କାର୍ଗିଲ ବିଜୟ ଦିବସ ପାଳିତ, ବୀର ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି

ଖୋର୍ଦ୍ଧା:(ପ୍ରିୟଙ୍କା ମହାପାତ୍ର) ହିନ୍ଦୁ ଜାଗରଣ ମଞ୍ଚ, ଭୁବନେଶ୍ୱର ପକ୍ଷରୁ ଡୁମଡୁମା ଜଗନ୍ନାଥ ମନ୍ଦିର ପଡ଼ିଆଠାରେ କାର୍ଗିଲ ବିଜୟ ଦିବସ ଶ୍ରଦ୍ଧା ଓ ଗାମ୍ଭୀର୍ୟର ସହ ପାଳିତ ହୋଇଯାଇଛି।ଏହି ଅବସରରେ ଅବସରପ୍ରାପ୍ତ ସୁବେଦାର ମେଜର ମନୋଜ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ସୈନିକମାନଙ୍କ ତ୍ୟାଗ ଓ ବୀରତ୍ୱକୁ ସ୍ମରଣ କରିଥିଲେ।ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସଦ୍ଭାବନା ପ୍ରମୁଖ ଡ଼. ଗୋପାଳ ପ୍ରସାଦ ମହାପାତ୍ର କାର୍ଗିଲ ବିଜୟର ଐତିହାସିକ ମହତ୍ତ୍ୱ ଏବଂ ଯୁବପିଢ଼ିଙ୍କ ମନରେ ରାଷ୍ଟ୍ରଭକ୍ତି ଓ ସେବାଭାବ ଜାଗ୍ରତ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।ସମ୍ମାନିତ ଅତିଥି ଭାବେ ହିନ୍ଦୁ ଜାଗରଣ ମଞ୍ଚ, ଓଡ଼ିଶା ପୂର୍ବ ପ୍ରାନ୍ତର ସଂଗଠନ ମନ୍ତ୍ରୀ ଶ୍ରୀ ତନ୍ମୟ ଦାସ ଏବଂ ସମାଜସେବୀ ଶ୍ରୀ ଦୀନବନ୍ଧୁ ମହାନ୍ତି ଯୋଗଦେଇ କାର୍ଗିଲ ବୀର ଶହୀଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସାମାଜିକ କର୍ମୀ, ସଂଗଠନର ସଦସ୍ୟ ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ଶହୀଦ ବୀର ଯବାନମାନଙ୍କ ପ୍ରତି କୃତଜ୍ଞତା ଓ ଶ୍ରଦ୍ଧା ଜ୍ଞାପନ କରିଥିଲେ।
