May 20, 2024

ଏକାଠି ସମ୍ବଲପୁର ସାଂସଦ,ବିଧାୟକ ପ୍ରାର୍ଥୀ:ବିକାଶର ବାଟ ଦେଖାଇଲେ ବରିଷ୍ଠ ନାଗରିକ

Share


ସମ୍ବଲପୁର,: ବରିଷ୍ଠ ନାଗରିକଙ୍କ ସହ ଏକାଠି ହେଲେ ସମ୍ବଲପୁର ସାଂସଦ ଓ ବିଧାୟକ ପ୍ରାର୍ଥି।ସମ୍ବଲପୁର ବିକାଶ ନେଇ ଆଲୋଚନା କଲେ।ଆଉ ବରିଷ୍ଠ ନାଗରିକ ଦେଖାଇଲେ ବିକାଶର ବାଟ।
ଶୁକ୍ରବାର ବିଜେଡ଼ିର ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ବିଧାନ ପ୍ରାର୍ଥୀ ଇଂ.ରୋହିତ ପୂଝାରୀ ସମ୍ବଲପୁର ସିଭିଲ୍‌ ସୋସାଇଟୀ, ଓ ସଚେତନ ନାଗରିକ କମିଟିର ବହୁ ପ୍ରମୁଖ ବରିଷ୍ଠ ନାଗରିକଙ୍କ ସହିତ ସମ୍ବଲପୁରର ସ୍ଥାୟୀ ବିକାଶ ନେଇ ଉନ୍ନୟନ ମିଶନର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ଏପରିକି ଏହି କମିଟି ପକ୍ଷରୁ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଲିଖିତ ଭାବରେ ବିଭିନ୍ନ ଉନ୍ନୟନମୂଳକ ପ୍ରସ୍ତାବ ଦିଆଯାଇଥିବା ନେଇ ଖବର ଆମର ହସ୍ତଗତ ହୋଇଛି।
ନାଗରିକମାନଙ୍କ ପକ୍ଷରୁ ପ୍ରଫେସର୍‌ ଆଦିତ୍ୟ ପ୍ରସାଦ ପାଢ଼ୀ,ଡ଼ାକ୍ତର ରମାବଲ୍ଲଭ ମିଶ୍ର,ଡ଼. ଦିଲ୍ଲୀପ ପଣ୍ଡା,ଶିକ୍ଷାବିତ ଭକ୍ତପ୍ରସାଦ ନନ୍ଦ,ଆଇନଜ୍ଞ ନନ୍ଦଲାଲ ଦାସ,ଅବସରପ୍ରାପ୍ତ ପ୍ରଶାସିକା ପାର୍ବତୀ ସେଠ୍‌,ସାମ୍ବାଦିକ ଶିବଶଙ୍କର ନନ୍ଦ,ଡ଼. ସପନ ମିଶ୍ର,ଡ଼. ପରେଶ ଦାନୀ,ଐତିହାସିକ ତଥା ସାମ୍ବାଦିକ ଦୀପକ କୁମାର ପଣ୍ଡା,ସାଧକଶ୍ରୀ ସଦାନନ୍ଦ ପଣ୍ଡା,ଅମୂଲ୍ୟ ମିଶ୍ର,ଗୋଲକବିହାରୀ ମିଶ୍ର (ମୁନୁ),ସବିତା ଆଚାର୍ଯ୍ୟ,ପ୍ରମୁଖ ଯୋଗ ଦେଇ ସମ୍ବଲପୁର ଓ ପଶ୍ଚିମ ଓଡ଼ିଶା ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି। ସମସ୍ତ ମତାମତ ଓ ପ୍ରସ୍ତାବ ଶୁଣିବା