May 13, 2026

ଅବସରପ୍ରାପ୍ତ ଡାକ ବିଭାଗର କର୍ମଚାରୀ ଦୁର୍ଯ୍ୟୋଧନ ନାୟକଙ୍କ ମୃତ୍ୟୁ ପରେ ମେଡିକାଲ କଲେଜକୁ ଶରୀର ଦାନ..

IMG-20250729-WA0012
Share

 

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ୍ ଅନ୍ତର୍ଗତ ମାଣିକ୍ୟପୁର ଗ୍ରାମର ଅବସରପ୍ରାପ୍ତ ଡାକ ବିଭାଗର କର୍ମଚାରୀ ଦୁର୍ଯ୍ୟୋଧନ ନାୟକଙ୍କ ଗତକାଲି ସନ୍ଧ୍ୟାରେ ୭୮ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କ ପାଖରେ ପୁଅ, ଝିଅ, ବୋହୁ ଓ ନାତି ନାତୁଣୀମାନେ ଉପସ୍ଥିତ ଥିଲେ । ଦୀର୍ଘ ବର୍ଷ ଧରି ନିଜ ଅଞ୍ଚଳରେ ଡାକସେବା କରିଥିବା ଦୁର୍ଯୋଧନ ନାୟକ ମୃତ୍ୟୁ ପରେ ନିଜର ଶରୀର ଦାନ କରି ସମାଜର କାମରେ ଲାଗିବାକୁ ଜୀବିତ ଥିବା ସମୟରେ ଇଛା ପ୍ରକାଶ କରିଥିଲେ । ତାଙ୍କର ଇଛାକୁ ସମ୍ମାନ ଜଣାଇ ତାଙ୍କର ପରିବାର ବର୍ଗ ଗତକାଲି ରାତିରେ ତାଙ୍କର ମୃତ୍ୟୁ ପରେ ମରଶରୀରକୁ ନିଜ ଗାଁରୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜର ଆନାଟୋମୀ ବିଭାଗକୁ ଆଣିଥିଲେ । ପ୍ରଥମେ ଚକ୍ଷୁ ବିଭାଗର ଡାକ୍ତରମାନଙ୍କ ଦ୍ଵାରା ତାଙ୍କର ଚକ୍ଷୁଦାନ କରାଯିବା ପରେ ମୃତ ଶରୀରକୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ତଥା ଭେଷଜ ଗବେଷଣା ପାଇଁ ପ୍ରଦାନ କରାଯାଇଥିଲା । ଆନାଟୋମୀ ବିଭାଗ ପକ୍ଷରୁ ପ୍ରଫେସର ରାଜଲକ୍ଷ୍ମୀ ପଣ୍ଡା ମରଶରୀରକୁ ଗ୍ରହଣ କରି ପ୍ରାପ୍ତି ସ୍ଵୀକାରର ସାର୍ଟିଫିକେଟ ପ୍ରଦାନ କରିଥିଲେ । ଏମକେସିଜି ମେଡିକାଲ କଲେଜରେ ଗତ ୨୦୧୩ ମସିହାରୁ ଆରମ୍ଭ ହୋଇଥିବା ଏହି ଶରୀରଦାନ ଅଭିଯାନରେ ଏହା ୩୦ ତମ ଦାନ ଅଟେ । ରାଜ୍ୟରେ ସବୁଠାରୁ ଅଧିକ ଶରୀରଦାନ କରାଇ ବ୍ରହ୍ମପୁର ଓ ଏମକେସିଜି ମେଡିକାଲ କଲେଜ ଏ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିପାରିଛନ୍ତି । ନିଜର ଆବଶ୍ୟକତା ପୂରଣ ହେବା ସହ ରାଜ୍ୟର ଅନ୍ୟ ମେଡିକାଲ କଲେଜକୁ ବି ମରଶରୀର ଦେବାରେ ସକ୍ଷମ ହୋଇପାରିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରତି ଦଶ ଜଣ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ଗୋଟିଏ ମରଶରୀର ଦରକାର ପଡ଼ୁଥିବା ବେଳେ ବର୍ତ୍ତମାନ ବହୁତ କମ୍ ମରଶରୀର ଉପଲବ୍ଧ ହେଉଛି ।

 

ଶରୀରଦାନ ସମୟରେ ମୃତ ଦୁର୍ଯ୍ୟୋଧନ ନାୟକଙ୍କ ପୁଅ ତଥା ଅଖିଳ ଭାରତ କିଶାନ୍ ମଜଦୂର ସଭାର ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ସଗଠନର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ମାନବବାଦୀ ହେତୁବାଦୀ ସଗଠନର ଜିଲ୍ଲା ସମ୍ପାଦକ କେ ନାନ୍ଦେଶୁ ସେନାପତି, ଲେଖିକା ଡଃ ବିଧୂପ୍ରଭା ରଥ, କିଶୋର ମିଶ୍ର, ଶିକ୍ଷାବିତ ଶ୍ୟାମସୁନ୍ଦର ଖାଡଙ୍ଗା, ଆଇଏଫଟିୟୁ ସଭାପତି ତଥା କର୍ମଚାରୀ ନେତା ପ୍ରତାପ ପ୍ରଧାନ, ସାମାଜିକ କର୍ମୀ ଆଦିତ୍ୟ ରଥ, ବାସବରାଜୁ, ଜାମୁଲା ସୁରେଶ, ଯୁବନେତା ଧରମବୀର, ଉଲ୍ଲା ନାୟକ, ଛାତ୍ରନେତା କାହ୍ନୁ ପ୍ରଧାନ, ପ୍ରଦୀପ ପ୍ରଧାନ, ଫ୍ରେଣ୍ଡସ୍ ହେଲପିଙ୍ଗ୍ କ୍ଳବର ସଭାପତି ସତ୍ୟକାମ ପାତ୍ର, ଉପ ସଭାପତି ପି . ଶ୍ରୀନିବାସ ରାଓ, ପି କିରଣ କୁମାର, କେ ପୁରୁଷୋତ୍ତମ ସୁବୁଦ୍ଧି, ମେଡିକାଲ ସିକ୍ୟୁରିଟୀ କର୍ମଚାରୀ ୟୁନିଅନର ନେତୃତ୍ୱ ତଥା ପରିବାରର ଅନେକ ସଦସ୍ୟ ଯୋଗ ଦେଇଥିଲେ ।