July 3, 2024

ବଜାରରୁ ଘରକୁ ଫେରିବା ସମୟରେ ଆକ୍ରମଣ କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ତିନି ଅଭିଯୁକ୍ତ..

Share

ଛତ୍ରପୁର -28/6/24(ଅରୁଣ କୁମାର ପଣ୍ଡା )
ଛତ୍ରପୁର ଥାନା ଅନ୍ତର୍ଗତ ଜଗତପଲ୍ଲୀର ତିନିଜଣ ଅସାମାଜିକ ବ୍ୟକ୍ତି ଛତ୍ରପୁରରୁ ନିଜ ଗାଁକୁ ଫେରୁଥିବା ଦମ୍ପତ୍ତିଙ୍କୁ ନିଛାଟିଆ ସ୍ଥାନରେ ଠେଙ୍ଗା ଓ ଖଣ୍ଡାରେ ମାରି ଲହୁଲୁହାଣ କରିବା ତଥା ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିବାକୁ ଧମକ ଦେବା ମାମଲାର ଶୁଣାଣି କରି ଆଜି ଛତ୍ରପୁର ଏସଡ଼ିଜେଏମ୍ ଶ୍ରୀ ପ୍ରୀତିଶ କୁମାର ରଥ ଅଭିଯୁକ୍ତ ଜଗତପଲ୍ଲୀ ଗ୍ରାମର ସୁଦାମ ପ୍ରଧାନ, ଲୋକନାଥ ପ୍ରଧାନ ଓ ପ୍ରକାଶ ପ୍ରଧାନଙ୍କୁ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୨୩ରେ ଦୋଷୀ ସାବ୍ୟସ୍ତ କରି ୧୦୦୦ଟଙ୍କା ଲେଖାଏଁ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ କ୍ୟାଡ଼ର ଏପିପି ଶ୍ରୀ ରାଜେଶ କୁମାର ମିଶ୍ର ଏହି ମାମଲାକୁ ପରିଚାଳନା କରୁଥିଲେ।

ସୂଚନାଯୋଗ୍ୟ ଯେ, ତା ୧୬ ଅକ୍ଟୋବର, ୨୦୧୬ ଦିନ ସକାଳ ୧୦ଟା ୩୦ମିନିଟ ସମୟରେ ଯେତେବେଳେ ଅଭିଯୋଗକାରି ପଦ୍ମଚରଣ ପ୍ରଧାନ ପିତା:ତାରିଣୀ ପ୍ରଧାନ, ସ୍ତ୍ରୀଙ୍କ ସହ ଛତ୍ରପୁର ମେନ ରୋଡ଼ରୁ ମାର୍କେଟିଂ ସାରି ନିଜ ଘର ଜଗତପଲ୍ଲୀକୁ ଫେରୁଥିଲେ, ଠିକ ସେତିକିବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଅଭିଯୁକ୍ତମାନେ ଅତର୍କିତ ଭାବେ ମୁଣ୍ଡକୁ ଲକ୍ଷ୍ୟ କରି ଅଭିଯୋଗକାରୀଙ୍କୁ ଠେଙ୍ଗାରେ ମାରିଥିଲେ। ଭାଗ୍ୟବଶତଃ, ତାହା ମୁଣ୍ଡରେ ନ ବାଜି ବାମ ହାଥରେ ବାଜିଥିଲା ଓ ସେ କ୍ଷତାକ୍ତ ହୋଇଥିଲେ। ପରେ ଖଣ୍ଡାଧରି ମାରିବାକୁ ଚେଷ୍ଟା କରିବାରୁ ଅଭିଯୋଗକାରୀ ଓ ତାଙ୍କ ସ୍ତ୍ରୀ ଦ୍ରୁତଗତିରେ ଗାଡ଼ିରେ ପଳେଇଯିବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ଅଭିଯୁକ୍ତମାନେ ଅଭଦ୍ର ଭାଷାରେ ଗାଳି କରିବା ସହ ଅଭିଯୋଗକାରୀଙ୍କୁ ଜୀବନରେ ମାରିଦେବାର ଧମକ ଦେଇଥିଲେ। ଏହି ସମୟରେ ପାଟିଶୁଣି ସ୍ଥାନୀୟ ଲୋକ ଆସିଯିବାରୁ ଅଭିଯୁକ୍ତମାନେ ସେ ସ୍ଥାନ ଛାଡି ପଳାଇଥିଲେ। ପରେ ନିଜ ଜୀବନ ପ୍ରତି ବିପଦ ଥିବା ଭାବି ସେହିଦିନ ସନ୍ଧ୍ୟା ୫ଟାରେ ଅଭିଯୋଗକାରି ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ କେସ ନମ୍ବର ୧୬୭/୨୦୧୬ରେ ଉକ୍ତ ମାମଲାଟି ପଞ୍ଜିକୃତ ହୋଇ ଛତ୍ରପୁର ଏସଡ଼ିଜେଏମ୍ କୋର୍ଟରେ ମାମଲା ବିଚରାଧୀନ ରହିଥିଲା। ତତ୍କାଳୀନ ଏଏସଆଇ ଦିଲ୍ଲୀପ କୁମାର ସାମଲ ଏହି ମାମଲାର ତଦନ୍ତ କରିଥିଲେ। ଆଜି ୯ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମାନ୍ୟବର ନ୍ୟାୟାଧୀଶ ଅଭିଯୁକ୍ତମାନଙ୍କୁ ଉକ୍ତ ଘଟଣାରେ ଦୋଷୀ ସାବ୍ୟସ୍ତ କରିବା ସହ ସମସ୍ତଙ୍କୁ ୧୦୦୦ଟଙ୍କାର ଜୋରିମାନା ଅର୍ଥଦଣ୍ଡରେ ଦଣ୍ଡିତ କରିଥଲେ ଓ ଯଦି ସେମାନେ ଜୋରିମାନା ପୈଠ ନ କରିବେ, ତେବେ ଅଧିକ ୧୦ଦିନ ଜେଲ ସଜା ଭୋଗ କରିବେ ବୋଲି ମନ୍ୟବାର ନ୍ୟାୟାଧୀଶ ନିଜର ରାୟରେ ପ୍ରକାଶ କରିଥିଲେ।