April 28, 2026

ଗଜପତି:ମାନବ ବନ୍ୟପ୍ରାଣୀ ସଂଘର୍ଷ ପୀଡ଼ିତକୁ ନେଇ ଆଇନ ସଚେତନତା କାର୍ଯ୍ୟକ୍ରମ

IMG-20260427-WA0023
Share

 

ଦୁନିଆରେ ତିଷ୍ଠି ରହିବାକୁ ପ୍ରତି ମୁହୂର୍ତ୍ତରେ ମାନବ ଓ ବନ୍ୟଜନ୍ତୁ ନିଜ ନିଜ ଭିତରେ ସଂଘର୍ଷ କରିଥାନ୍ତି। କିନ୍ତୁ ଏହି ସଂଘର୍ଷରେ ଯେତେବେଳେ ଅକାଳରେ ଜଣେ ପ୍ରାଣ ହରାଇଥାନ୍ତି, ସେତେବେଳେ ତାଙ୍କ ପରିବାର ସାହାଯ୍ୟ ଆଶାରେ ଚାରିଆଡ଼େ ହାତ ପତେଇ ନିରାଶାରେ ଜୀବନ ବିତାଇଥାନ୍ତି। ସେହିଭଳି ପରିବାର’ର ସଦସ୍ୟ ମାନଙ୍କୁ କିପରି ସରକାରୀ ସାହାଯ୍ୟ ମିଳିପାରିବ ତଥା ସେମାନେ କିପରି ପୁଣି ଆଗକୁ ବଢ଼ି ପାରିବେ ଏହି କଥାକୁ ଚିନ୍ତା କରି ଆଜି ଗଜପତି ଜିଲ୍ଲା ଗୁମ୍ମା ସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହ ଠାରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତି’ଙ୍କ ନିର୍ଦ୍ଦେଶ କ୍ରମେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଉଳ ଅଧ୍ୟକ୍ଷତା କରି ଉପସ୍ଥିତ ଜନସାଧାରଣଙ୍କୁ ବାଲ୍ୟ ବିବାହ ନିରୋଧ ଆଇନ , ପୋସ୍କୋ ଆଇନ , ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଏବଂ ବିଭିନ୍ନ ଆଇନ କାନୁନ ବିଷୟରେ କହି ସଚେତନ କରାଇଥିଲେ ।

ଏହି ଅବସରରେ ନିମନ୍ତ୍ରିତ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ରାଜେଶ କୁମାର ମିଶ୍ର ଯୋଗ ଦେଇ ମାନବ ବନ୍ୟପ୍ରାଣୀ ସଂଘର୍ଷ ପିଡୀତ’ଙ୍କ ପାଇଁ ରହିଥିବା ସରକାରୀ କ୍ଷତିପୂରଣ ବ୍ୟବସ୍ଥା ଓ ସାଇବର କ୍ରାଇମ ରୋକିବା ନେଇ ରହିଥିବା ବିଭିନ୍ନ ଆଇନ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ସୂଚନା ପ୍ରଦାନ କରିଥିଲେ।

ଆଜିର ଏହି ସଚେତନତା କାର୍ଯ୍ୟକ୍ରମ ପାରା ଲିଗାଲ ଭଲ୍ୟୁଣ୍ଟର ଶଶୀରେଖା ବିଷୋୟୀ , ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀ ତଥା ଗୁମ୍ମା ପଞ୍ଚାୟତର ମିଳିତ ସହଯୋଗରେ ସଫଳତାର ସହ ଅନୁଷ୍ଠିତ ହୋଇଥିଲା ।

ଶେଷରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପିତାମଣି ରଇତ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

——————————-

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

——————————