ତିର୍ତ୍ତୋଲ ବ୍ଲକରେ ନୂତନ ଶିକ୍ଷାଧିକାରୀଙ୍କ ଯୋଗଦାନ….
ତିର୍ତୋଲ, ୨୭/୦୫/୨୦୨୬
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକରେ ଆଜି ନୂତନ ଶିକ୍ଷାଧିକାରୀ ଭାବେ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ଦାଶ ଯୋଗଦାନ କରିବା ପରେ ଭାରପ୍ରାପ୍ତ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ବେହେରା ଆଜି ଅପରାହ୍ନରେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଶିକ୍ଷାବିଭାଗର ବିଜ୍ଞପ୍ତି ସଂଖ୍ୟା – ୧୩୨୩୮ / ୨୫-୦୫-୨୦୨୬ ଅନୁସାରେ ଶ୍ରୀଯୁକ୍ତ ଦାଶ ଙ୍କୁ ସ୍ଥାୟୀ ମଣ୍ଡଳ ଶିକ୍ଷାଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି ।
ବିଗତ କିଛିବର୍ଷ ହେବ ଏହି ବ୍ଲକରେ କାର୍ଯ୍ୟକରିଥିବା କେତେକ ମଣ୍ଡଳ ଶିକ୍ଷାଧିକାରୀ ବ୍ଲକର ଶିକ୍ଷାବ୍ୟବସ୍ଥା ସୁଧାରିବା ପରିବର୍ତ୍ତେ କେତେକ କରିତକର୍ମା ମୁଷ୍ଟିମେୟ ଶିକ୍ଷକ ଓ କିରଣୀଙ୍କୁ ଧରି ପ୍ରିୟାପ୍ରୀତି ତୋଷଣ, ମିଥ୍ୟା ଦରମା ନାମରେ ଲକ୍ଷାଧିକ ସରକାରୀ ଅର୍ଥ ଆତ୍ମସାତ, ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର, ପିଲାଙ୍କ ଔଷଧ ପୋଡ଼ି, ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଅର୍ଥ ଆତ୍ମସାତ, ଶିକ୍ଷକ ତାଲିମ ଅର୍ଥ ଆତ୍ମସାତ, ଶିକ୍ଷଣ ସାମଗ୍ରୀ କ୍ରୟ ହେରଫେର ସହ ବହୁ କେଳେଙ୍କାରୀ ରେ ଲିପ୍ତ ରହି ଶିକ୍ଷା ଓ ସାହିତ୍ୟର ଆଦିଭୂମି ତିର୍ତ୍ତୋଲର ଗାରିମାକୁ ଭୂଲୁଣ୍ଠିତ କରିଥିବା ବେଳେ ନୂତନ ଭାବେ ଯୋଗ ଦେଇଥିବା ମଣ୍ଡଳ ଶିକ୍ଷାଧିକାରୀ ପୁଣିଥରେ ଏହି ବ୍ଲକର ସୁନାମ ଫେରାଇ ଆଣିବା ପାଇଁ ପ୍ରୟାସ କରିବା ସହ ମାଟ୍ରିକ ପରୀକ୍ଷାରେ କିପରି ଅଧିକ ଛାତ୍ର ଛାତ୍ରୀ ସର୍ବୋଚ୍ଚ ମେଧା ତାଲିକାରେ ରହିବେ ଏଥିପ୍ରତି ଗୁରୁତ୍ୱ ଦେବାକୁ ସାଧାରଣରେ ଆଲୋଚନା ହେଉଛି । ଶ୍ରୀଯୁକ୍ତ ଦାଶ ଯୋଗଦାନ କରିବା ପରେ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଉପସ୍ଥିତ ସମସ୍ତ ଅଫିସ କର୍ମଚାରୀ ଓ ସି.ଆର.ସି.ସି ମାନଙ୍କୁ ସଠିକ୍ ଭାବେ ଦାୟିତ୍ୱ ନିର୍ବାହ କରିବା ଓ ସରକାରଙ୍କ ବିଭିନ୍ନ ଶିକ୍ଷା ଯୋଜନାର ସଫଳ ରୂପାୟନ ପାଇଁ କାର୍ଯ୍ୟ କରିବା ନିମନ୍ତେ ପରାମର୍ଶ ଦେଇଥିବା ଶୁଣିବାକୁ ମିଳୁଛି ।
