ବିଏନଆଇ ଧନୁଷ ବାଲେଶ୍ୱର ଚାପ୍ଟର ପକ୍ଷରୁ ପାଳିତ ହେଲା ବୃହତ ସମାବେଶନ ଦିବସ
ବାଲେଶ୍ୱର (ଶେଖ ନଜିମ୍): ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବ୍ୟବସାୟିକ ସହଯୋଗିତା ସଂଗଠନ ବିଜନେସ ନେଟୱାର୍କ ଇଂଟରନ୍ୟାସନାଲ (ବିଏନଆଇ)ର ବାଲେଶ୍ୱର ଚାପ୍ଟର ବିଏନଆଇ ଧନୁଷ ପକ୍ଷରୁ ବୃହତ ସମାବେଶନ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ହୋଟେଲ ଲକି ଇଂଟରନ୍ୟାସନାଲ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ନୂତନ ଭାବେ ୧୭ଜଣ ବ୍ୟବସାୟୀ ବିଏନଆଇର ସଦସ୍ୟତା ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଏନଆଇର କ୍ଷେତ୍ରୀୟ ସହଯୋଗୀ ନିର୍ଦ୍ଦେଶକ ଶାଦ୍ ହାସମୀ ଯୋଗଦେଇ ନୂତନ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇବା ସହ ସଂଗଠନର ସଦସ୍ୟଙ୍କ ମଧ୍ୟରେ ସହଭାଗିତା ମାଧ୍ୟମରେ ବ୍ୟବସାୟ ବୃଦ୍ଧିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ସମ୍ପ୍ରତି ସମଗ୍ର ବିଶ୍ୱରେ ବିଏନଆଇର ୪ଲକ୍ଷରୁ ଉର୍ଦ୍ଧ୍ୱ ସଦସ୍ୟ ଥିବା ବେଳେ ଭାରତରେ ୬୫ହଜାର ବ୍ୟବସାୟୀ ସଦସ୍ୟତା ଗ୍ରହଣ କରିଛନ୍ତି । ଓଡିଶାରେ ଏବେ ସୁଦ୍ଧା ୫ଶହରୁ ଅଧିକ ସଦସ୍ୟ ଥିବା ବେଳେ ୫୫ଜଣ ବାଲେଶ୍ୱର ଚାପ୍ଟରର ସଦସ୍ୟତା ନେଇଛନ୍ତି । ପାରସ୍ପରିକ ସହଯୋଗରେ ପ୍ରତ୍ୟେକ ସଦସ୍ୟ ନିଜସ୍ୱ ବ୍ୟବସାୟରେ ଅଭିବୃଦ୍ଧି କରିଚାଲିଛନ୍ତି ବୋଲି ସେ କହିଥିଲେ । ନିକଟ ଭବିଷ୍ୟତରେ ବିଏନଆଇ ଧନୁଷର ସଦସ୍ୟ ସଂଖ୍ୟା ଶହେରେ ପହଂଚାଇବାକୁ ଲକ୍ଷ୍ୟ ରଖାଯାଇଥିବା ଶାଦ୍ ହାସମୀ ପ୍ରକାଶ କରିଥିଲେ । ଅନ୍ୟତମ କ୍ଷେତ୍ରୀୟ ସହଯୋଗୀ ନିର୍ଦ୍ଦେଶକ ଦେବଜ୍ୟୋତି ଦାସମହାପାତ୍ର ଏଥିରେ ଉପସ୍ଥିତ ରହି ନୂତନ ସଦସ୍ୟମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ବିଏନଆଇ ଧନୁଷର ସଭାପତି ନିଖିଳ ଖଣ୍ଡେଲୱାଲ କାର୍ଯ୍ୟକ୍ରମରେ ପୌରହିତ୍ୱ କରିବା ସହିତ ସମାବେଶନ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରଥମ ଥର ପାଇଁ ଏକ ସଙ୍ଗେ ୧୭ ଜଣ ନୂତନ ସଦସ୍ୟ ବିଏନଆଇ ଧନୁଷରେ ସାମିଲ ହୋଇଥିବା ସେ କହିଥିଲେ । ଫଳରେ ସଦସ୍ୟ ସଂଖ୍ୟା ୭୨ରେ ପହଂଚିଥିବା ବିଏନଆଇ ଧନୁଷର ସଂଗଠନ ଅଧିକ ମଜବୁତ ହେବ ବୋଲି ଶ୍ରୀ ଖଣ୍ଡେଲୱାଲ ଆଶା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ସମ୍ପତ ଦାସ, ସମ୍ପାଦକ ଚିରାଗ ଚୌହାନ ଓ ଲିଡ୍ ଭିଜିଟର ହୋଷ୍ଟ ମୁକୁଲ ଖଣ୍ଡେଲୱାଲ ପ୍ରମୁଖ ଏଥିରେ ମଂଚାସୀନ ରହି ବିଏନଆଇର କାର୍ଯ୍ୟଶୈଳୀ ସମ୍ପର୍କରେ ଆଲୋଚନା କରିଥିଲେ । ଗୋବିନ୍ଦ ରାଠୀ, ବିଶାଲ ଖଣ୍ଡେଲୱାଲ, ଅୟନ ସେନ, କୃଷ୍ଣା ଶତପଥୀ, ସଞ୍ଜୟ ସୋମାନୀ, ଉତ୍ପଲ କର, ବିବେକ ଖଣ୍ଡେଲୱାଲ, ରିତୁ ଝାଲାନୀ, ବନମାଳା ଦାସମହାପାତ୍ର, ଆଶିଷ ଭଟ୍ଟର, ମୁକ୍ତାର ଅହମ୍ମଦ ପ୍ରମୁଖ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ସ୍ଥାନୀୟ ଆପୋଲୋ କ୍ଲିନିକ ପକ୍ଷରୁ ସଦସ୍ୟଙ୍କ ବୋନ ମିନେରାଲ ଡେନସିଟି (ବିଏମଡି) ପରୀକ୍ଷା କରାଯାଇଥିଲା ।