କୁନ୍ଦୁରାରେ ଜିଲ୍ଲା ସ୍ତରୀୟ ପରବ ଶୁଭାରମ୍ଭ ପାଇଁ ଜିଲ୍ଲପାଳଙ୍କ ଉଦ୍ଦେଶ୍ୟରେ ବି ଡି ଓ ଙ୍କୁ ଦାବିପତ୍ର

ତା ୨୮/୧୦ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକରେ ଜିଲ୍ଲା ସ୍ତରୀୟ ପରବର ଶୁଭାରମ୍ଭ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବି ଡି ଓ ପି.ମନସ୍ମିତାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ବ୍ଲକର ସରପଞ୍ଚ ସମିତି ସଭ୍ୟସଭ୍ୟାଙ୍କ ସମେତ ବିଭିନ୍ନ କଳାକାର ସଂଘ ର କର୍ମକର୍ତ୍ତା ଓ ବୁଦ୍ଧିଜୀବୀ l କଳା ଓ ସଂସ୍କୃତି କୁ ବଞ୍ଚାଇ ରଖିବା ପାଇଁ ୧୯୯୬ ମସିହା ଠାରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଇଛି ଏ ପଦକ୍ଷେପ l ପ୍ରତି ବର୍ଷ ପଞ୍ଚାୟତ ଓ ବ୍ଲକ ସ୍ତରରେ ଏହା ପାଳନ ହୋଇ ଆସୁଛି l କୋରାପୁଟ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଏକାଧିକ ଥର ଜିଲ୍ଲା ସ୍ତରୀୟ ପରବର ଶୁଭାରମ୍ଭ ହୋଇଛି ସେଠାରୁ ସମସ୍ତ ବ୍ଲକ ମଶାଲ ନେଇ ପଞ୍ଚାୟତ ଓ ବ୍ଲକ ସ୍ତରୀୟ ପରବ ପାଳନ କରିଥାନ୍ତି l ଏ ଭିତରେ ପ୍ରାୟ ୨୯ ବର୍ଷ ବିତିଗଲାଣି କିନ୍ତୁ କୁନ୍ଦୁରା ବ୍ଲକରେ ଥରେ ବି ଜିଲ୍ଲା ସ୍ତରୀୟ ପରବ ଶୁଭାରମ୍ଭ ହୋଇନାହିଁ I ଏ ନେଇ ବ୍ଲକ ପ୍ରଶାସନ ମାଧ୍ୟମରେ ଜିଲ୍ଲା ପ୍ରଶାସନକୁ ବହୁବାର ଲିଖିତ ଅଭିଯୋଗ କରାଯାଇଛି ତଥାପି ଏ ଦିଗରେ ପଦକ୍ଷେପ ନିଆଯାଉ ନାହିଁ l କୁନ୍ଦୁରା ବ୍ଲକରେ ବହୁ ସ୍ଥାନରେ ରାଜା ରାଜୁଡ଼ା ଅମଳରୁ ପୂଜା ପାଉଥିବା ଦେବାଦେବୀ ପୀଠ ରହିଛି,ଗତ ବର୍ଷ କୁନ୍ଦୁରା ବ୍ଲକରେ ଶୁଭାରମ୍ଭ ପାଇଁ ଦାବୀ ହୋଇଥଲା ଏହି ବର୍ଷ (୨୦୨୫) ରେ କରାଯିବା ନେଇ ଜିଲ୍ଲା ପ୍ରଶାସନରୁ ପ୍ରତିଶୃତି ମିଳିଥିଲା I କିନ୍ତୁ ଚଳିତ ବର୍ଷ ଲକ୍ଷ୍ମୀପୁର ବ୍ଲକରେ ଶୁଭାରମ୍ଭ ହେବାନେଇ ନିଷ୍ପତ୍ତି ହୋଇଛି ତେବେ କାହିଁକି କୁନ୍ଦୁରା ବ୍ଲକକୁ ଅଣଦେଖା କରାଯାଉଛି l କୋରାପୁଟ ଜିଲ୍ଲା ମାନଚିତ୍ରରେ କୁନ୍ଦୁରା ବ୍ଲକ ନାହିଁ କି ? କୁନ୍ଦୁରା ବ୍ଲକର ଏହି ଦାବୀ ଅନୁସାରେ ଚଳିତ ବର୍ଷର ପରବକୁ କୁନ୍ଦୁରା ବ୍ଲକରୁ ଶୁଭାରମ୍ଭ କରିବାକୁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି