April 25, 2026

ଓଡ଼ିଶାରେ ପ୍ରଥମ ଥର ଠାବ ହେଲା ରକେଟ ଟ୍ରେଲ୍ଡ ଡ୍ରୋଙ୍ଗୋ ପକ୍ଷୀ

IMG-20230228-WA0007
Share

 

ନୀଳଗିରି: ବାଲେଶ୍ୱର ଜିଲ୍ଲା, ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟରେ ବହୁ ଦେଶୀ ଓ ବିଦେଶୀ ପକ୍ଷୀ ବସା ବାନ୍ଧିଥାଆନ୍ତି। ଚଳିତବର୍ଷ କୁଲଡିହାର ପକ୍ଷୀ ତାଲିକାରେ ଆଉ ଏକ ନୂଆ ପକ୍ଷୀ ଯୋଡ଼ି ହୋଇ ଯାଇଛି। କଜଳପାତି ଭଳି ଦେଖିବାକୁ ଏହି ପକ୍ଷୀର ନାମ ରକେଟ ଟ୍ରେଲ୍ଡ ଡ୍ରୋଙ୍ଗୋ। ଏହାର ଲାଞ୍ଜଟି ଦୁଇ ପାଖରେ ଲମ୍ବା ପର ବାହାରି ଥିବାରୁ ପକ୍ଷୀଟିର ନାମ ଏଭଳି ହୋଇଥିବା କୁହାଯାଉଛି । ଏହି ଜାତିର ପକ୍ଷୀ ପୋକ, ଫୁଲ ରସ ଓ ଫଳ ଖାଇବାକୁ ବେଶି ପସନ୍ଦ କରିଥାଆନ୍ତି। ଏମାନେ ଭାରତୀୟ ଭୂଖଣ୍ଡର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ବେଶି ଦେଖାଯାଆନ୍ତି। ଏହା ବ୍ୟତୀତ ଏସିଆ ମହାଦେଶର ଲାଓସ, ମିଆଁମାର, କମ୍ୱୋଡ଼ିଆ, ନେପାଳ, ଥାଇଲାଣ୍ଡ, ବାଂଲାଦେଶ ପ୍ରଭୃତି ଦେଶ ମାନଙ୍କରେ ଦେଖାଯାଆନ୍ତି। ତେବେ ଓଡ଼ିଶାରେ ପୂର୍ବରୁ ଏହି ପକ୍ଷୀ କେଉଁଆଡେ ଠାବ କରାଯାଇନଥିଲା। ପ୍ରଥମଥର କରି କୁଲଡିହା ଅଭୟାରଣ୍ୟରେ ଏହାକୁ ଠାବ କରାଯାଇଛି। ଜଙ୍ଗଲର ଏକ ଅସନ ଗଛରେ ବସିଥିବା ସମୟରେ କୁଳଡିହା ଗାଇଡ ତଥା ପକ୍ଷୀ ବିଶେଷଜ୍ଞ ମନୋରଞ୍ଜନ ଦାସ ତାକୁ କ୍ୟାମେରାରେ କଏଦ କରିଥିଲେ।

 

ଦେବାଶିଷ ଦାଶ କ୍କ ରିପୋର୍ଟ୍,,,