ପରେ ବିଜେଡ଼ିର ସାଂସଦ ଓ ବିଧାୟକ ପ୍ରାର୍ଥୀ ତାଙ୍କର ଉତ୍ତର ରଖିଛନ୍ତି। ପ୍ର. ଆଦିତ୍ୟ ପ୍ରସାଦ ପାଢ଼ୀ ସମ୍ବଲ୍‌ପୁର ମାହାନଗର ନିଗମର ନିର୍ବାଚନ ତ୍ବରିତ କରିବା ପାଇଁ କହିବା ସହିତ ହାଇ କୋର୍ଟର ସ୍ଥାୟୀ ବେଂଚ୍‌ ପାଇଁ ଅବିଳମ୍ବେ କେନ୍ଦ୍ର ସରକାରଙ୍କୁ ଆଉ ଥରେ ସଂପୂର୍ଣ ପ୍ରସ୍ତାବ ଦେବାପାଇଁ ଦାବିକରିଥିଲେ। ତେଲେଙ୍ଗାନା ମଡେଲରେ ପଶ୍ଚିମ ଓଡ଼ିଶାର ସମସ୍ତ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି କରିବା,ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟକୁ ପୂର୍ଣ କାର୍ଯ୍ୟକ୍ଷମ କରିବା,ଝାରସୁଗୁଡ଼ା-ସମ୍ବଲପୁର-ବରଗଡ଼ ମେଟ୍ରୋ ଟ୍ରେନ୍‌ ଚଲାଇବାଭଳି ପ୍ରସ୍ତାବ ଦିଆଯାଇଛି।
ରାଜନୈତିକ ବିଶାରଦ ଡ଼. ଦିଲ୍ଲୀପ କୁମାର ପଣ୍ଡା ସିଧାସଳଖ ପ୍ରଣବ ପ୍ରକାଶ ଦାସଙ୍କୁ ୩୫୦ କି. ମି. ଦୂର ଯାଜପୁରରୁ କାହିଁକି ଆସି ସମ୍ବଲପୁର ଲୋକସଭା ପ୍ରାର୍ଥୀ ହେଲେ? ସମ୍ବଲପୁର ଅଞ୍ଚଳରୁ କଣ କେହି ଜଣେ ଯୋଗ୍ୟ ଲୋକ ସଭା ପ୍ରାର୍ଥୀ ନ ଥିଲେ କି ବୋଲି ପ୍ରଶ୍ନର ଉତ୍ତର ଚାହିଁଥିଲେ। ଏହାର ଉତ୍ତରରେ ପ୍ରଣବ ପ୍ରକାଶ ଦାସ କହିଥିଲେ ଦଳର ନିଷ୍ପତ୍ତି ନେଇଥିବାରୁ ଏତେ ଦୂରରୁ ଆସି ପ୍ରାର୍ଥୀ ହୋଇଛି ଓ ସମ୍ବଲପୁରର ସର୍ବାଙ୍ଗୀନ ଉନ୍ନତି କରିବାକୁ ସେ ଆସିଛନ୍ତି ବୋଲି କହିଛନ୍ତି। ସମସ୍ତ ସମସ୍ୟାର ସମାଧାନ ପାଇଁ ଆଗାମୀ ଦଶ ଦିନ ପରେ ପୁଣି ଏଭଳି ନାଗରିକ ସଭା ମାଧ୍ୟମରେ ସେ ମୁଖ୍ୟ ସମସ୍ୟା ଗୁଡ଼ିକର ସମାଧାନ କରିବେ ବୋଲି ଏହି ନାଗରିକ ବୈଠକରେ ପ୍ରତିଶୃତି ମଧ୍ୟ ଦେଇ ଥିଲେ।

