August 29, 2026

ଉଦେପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୋଗ, ପରିବେଶ ଓ ବିଦ୍ୟୁତ୍ ଶକ୍ତି ସଂରକ୍ଷଣ ସଚେତନତା ସହ ଶପଥ ପାଠ

IMG-20260829-WA0084
Share

 

 

ଉଲୁଣ୍ଡା, ୨୯/୮ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଉଦେପଦର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘ଦୟା ସରାବନି ଯୋଗ ଟ୍ରଷ୍ଟ’ ପକ୍ଷରୁ ଆଜି ଯୋଗ, ପରିବେଶ ସୁରକ୍ଷା ଓ ବିଦ୍ୟୁତ୍ ଶକ୍ତି ସଂରକ୍ଷଣ ଉପରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ସହ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ଅନିରୁଦ୍ଧ କୁରୁକୁରିଆଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଯୋଗ, ସୁସ୍ଥ ଜୀବନଶୈଳୀ, ପରିବେଶ ସୁରକ୍ଷା ଓ ବିଦ୍ୟୁତ୍ ଶକ୍ତିର ସୁଚିନ୍ତିତ ବ୍ୟବହାର ସମ୍ପର୍କରେ ସଚେତନ କରାଯାଇଥିଲା।ବରିଷ୍ଠ ଶିକ୍ଷକ ବଳିଧ୍ୱାଂଶି ପାଣିଗ୍ରାହୀ ନିଜ ବକ୍ତବ୍ୟରେ ବର୍ତ୍ତମାନ ସମୟରେ ପରିବେଶର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, ସୁସ୍ଥ ଜୀବନ ପାଇଁ ସୁସ୍ଥ ପରିବେଶ ଅତ୍ୟନ୍ତ ଆବଶ୍ୟକ। ପରିବେଶ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କର ନୈତିକ ଦାୟିତ୍ୱ ବୋଲି ସେ ମତବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମରେ ଦିଲ୍ଲୀପ କୁମାର ପୂଜାହାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଦୟା ସରାବନି ଯୋଗ ଟ୍ରଷ୍ଟର ସମ୍ପାଦକ ଡ. ହୃଷୀକେଶ ଦେହେରୀ ଉପସ୍ଥିତ ରହି ଯୋଗର ଲକ୍ଷ୍ୟ, ଆବଶ୍ୟକତା ଓ ଉପକାରିତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ସେ କହିଥିଲେ। ଯେ, ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ; ଏହା ଶରୀର, ମନ ଓ ଆତ୍ମା ମଧ୍ୟରେ ସମନ୍ୱୟ ସ୍ଥାପନ କରି ସୁସ୍ଥ ଓ ସନ୍ତୁଳିତ ଜୀବନଯାପନର ଏକ ଉତ୍ତମ ମାର୍ଗ। ଛାତ୍ରଜୀବନରୁ ଯୋଗ, ପ୍ରାଣାୟାମ ଓ ଧ୍ୟାନକୁ ଦୈନନ୍ଦିନ ଜୀବନର ଅଂଶ କରିପାରିଲେ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି, ଏକାଗ୍ରତା ଓ ଶୃଙ୍ଖଳିତ ଜୀବନଶୈଳୀ ବିକଶିତ ହୋଇପାରିବ ବୋଲି ସେ ମତ ଦେଇଥିଲେ।ସେ ଆହୁରି କହିଥିଲେ ଯେ, ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ ଯୋଗ ସହିତ ସନ୍ତୁଳିତ ଖାଦ୍ୟ, ଶୁଦ୍ଧ ବାୟୁ, ପରିଷ୍କାର ପାଣି ଓ ସୁସ୍ଥ ପରିବେଶ ଅପରିହାର୍ଯ୍ୟ। ତେଣୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସହ ପରିବେଶ ସୁରକ୍ଷା ଓ ପ୍ରାକୃତିକ ସମ୍ପଦର ସଂରକ୍ଷଣ ପ୍ରତି ପ୍ରତ୍ୟେକ ଛାତ୍ରଛାତ୍ରୀ ଦାୟିତ୍ୱବାନ ହେବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ।

ବିଦ୍ୟୁତ୍ ଶକ୍ତିର ଅପବ୍ୟବହାର ରୋକିବା, ଆବଶ୍ୟକତା ନଥିବା ସମୟରେ ପଙ୍ଖା, ଲାଇଟ୍‌ ଓ ଅନ୍ୟାନ୍ୟ ବିଦ୍ୟୁତ୍ ଉପକରଣ ବନ୍ଦ କରିବା ସହ ଶକ୍ତି ସଂରକ୍ଷଣକୁ ଦୈନନ୍ଦିନ ଜୀବନର ଅଭ୍ୟାସରେ ପରିଣତ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରାଯାଇଥିଲା।ଏହି ଅବସରରେ ଆୟୋଜିତ କୁଇଜ୍ ପ୍ରତିଯୋଗିତାରେ ଉତ୍ତରା ଗଣିକ୍ ପ୍ରଥମ, ସ୍ୱାଗତିକା ସାହୁ ଦ୍ୱିତୀୟ ଏବଂ ରୂପାଲି ଭୋଇ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଦ୍ୟାଳୟର ଶିଶୁ ସେବିକା ନମିତା ରଣା କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।

ଶେଷରେ JRC ପରାମର୍ଶଦାତା ଜଗଦୀଶ ଦାସ ଉପସ୍ଥିତ ଅତିଥି, ପ୍ରଧାନ ଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଛାତ୍ରଛାତ୍ରୀମାନେ ନିୟମିତ ଯୋଗ ଅଭ୍ୟାସ କରିବା, ପରିବେଶର ସୁରକ୍ଷା କରିବା ଏବଂ ବିଦ୍ୟୁତ୍ ଶକ୍ତିର ଅପଚୟ ରୋକିବା ସହ ଏହି ସଚେତନତାକୁ ନିଜ ଦୈନନ୍ଦିନ ଜୀବନରେ ପାଳନ କରିବା ପାଇଁ ଶପଥ ପାଠ କରିଥିଲେ।