l ବ୍ଲକ ବାସୀଙ୍କ ଏହି ଅନୁରୋଧ ଓ ଦାବୀକୁ ଅଣଦେଖା କରାଯାଏ ତେବେ ବ୍ଲକ ପରବକୁ ବର୍ଜନ କରାଯିବ କୌଣସି କଳା,ସଂସ୍କୃତି ପ୍ରଦର୍ଶନ କରାଯିବ ନାହିଁ l ପରବ ଶେଷ ହେବା ପର୍ଯ୍ୟନ୍ତ କୌଣସି ସରକାରୀ କାର୍ଯ୍ୟରେ ବ୍ଲକ ବାସୀଙ୍କ ସହଯୋଗ ରହିବ ନାହିଁ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି l ଏ ନେଇ ବି ଡି ଓ ପି.ମନସ୍ମିତା କହିଛନ୍ତି ଜିଲ୍ଲା ସ୍ତରୀୟ ପରବ ପ୍ରସ୍ତୁତି ବୈଠକ କିମ୍ବା ପୂର୍ବରୁ କୁନ୍ଦୁରା ବ୍ଲକରେ ପରବ ଶୁଭାରମ୍ଭ ନେଇ ହୋଇଥିବା ଦାବୀ ବିଷୟରେ ସେ ଅବଗତ ନାହାନ୍ତି l ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରେରଣ କରି ସେ ବିଷୟରେ ଆଲୋଚନା କରିବେ ବୋଲି କହିଛନ୍ତି l ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ ଏବଂ ଜିଲ୍ଲା ପରିଷଦ ସଭ୍ଯା କନକଲତା ପେଣ୍ଠିଆ ଏ ନେଇ କ୍ଷୋଭ ପ୍ରକାଶ କରି କହିଛନ୍ତି ସେମାନେ ଜିଲ୍ଲା ପରିଷଦର ସଭ୍ଯ ହୋଇ ବି ପ୍ରସ୍ତୁତି ବୈଠକ ବିଷୟରେ ଅବଗତ ନାହାନ୍ତି l ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥିଲେ ଦାବୀ ଉଠାଇପାରି ଥାନ୍ତେ l ପୂର୍ବରୁ ସେମାନଙ୍କୁ ଅବଗତ କରାଯାଉଥିଲା କିନ୍ତୁ ବର୍ତ୍ତମାନ ସୂଚନା ଦିଆଯାଉ ନାହିଁ ଏହା ବହୁ ପରିତାପର ବିଷୟ ବୋଲି କହିଛନ୍ତି l ଦାବିପତ୍ର ପ୍ରଦାନ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ବ୍ଲକ ଅଧ୍ୟକ୍ଷ ତରୁଣୀ ସେନ ବିଶୋୟୀ,ସହିଦ ଲକ୍ଷ୍ମଣ ନାୟକ ମୂଳ ଅଧିବାସୀ ସଂଘ ସମ୍ପାଦକ ତ୍ରିନାଥ ସମରଥ,ବରିଷ୍ଠ ଉପ ସଭାପତି ଚନ୍ଦ୍ର ସଗରିଆ,କାର୍ଯ୍ୟକାରୀ ସଭାପତି ଭଜମନ ସାନ୍ତା,ବ୍ଲକ କଳା ସଂସ୍କୃତି ବିକାଶ ପରିଷଦ ଉପ ସଭାପତି ଭୀମ ନାୟକ,ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା, ବିଧାୟକ ପ୍ରତିନିଧି ବଦ୍ରୀ ନାରାୟଣ ଆଚାର୍ଯ୍ୟ, କଳାକାର ସଙ୍ଘ ଏବଂ ମୂଳ ଅଧିବାସୀ ସଙ୍ଘର କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ବୁଦ୍ଧିଜିବୀ ପ୍ରମୁଖ ଉପସ୍ଥିତ ଥିଲେ l
କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା
