ୍ତମାନର କୃତ୍ରିମ ବୁଦ୍ଧିମତା ଓ ମୋବାଇଲ ଫୋନ ଯୁଗରେ ବୈଷୟିକ ଜ୍ଞାନକୌଶଳର ସତର୍କ ଓ ଦାୟିତ୍ୱପୂର୍ଣ୍ଣ ବ୍ୟବହାର ନିହାତି ଆବଶ୍ୟକ ବୋଲି ସେ କହିଥିଲେ। ସଚେତନତା ହିଁ ସାଇବର ଠକେଇ ପ୍ରତିକାରର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ବୋଲି ସେ ମତବ୍ୟକ୍ତ କରିଥିଲେ।ସଦା ସର୍ବଦା ଶକ୍ତିଶାଳୀ ପାସୱାର୍ଡ ବ୍ୟବହାର କରିବା, କୌଣସି ପରିସ୍ଥିତିରେ କାହାକୁ ଓଟିପି ନ ଦେବା, ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ଗୋପନୀୟ ତଥ୍ୟ କାହା ସହିତ ସେୟାର ନ କରିବା ଏବଂ ଅଜଣା ଫୋନ କଲ୍, ଲିଙ୍କ କିମ୍ବା ସନ୍ଦିଗ୍ଧ ମେସେଜରେ ବିଶ୍ୱାସ ନ କରିବାକୁ ସେ ପରାମର୍ଶ ଦେଇଥିଲେ।ଅନଲାଇନରେ କୌଣସି ପ୍ରକାର ଠକେଇର ଶିକାର ହେବାମାତ୍ରେ ବିଳମ୍ବ ନ କରି ତୁରନ୍ତ ସାଇବର କ୍ରାଇମ ହେଲ୍ପଲାଇନ ନମ୍ବର ୧୯୩୦ରେ ଫୋନ କରି ଅଭିଯୋଗ ଜଣାଇବାକୁ ସେ ଆହ୍ୱାନ ଦେଇଥିଲେ। ସେହିପରି ସୋସିଆଲ ମିଡିଆରେ କୌଣସି ନକଲି କିମ୍ବା ସନ୍ଦିଗ୍ଧ ପୋଷ୍ଟ ଦେଖିଲେ ତୁରନ୍ତ ପୋଲିସକୁ ଅବଗତ କରିବାକୁ କୁହାଯାଇଥିଲା।ନିଶାମୁକ୍ତ ଓଡ଼ିଶା ଅଭିଯାନ ସମ୍ପର୍କରେ ମଧ୍ୟ ଉପସ୍ଥିତ ଛାତ୍ରୀଛାତ୍ରମାନଙ୍କୁ ସଚେତନ କରାଯାଇଥିଲା। ବିଭିନ୍ନ ପ୍ରକାର ନିଶାଦ୍ରବ୍ୟର କବଳରେ ପଡ଼ି ଆଜିର ଯୁବସମାଜ ପଥଭ୍ରଷ୍ଟ ହେବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ନଷ୍ଟ ହୋଇଯାଉଥିବା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ନିଶାଦ୍ରବ୍ୟ ସେବନର କୁପରିଣାମ ଏବଂ ଏନ୍‌ଡିପିଏସ୍ ଆକ୍ଟ ଭଳି ବିଭିନ୍ନ ନିଶା ବିରୋଧୀ ଆଇନରେ ରହିଥିବା ପ୍ରାବଧାନ ସମ୍ପର୍କରେ ମଧ୍ୟ ପୋଲିସ ପକ୍ଷରୁ ସଚେତନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଶକ୍ତିଶ୍ରୀ ସଂଯୋଜିକା ଡ. ଓଁକାର ଶ୍ରୀ ପଣ୍ଡା ଏବଂ ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟ ଶ୍ରୀମତୀ ମେଡ୍ ଲିନ୍ କୁଜୁର ଯୋଗଦେଇ ସାଇବର ସୁରକ୍ଷା ଓ ନିଶାମୁକ୍ତ ସମାଜ ଗଠନରେ ଯୁବପିଢ଼ିଙ୍କ ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

