ରଥଯାତ୍ରାରେ ସାମ୍ୱାଦିକଙ୍କୁ ପୋଲିସ୍ ମାଡ ଘଟଣାରେ ବିଜେଡିର ଦୃଢ଼ ନିନ୍ଦା

ସାମ୍ୱାଦିକଙ୍କୁ ପୁରୀ ନିମନ୍ତ୍ରଣ କରି ପୋଲିସ୍ ଦ୍ୱାରା ମାଡ ଖୁଆଇଲେ ସରକାର
କର୍ଡନ ପାସ୍ ଥାଇ ଛାଡିଲାନି ପୋଲିସ୍
ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରନ୍ତୁ
ଭୁବନେଶ୍ଵର ( ଦେବାଶିଷ ଦାଶ )
ପବିତ୍ର ରଥଯାତ୍ରାରେ ରାଜ୍ୟ ସରକାର କାର୍ଯ୍ୟରତ ସାମ୍ୱାଦିକମାନଙ୍କୁ ପୁରୀ ନିମନ୍ତ୍ରଣ କରି ପୋଲିସ ଦ୍ୱାରା ଆକ୍ରମଣ ଘଟଣାକୁ ବିଜେଡି ଦୃଢ଼
ନିନ୍ଦା କରୁଛି।
ଆଜି ଏକ ପ୍ରେସ ବିବୃତ୍ତିରେ ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ୍ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ, କାର୍ଯ୍ୟରତ ସ୍ୱୀକୃତିପ୍ରାପ୍ତ ସାମ୍ୱାଦିକମାନଙ୍କୁ ଭୁବନେଶ୍ୱରର ଜୟଦେବ ଭବନ ନିକଟରୁ ଏକ ସ୍ୱତନ୍ତ୍ର ବସ୍ ରେ ପୁରୀ ନେଇଥିଲେ। ସେଠାରେ ପହଞ୍ଚିଲା ପରେ କର୍ଡନ ପାସ୍ ଓ ପରିଚୟପତ୍ର ଦେଖାଇଲେ ମଧ୍ୟ ପୋଲିସ ସେମାନଙ୍କୁ ଖବର ସଂଗ୍ରହ କରିବାକୁ ଦେଇନଥିଲା। ଓଲଟି ପୋଲିସର ଦୃର୍ବ୍ୟବହାର ଓ ମାଡରେ ଅନେକ ବରିଷ୍ଠ ସାମ୍ୱାଦିକ ଗୁରୁତର ଆହତ ହୋଇଥିଲେ। ବରିଷ୍ଠ ସାମ୍ୱାଦିକ ରମେଶ ମହାନ୍ତି ଗୁରୁତର ଆହତ ହୋଇଥିଲା ବେଳେ, ପ୍ରଭୁ କଲ୍ୟାଣ ମହାପାତ୍ର, ପ୍ରଦୁ୍ୟମ୍ନ କୁମାର ମହାନ୍ତି,
ସନତ ମିଶ୍ର ଓ ହରପ୍ରସାଦ ଦାସଙ୍କ ଛାତିରେ ଆଘାତ ଲାଗିଥିଲା । ମହିଳା ସାମ୍ୱାଦିକା ବିଜୟିତା ତ୍ରିପାଠୀଙ୍କ ହାତରେ ବଡ କ୍ଷତ ହୋଇ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏମାନଙ୍କ ଛଡା ବହୁ ସାମ୍ୱାଦିକ ମଧ୍ୟ ପୋଲିସ ମାଡରେ ଆହତ ହୋଇ ନିଜ ଦାୟିତ୍ୱ ସମ୍ପାଦନ କରିପାରିନାହାଁନ୍ତି।
ଶ୍ରୀ ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ ବର୍ଷ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ପବିତ୍ର ରଥଯାତ୍ରାର ଖବର ପ୍ରସାରଣ ପାଇଁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଏ।
କିନ୍ତୁ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଅପାରଗତା ଲାଗି ଶ୍ରୀକ୍ଷେତ୍ରରେ ସାମ୍ୱାଦିକମାନେ ପୋଲିସ ଠାରୁ ମାଡ ଖାଇଲେ । ଗଣତନ୍ତ୍ରର ୪ର୍ଥ ସ୍ତମ୍ବ ଉପରେ ଏଭଳି ପୋଲିସର ଅମାନବୀୟ ଆଚରଣକୁ ବିଜେଡି ଦୃଢ଼ ନିନ୍ଦା କରୁଛି। ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ପବିତ୍ର ରଥଯାତ୍ରାରେ ବିଭ୍ରାଟ ପାଇଁ ଦାୟୀ ଅଧିକାରୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ
କରନ୍ତୁ।
