କୁଲୁଣ୍ଡାରେ ନିଶା ନିବାରଣ ଶୋଭାଯାତ୍ରା..
*ବରଗଡ, ୨୮/.୧୧ (ସୁରେନ୍ଦ୍ର କଠାର):* ଆଜି ୨୮.୧୧.୨୬ ତାରିଖ ଶନିବାର ଦିନ ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ଓ କୁଲୁଣ୍ଡା ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ନିଶା ନିବାରଣ ସଚେତନତା ପାଇଁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏଥିରେ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ ପରିଚାଳନା ସଭ୍ୟ, ସଭ୍ୟା ଯଥା ସଭାପତି ପ୍ରମୋଦ ରଥ, ବିଧାୟକ ପ୍ରତିନିଧି ମକରଧ୍ୱଜ ପ୍ରଧାନ, ପ୍ରଧାନ ଶିକ୍ଷକ ଯାଦବ ପ୍ରଧାନ, ସଚ୍ଚିଦାନନ୍ଦ ପୂଜାରୀ, ଇକୋ କ୍ଲବ ଇନ୍ଚାର୍ଜ ପୁରନ୍ଦର ପ୍ରଧାନ, ସୁବାଷ ରଣା, ଅଶୋକ ଭୋଇ, ଅନିଲ ସାହୁ, ସୁଶିଲ ଦାସ, ରବିନାରାୟଣ ପ୍ରଧାନ, ଲୋକନାଥ ସାହୁ ଓ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୃପରାଜ ଭୋଇ, ଡୋଳାମଣି ନାୟକ, ମାନସ ସାହୁ, ଓ ପରିଚାଳନା କମିଟିର ସଭ୍ୟ, ସଭ୍ୟା ତଥା ସମସ୍ତ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ଗ୍ରାମ ପରିକ୍ରମା କରିଥିଲେ।ଶୋଭାଯାତ୍ରା ବିଦ୍ୟାଳୟ ପରିସରରୁ ବାହାରି ଗ୍ରାମର ବିଭିନ୍ନ ସାହି ବୁଲିଥିଲା। ଛାତ୍ରଛାତ୍ରୀମାନେ ହାତରେ ପ୍ଲାକାର୍ଡ ଧରି *”ନିଶା ଛାଡ଼, ଜୀବନ ବଞ୍ଚା”, “ମଦ-ଗୁଟ୍ଖା ଛାଡ଼, ସୁସ୍ଥ ରୁହ”, “ନିଶା ମୁକ୍ତ ଗାଁ ଗଢ଼ିବା”* ଭଳି ସ୍ଲୋଗାନ ଦେଇ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ।ସଭାପତି ପ୍ରମୋଦ ରଥ କହିଲେ, ନିଶା ଆଜି ସମାଜକୁ ଧ୍ୱଂସ କରୁଛି। ଯୁବପିଢ଼ି ନିଶା ଆଡ଼କୁ ଢଳିଲେ ଗାଁ, ପରିବାର ସବୁ ଉଜୁଡ଼ି ଯିବ। ତେଣୁ ପିଲାଦିନରୁ ହିଁ ନିଶା ବିରୋଧରେ ସଚେତନ ହେବା ଦରକାର।ପ୍ରଧାନ ଶିକ୍ଷକ ଯାଦବ ପ୍ରଧାନ କହିଲେ, ନିଶା କେବଳ ଶରୀର ନୁହେଁ, ମନ ଓ ଭବିଷ୍ୟତକୁ ମଧ୍ୟ ନଷ୍ଟ କରେ। ପାଠ ପଢ଼ି ଭଲ ମଣିଷ ହେବାକୁ ହେଲେ ନିଶାଠାରୁ ଦୂରେଇ ରହିବାକୁ ପଡ଼ିବ। ପିଲାମାନେ ନିଜେ ସଚେତନ ହେବା ସହ ନିଜ ଘର ଓ ଗାଁକୁ ମଧ୍ୟ ସଚେତନ କରାଇବେ।ବିଧାୟକ ପ୍ରତିନିଧି ମକରଧ୍ୱଜ ପ୍ରଧାନ କହିଲେ, ନିଶା ମୁକ୍ତ ସମାଜ ଗଢ଼ିବା ପାଇଁ ସମସ୍ତଙ୍କ ସହଯୋଗ ଦରକାର। ଏଥିରେ ବିଦ୍ୟାଳୟର ଏହି ପ୍ରୟାସ ପ୍ରଶଂସନୀୟ।ଗ୍ରାମବାସୀମାନେ ମଧ୍ୟ ଶୋଭାଯାତ୍ରାକୁ ସ୍ୱାଗତ କରି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ସମସ୍ତେ ନିଶାଠାରୁ ଦୂରେଇ ରହିବା ଓ ଅନ୍ୟମାନଙ୍କୁ ସଚେତନ କରାଇବା ପାଇଁ ଶପଥ ନେଇଥିଲେ।
