March 13, 2026

ଘରୋଇ ହିଂସା ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ପରିବାର ସଦସ୍ୟ..

IMG-20240628-WA0032
Share

ଛତ୍ରପୁର -28/6/24(ଅରୁଣ କୁମାର ପଣ୍ଡା )ଗଞ୍ଜାମ ଥାନା ଅନ୍ତର୍ଗତ କରଣ ସାହିର ତନ୍ମୟୀ ପଣ୍ଡା ତଥା ତାଙ୍କ ତିନି ପିଲାଙ୍କୁ ଅତ୍ୟାଚାର କରି ମାଡ଼ ମାରି ଲହୁଲୁହାଣ କରିବା ଓ ଜୀବନରେ ମାରିବାକୁ ଧମକ ଦେବା ମାମଲାର ଶୁଣାଣି କରି ଆଜି ଛତ୍ରପୁର ଏସଡ଼ିଜେଏମ୍ ଶ୍ରୀ ପ୍ରୀତିଶ କୁମାର ରଥ ଅଭିଯୁକ୍ତ ଗଞ୍ଜାମ କରଣ ସାହିର କୁମୁଦ ଚନ୍ଦ୍ର ପଟ୍ଟନାୟକ (ସ୍ୱାମୀ), ମନୋରମା ପଟ୍ଟନାୟକ (ଶାଶୁ), ଟୁକୁନା ପଟ୍ଟନାୟକ (ଦିଅର), ପ୍ରଭାତ ପଟ୍ଟନାୟକ (ଦିଅର) ଓ ନିହାରିକା ପଟ୍ଟନାୟକ(ଯାଆ)ଙ୍କୁ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୨୩ରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଓ ପ୍ରୋବେଶନ ଅଫ ଅଫେଣ୍ଡର୍ସ ଆକ୍ଟର ଧାରା ୩ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପୂର୍ବକ କଠୋର ଚେତାବନୀ ଦେଇ ଭର୍ସନ୍ନା କରି ଭବିଷ୍ୟତରେ ଏପରି କାର୍ଯ୍ୟରୁ ନିବୃତ୍ତ ହେବା ପାଇଁ କହିଛନ୍ତି। ସରକାରଙ୍କ ପକ୍ଷରୁ କ୍ୟାଡ଼ର ଏପିପି ଶ୍ରୀ ରାଜେଶ କୁମାର ମିଶ୍ର ଏହି ମାମଲାକୁ ପରିଚାଳନା କରୁଥିଲେ।

ସୂଚନାଯୋଗ୍ୟ ଯେ, ୧୬ ଫେବୃଆରୀ, ୨୦୨୦ ଦିନ ୧୦ଟା ୩୦ମିନିଟ ସମୟରେ ଯେତେବେଳେ ଅଭିଯୋଗକାରିଣୀ ତନ୍ମୟୀ ପଣ୍ଡା ତାଙ୍କ ଘରେ ନ ଥିଲେ ସେହି ସମୟରେ ଅଭିଯୁକ୍ତମାନେ ଅଭିଯୋଗକାରିଣୀଙ୍କ ଦୁଇ ପୁଅଙ୍କ ଆଖିରେ ଲଙ୍କାଗୁଣ୍ଡ ପକେଇ ଦେଇଥିଲେ। ଏହି ଖବର ପାଇ ଯେତେବେଳେ ତନ୍ମୟୀ ନିଜ ଘରକୁ ଆସି ପହଁଚିଲେ, ସେତେବେଳେ ଅଭିଯୁକ୍ତମାନେ ସଂଘବଦ୍ଧ ହୋଇ ତାଙ୍କୁ ବି ଜୀବନରେ ମାରିବାକୁ ଚେଷ୍ଟା କରିବା ପୂର୍ବକ ଆକ୍ରମଣ କରି ତାଙ୍କ ତଣ୍ଟି ଚିପିବା ସହ ପେଟ, ପିଠି, ଛାତିକୁ କ୍ଷତାକ୍ତ କରିଲେ। ପରେ ତାଙ୍କ ସାନ ପୁଅ କୌଶଳ କ୍ରମେ ସେଠାରୁ ଯାଇ ତନ୍ମୟୀଙ୍କ ପୁତୁରାଙ୍କୁ ଖବର ଦେବାରୁ ସେ ଘଟଣାସ୍ଥଳକୁ ଆସିଯିବାରୁ ଅଭିଯୁକ୍ତମାନେ ସେଠାରୁ ପଳାଇଥିଲେ କିନ୍ତୁ ତାଙ୍କ ତିନି ପୁଅଙ୍କୁ ଜୀବନରେ ମାରିଦେବା ନେଇ ଧମକ ଦେଇଥିଲେ। ପରେ ନିଜ ଜୀବନ ତଥା ନିଜ ପିଲାଙ୍କ ଜୀବନ ପ୍ରତି ବିପଦ ଥିବା ଭାବି ଏହି ଘଟଣାକୁ ନେଇ ଅଭିଯୋଗକାରିଣୀ ଶ୍ରୀମତୀ ତନ୍ମୟୀ ପଣ୍ଡା ଗଞ୍ଜାମଥାନାରେ ଲିଖିତ ଅଭିଯୋଗ କରିବା ପରେ କେସ ନମ୍ବର ୧୯/୨୦୨୦ରେ ଉକ୍ତ ମାମଲାଟି ପଞ୍ଜିକୃତ ହୋଇ ଛତ୍ରପୁର ଏସଡ଼ିଜେଏମ୍ କୋର୍ଟରେ ମାମଲା ବିଚରାଧୀନ ରହିଥିଲା। ତତ୍କାଳୀନ ଏଏସଆଇ ବିଜୟ କୁମାର ନାୟକ ଏହି ମାମଲାର ତଦନ୍ତ କରିଥିଲେ। ଆଜି ୭ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମାନ୍ୟବର ନ୍ୟାୟାଧୀଶ ଅଭିଯୁକ୍ତମାନଙ୍କୁ ଉକ୍ତ ଘଟଣାରେ ଦୋଷୀ ସାବ୍ୟସ୍ତ କରିବା ସହ ଏଭଳି କାର୍ଯ୍ୟରୁ ଭବିଷ୍ୟତରେ ବିରତ ରହିବାକୁ ଚେତାଇ ଭର୍ତ୍ସନା କରିଛନ୍ତି।