ରାମସାଗର ର ଉନ୍ନତି ପାଇଁ ବିଭାଗୀୟ ଅଧିକାରୀ ଉପସ୍ଥିତି ରେ ସମୀକ୍ଷା କଲେ ବିଧାୟକ

ପାରଳାଖେମୁଣ୍ଡି – ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠ ଠାରେ ଥିବା ରାମସାଗର ଜଳାଶୟର ପରିଦର୍ଶନ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ । ଆଜି ସନ୍ଧ୍ୟା ସମୟରେ ବିଧାୟକ ରାମସାଗରର ପରିସ୍ଥିତିକୁ ନେଇ ନିରୀକ୍ଷଣ କରିଥିବା ବେଳେ ଏନେଇ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ରାମସାଗର ପାରଳାଖେମୁଣ୍ଡି ରାଜାରାଜୁଡା ଅମଳରେ ଜମିକୁ ଜଳସେଚନ ଲାଗି ନିର୍ମାଣ କରାଯାଇଥିଲା । ବିଶେଷ କରି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଜମିକୁ ଜଳସେଚନ ବ୍ୟବସ୍ଥା ପାଇଁ ସୁଚିନ୍ତିତ ଯୋଜନା କରିଯାଇଚନ୍ତି । ତେବେ ଏହି ବୃହତ୍ତ ଜଳାଶୟ ଗୁଡିକ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ବେଳେ ତତ୍କାଳୀନ ନବୀନ ସରକାର ମୁଖ୍ୟ କରି ଗୋଷାଣି ବ୍ଲକର ତିନୋଟି ବୃହତ୍ତ ଜଳାଶୟର ପୁନରୁଉଦ୍ଧାର କରିଥିଲେ । ସେଥି ମଧ୍ୟରେ ରାମସାଗର ବୃହତ୍ତ ଜଳାଶୟକୁ ଠିକା ନେଇଥିବା ଠିକାଦାର ଜଣକ ସଠିକ୍ ଭାବେ କାର୍ଯ୍ୟ କରିନଥିବା ଯୋଗୁଁ ଏହା ଏବେ ପୁନରୁଉଦ୍ଧାର ପୂର୍ବାବସ୍ଥାକୁ ଫେରିବାକୁ ବସିଛି । ଯାହାକି ବିଧାୟକ ଶ୍ରୀ ପାଣିଗ୍ରାହୀ ଚାଷୀଙ୍କ ଠାରୁ ଶୁଣି ଆଜି ହଠାତ୍ ରାମସାଗର ଜଳାଶୟ ଗସ୍ତ କରିଛନ୍ତି । ରାମ ସାଗର ଅଞ୍ଚଳରେ ଚାଷୀମାନଙ୍କ ପନିପରିବା ବିକ୍ରୀବଟା ଲାଗି ଏକ ଭେଣ୍ଡିଂ ଜୋନ୍ କରାଯିବା, ପର୍ଯ୍ୟଟନର ବିକାଶ କରାଯାଇ ବୋଟିଂ ଆଦି କରିବା, ସେହିଭଳି ଏହି ସାଗର ଅଞ୍ଚଳରେ ରିଙ୍ଗରୋଡ ପାଇଁ ପ୍ରସ୍ତାବ ରହିଛି । ଏସବୁ ଦିଗ ଉପରେ କାର୍ଯ୍ୟ କରିଲେ ଏହାର ବିକାଶ ହେବ ବୋଲି କହିଛନ୍ତି । ମୁଖ୍ୟ କରି ରାମସାଗରରେ ପୂର୍ବ ଭଳି ଯେପରି ପାଣି ଭରି ରହିବ ସେ ନେଇ ବ୍ୟବସ୍ଥା କରାଯିବା ଉପରେ ସରକାରଙ୍କ ଠାରେ ଉପସ୍ଥାପନ କରିବି ବୋଲି କହିଛନ୍ତି । ତେବେ ରାମସାଗରକୁ ନେଇ ଏପରି ଭାବେ ବିଭିନ୍ନ ପରିକଳ୍ପନା ହୋଇଛି । ତାହା ବାସ୍ତବରେ ପରିଣତ ହେବା ସମୟ ଆସିଛି ବୋଲି କହିଛନ୍ତି ।