ସଭାପତି ତଥା କଲେଜ ଅଧ୍ୟକ୍ଷ ଶ୍ରୀ ଅଶ୍ବିନୀ କୁମାର ରଥ ତାଙ୍କ ଅଭିଭାଷଣରେ ଛାତ୍ରୀଛାତ୍ରମାନଙ୍କୁ ଡିଜିଟାଲ ଦୁନିଆରେ ସତର୍କ ରହିବା ସହିତ ନିଶାମୁକ୍ତ, ସୁସ୍ଥ ଓ ଶୃଙ୍ଖଳିତ ଜୀବନଯାପନ କରିବାକୁ ପରାମର୍ଶ ଦେଇଥିଲେ।ସଭାର ସଂଯୋଜକ ତଥା ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଡ. କୈଳାଶ ଚନ୍ଦ୍ର ସ୍ୱାଇଁ ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟ, ମଦ୍ୟପାନ ଓ ଅନ୍ୟାନ୍ୟ କ୍ଷତିକାରକ ଅଭ୍ୟାସଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ଯୁବାବସ୍ଥା ହେଉଛି ଜୀବନ ଗଠନର ସବୁଠାରୁ ମୂଲ୍ୟବାନ ସମୟ। କ୍ଷଣିକ ଆନନ୍ଦ, ସାଙ୍ଗସାଥୀଙ୍କ ଚାପ କିମ୍ବା ଉତ୍ସୁକତାର ବଶବର୍ତ୍ତୀ ହୋଇ ନିଶା ସେବନ କଲେ ତାହା ଧୀରେ ଧୀରେ ଅଭ୍ୟାସ ଓ ନିଶାରେ ପରିଣତ ହୋଇ ବ୍ୟକ୍ତିର ସ୍ୱାସ୍ଥ୍ୟ, ଶିକ୍ଷା, ଚରିତ୍ର ଓ ଭବିଷ୍ୟତକୁ ନଷ୍ଟ କରିଦିଏ। ନିଶା କେବଳ ଜଣେ ବ୍ୟକ୍ତିଙ୍କୁ ନୁହେଁ, ତାଙ୍କ ପରିବାର ଓ ସମଗ୍ର ସମାଜକୁ ମଧ୍ୟ ପ୍ରଭାବିତ କରିଥାଏ।ଛାତ୍ରୀଛାତ୍ରମାନେ ନିଜ ଜୀବନର ଲକ୍ଷ୍ୟ ସ୍ଥିର କରି ଖେଳକୁଦ, ଯୋଗ, ସୃଜନଶୀଳ କାର୍ଯ୍ୟକଳାପ, ସାମାଜିକ ସେବା ଏବଂ ଅଧ୍ୟୟନ ପ୍ରତି ଆଗ୍ରହୀ ହେବାକୁ ସେ ଆହ୍ୱାନ ଦେଇଥିଲେ। ନିଶାମୁକ୍ତ ଯୁବପିଢ଼ି ହିଁ ସୁସ୍ଥ ପରିବାର, ସଚେତନ ସମାଜ ଏବଂ ଏକ ସଶକ୍ତ ରାଷ୍ଟ୍ର ଗଠନର ମୂଳ ଆଧାର ବୋଲି ଡ. ସ୍ୱାଇଁ ମତବ୍ୟକ୍ତ କରିଥିଲେ।ଶେଷରେ କଲେଜର ଏନ୍‌ଏସ୍‌ଏସ୍‌ ଅଧିକାରୀ ଶ୍ରୀ ସଂଜୟ କୁମାର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀ ରାଜା ସିଂ ଓ ଶ୍ରୀ ବଡୁ ରେଡ୍ଡୀ ସହଯୋଗ କରିଥିଲେ।ଏହି ସଚେତନତା କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ତଥା ବହୁ ସଂଖ୍ୟକ ଛାତ୍ରୀଛାତ୍ର ଉପସ୍ଥିତ ରହିଥିଲେ।

You may have missed