କଳାପଥର ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମାରୋହ
ଉଲୁଣ୍ଡା , ୨୮/୦୮ : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଳାପଥର ସ୍ଥିତ ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଭବ୍ୟ ପ୍ରବେଶ ଓ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ଆୟୋଜନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା ।
ଅନୁଷ୍ଠାନର ଅଧ୍ୟକ୍ଷା ଡ. ସରସ୍ୱତୀ ଦାଶ ଏହି ଉତ୍ସବରେ ସଭାପତିତ୍ୱ କରିଥିଲେ। ନିଜ ବକ୍ତବ୍ୟରେ ସେ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ଅନୁଷ୍ଠାନକୁ ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ସର୍ବୋତ୍ତମ ସ୍ତରରେ ପହଞ୍ଚାଇବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଦୃଢ଼ ପ୍ରତିଶ୍ରୁତି ବ୍ୟକ୍ତ କରିଥିଲେ।
ଅଧ୍ୟାପକମାନଙ୍କ ମାର୍ଗଦର୍ଶନ
କାର୍ଯ୍ୟକ୍ରମରେ ଉପସ୍ଥିତ ଅଧ୍ୟାପକ ଓ ଅଧ୍ୟାପିକାମାନେ ନୂତନ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ନିମନ୍ତେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ।
ସଂସ୍କୃତ ଅଧ୍ୟାପକ ସୁଧାଂଶୁ ଶେଖର ପଧାନ ଶିକ୍ଷାର୍ଥୀ ଜୀବନରେ ଶୃଙ୍ଖଳାର ମହତ୍ତ୍ୱ ବୁଝାଇଥିଲେ।
ଓଡ଼ିଆ ଅଧ୍ୟାପକ ରାମ ପଧାନ ଉପଯୁକ୍ତ ନୈତିକ ମୂଲ୍ୟବୋଧ ଓ ଚରିତ୍ର ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ।
ଶିକ୍ଷା ବିଭାଗ ଅଧ୍ୟାପକ କିଶୋର କୁମାର ସାହୁ ପରୀକ୍ଷା ପରିଚାଳନା ଓ ସଫଳତାର ରଣନୀତି ସମ୍ପର୍କରେ ଧାରଣା ଦେଇଥିଲେ।
ଇଂରାଜୀ ଅଧ୍ୟାପିକା ପ୍ରତିମା ବାରିକ ସୁରକ୍ଷିତ ଶୈକ୍ଷିକ ପରିବେଶ ଓ ଆଣ୍ଟି-ରାଗିଂ ନିୟମାବଳୀ ଉପରେ ସଚେତନ କରିଥିଲେ ।
IT ବିଭାଗ ଅଧ୍ୟାପକ ଶଶାଙ୍କ ଶେଖର ସୁଆର ସରକାରୀ ଛାତ୍ରବୃତ୍ତି ଏବଂ e-book ବ୍ୟବହାରର ଉପକାରିତା ବିଷୟରେ ବୁଝାଇଥିଲେ।
ଦ୍ୱିତୀୟ ବର୍ଷର ଛାତ୍ରୀ ବୀଣାପାଣି ମେହେର ଓ ସୁନେଲିକ ପଧାନ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ପରେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରତିଭା ମେନ୍ଦେଲି, ଚନ୍ଦ୍ରମା ଖୁରା ଓ ପ୍ରଣତି ପଧାନ ପରିଚାଳନା କରିଥିଲେ। ଛାତ୍ର ଉତ୍ତମ ମେହେର, ବାବୁଲୁ ସେଠୀ, ଆଶିଷ ମେହେର ଓ କ୍ରିସମାନ ପଧାନ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।
ଲୋକେଶ ପଧାନ, ବିଷ୍ଣୁ ପ୍ରସାଦ ବେହେରା ଓ ଧନଞ୍ଜୟ ମହାକୁର ସମଗ୍ର କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପାଦନ କରିବାରେ ସହଯୋଗ କରିଥିଲେ । ଶେଷରେ ଛାତ୍ରୀ ସୁନି ମେହେର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
