April 26, 2026

ଅକ୍ଟୋବର ମାସ ଆସିଲେ ଛନକା ପଶେ ,ବଙ୍ଗୋପସାଗରରେ ମାଡ଼ି ଆସେ ବାତ୍ୟା ; କାହିଁକି ଏହି ମାସରେ ଆସେ ସାଇକ୍ଲୋନ?

IMG-20251027-WA0000
Share

 

ପୁଣି ସେହି ଅକ୍ଟୋବର, ପୁଣି ସେହି ବାତ୍ୟା । ହେଲେ ଏଥର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଆନ୍ଧ୍ର ମୁହାଁ ହୋଇଛି । ହେଲେ ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । କିନ୍ତୁ ଅକ୍ଟୋବର ଆସିଲେ କାହିଁକି ବଙ୍ଗୋପସାଗରରେ ମୁଣ୍ଡ ଟେକେ ବାତ୍ୟା, ତାକୁ ନେଇ ସବୁଠି ଚର୍ଚ୍ଚା । ୯୯’ ମସିହାର ସେହି ମହାବାତ୍ୟା ହେଉ କିମ୍ବା ଫାଇଲିନ, କି ହୁଡହୁଡ୍ । ସବୁ ବାତ୍ୟା ଆସେ ଠିକ୍ ଏହି ଅକ୍ଟୋବର ମାସରେ । ଅକ୍ଟୋବର ଆସିଲେ ଛାତିରେ ଛନକା ପଶେ । ମନେ ପକାଇଦିଏ ମହାବାତ୍ୟା ଆଉ ଫାଇଲିନର ସେହି କାଳ ରାତି କଥା ।ସେଦିନ ଥିଲା ୧୯୯୯ ଅକ୍ଟୋବର ମାସ ୨୯ ତାରିଖ । ମାଡ଼ି ଆସିଲା ମହା ପ୍ରଳୟଙ୍କାରୀ ମହାବାତ୍ୟା । ମହାବାତ୍ୟା ତାଣ୍ଡବରେ ପ୍ରାୟ ୧୦ ହଜାର ଲୋକ ଜୀବନ ଚାଲିଗଲା । ଧ୍ଵସ୍ତ ବିଧ୍ଵସ୍ତ ହୋଇଗଲା ଓଡ଼ିଶାର ଉପକୂଳ ଅଞ୍ଚଳ । ଜଗତସିଂହପୁର, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ମହାବାତ୍ୟା ମାଡ଼ରେ ନିସ୍ତେଜ ହୋଇ ଯାଇଥିଲା ।

ସେହିପରି ୨୦୧୩ ଅକ୍ଟୋବରରେ ତାଣ୍ଡବ ରଚିଥିଲା ଫାଇଲିନ୍ । ଆଉ ୨୦୧୪ର ପ୍ରଳୟଙ୍କରୀ ହୁଡ୍ ହୁଡର ସାମ୍ନା କରିଥିଲେ ଓଡ଼ିଶାବାସୀ । ସେହିପରି ୨୦୧୮ରେ ତିତଲି ବି ଦାନା ବାନ୍ଧିଲା ବଙ୍ଗୋପସାଗରରେ । କିନ୍ତୁ ଓଡ଼ିଶା ଭିତରକୁ ପଶିପାରିଲାନି । ଆଉ ଏବେ ପୁଣି ସମ୍ଭାବ୍ୟ ବାତ୍ୟା ମୋନ୍ଥାକୁ ନେଇ ଚର୍ଚ୍ଚା । ଅବଶ୍ୟ ଏହି ବାତ୍ୟାର ନିଶାନାରେ ଓଡ଼ିଶା ନାହିଁ । ତଥାପି ବର୍ଷା ଓ ପବନ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ କାହିଁକି, ଅକଟୋବର ମାସ ହିଁ ବାତ୍ୟା ପାଇଁ ଅନୁକୂଳ ହୁଏ ? ସେନେଇ ଲାଗିରହିଥିବା ନାନା ଚର୍ଚ୍ଚା ଭିତରେ ପାଣିପାଗ ବିଶେଷଜ୍ଞଙ୍କ କହିବା କଥା, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଲେଉଟାଣି ମାସ ହେଉଛି ଅକ୍ଟୋବର । ସେତେବେଳେ ସମୁଦ୍ର ଉପରିଭାଗର ତାପମାତ୍ରା ଅଧିକ ଥାଏ । ସମୁଦ୍ର ଭିତରେ ପବନର ବେଗ ସମାନ୍ତରାଳ ରହିଥିବା ବେଳେ କମ୍ ବେଶି ହୋଇଥାଏ । ଫଳରେ ଝଡ଼ ସୃଷ୍ଟି ହେବା ସହ ଅଶାନ୍ତ ହୋଇପଡ଼େ ସମୁଦ୍ର । ଯାହା କ୍ରମେ ଘନୀଭୂତ ହୋଇ ଧୀରେ ଧୀରେ ବାତ୍ୟାର ରୂପ ନିଏ । ଆଉ ଠିକ୍ ଅକ୍ଟୋବର ମାସ ବେଳକୁ ବଙ୍ଗୋପସାଗରରେ ମାଡ଼ି ଆସେ ବାତ୍ୟା ।

ପାଣିପାଗ ବିଭାଗର ଆକଳନ ଅନୁସାରେ ମାସ ଶେଷ ବେଳକୁ ପୁଣି ଥରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ବାତ୍ୟା ‘ମୋନ୍ଥା’। ଏହାର ତୀବ୍ରତା କେତେ ରହିବ? କେଉଁଠି ସ୍ଥଳଭାଗ ଅତିକ୍ରମ କରିବ? ତାହା ସ୍ପଷ୍ଟ ହୋଇନଥିଲେ ବି ୨୭ରେ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରିଛି ଆଇଏମଡି। ଏହାର ପ୍ରଭାବରେ ଓଡ଼ିଶାରେ ବଡ ବର୍ଷାର ସମ୍ଭାବନା ରହିଛି।