ସିଭିଲ୍‌ ସୋସାଇଟୀଓ ସଚେତନ ସମ୍ବଲପୁର ନାଗରିକ କମିଟି ତରଫରୁ ବିଭିନ୍ନ ପ୍ରସ୍ତାବ ଦିଆଯାଇଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟାଳୟକୁ ତୁରନ୍ତ ପଶ୍ଚିମ ଓଡ଼ିଶାର ଯେ କୌଣସି ସ୍ଥାନକୁ ଆଣିବା,ପଶ୍ଚିମ ଓଡ଼ିଶାର ଯେ କୌଣସି ସ୍ଥାନରେ ଓଡ଼ିଶାର ଦ୍ବିତୀୟ କୃଷି ବିଶ୍ବବିଦ୍ୟାଳୟ ସ୍ଥାପନ କରିବା, ସମ୍ବଲପୁରୀ ଭାଷାକୁ ଓଡ଼ିଶାର ଅନ୍ୟତମ ସରକାରୀ ଭାଷା ଭାବରେ ଘୋଷଣା କରିବା, ଓଡ଼ିଶାର ସର୍ବ ପୁରାତନ ବୁର୍ଲା ଭିଏସ୍‌ଏସ୍‌ୟୁଟି କୁ ଇଆଇଏସ୍‌ଟି ବା ଏନ୍‌ଆଇଟି ମାନ୍ୟତା ଦେବା, ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼ ଠାରେ ଏମ୍ସର ଶାଖା ସ୍ଥାପନ କରିବା,ପଶ୍ଚିମ ଓଡ଼ିଶାରେ ସୂତା କଳ ଓ ଚିନି କଳ ସ୍ଥାପନା କରିବା,ପଶ୍ଚିମ ଓଡ଼ିଶା ପାଇଁ ସ୍ବତନ୍ତ୍ର ସଂସ୍କୃତି ବିଶ୍ବବିଦ୍ୟାଳୟ ସ୍ଥାପନ କରିବା, ଓଡ଼ିଶାର ସର୍ବ ପୂରାତନ ଫାଟକ ଷ୍ଟେସନକୁ ପୂନଃ କାର୍ଯ୍ୟକ୍ଷମ କରିବା,ପଶ୍ଚିମ ଓଡ଼ିଶାରେ ଫିଲ୍ମ ସିଟି ସ୍ଥାପନ କରିବା, କେନ୍ଦୁପତ୍ର ନିୟମରେ ପରିବର୍ତ୍ତନ କରି ଏହାର ଲାଭାଂଶକୁ କେବଳ କେନ୍ଦୁପତ୍ର ତୋଳାଯାଉଥିବା ଅଞ୍ଚଳରେ ବିନିଯୋଗ କରିବା, ଶିଳ୍ପାଞ୍ଚଳର ପ୍ରଦୂଷଣକୁ ରୋକିବା ଓ ଏହାର ପରିଚାଳନା ପାଇଁ ଶିଳ୍ପର ବର୍ଜ୍ୟବସ୍ତୁ ପାଉଁଶ ପରିଚାଳନା,ଇତ୍ୟାଦିରେ ସ୍ବଚ୍ଛତା ପାଇଁ ଲୋକଙ୍କ ଭାଗିଦାରି ରଖିବା,ଜନତା ଦରବାର କରି ପ୍ରତି ତିନି ମାସରେ ଲୋକ ପ୍ରତିନିଧି,ପ୍ରଶାସନ ଓ ନାଗରିକଙ୍କ ସମସ୍ୟା ସମାଧାନ କରିବା,ପଶ୍ଚିମାଞ୍ଚଳର ପର୍ବ ନୁଆଁଖାଇ ପରଦିନ,ପୁଷ୍‌ପୁନି,ପୁଓ ଜିଉଁତିଆ,ଆଦି ଦିନକୁ ସରକାରୀ ଛୁଟୀ ଘୋଷଣା କରିବା,ସମ୍ବଲପୁରଠାରେ ସୁପର ସ୍ପେଶିଆଲିଟି ହସ୍‌ପିଟାଲ୍‌ ସ୍ଥାପନ କରିବା,ହୀରାକୁଦ ଜଳ ପରିଚାଳନା ଚାବି ଭୂବନେଶ୍ବରରେ ନ ରଖି ହୀରାକୁଦ ଅଫିସ୍‌ରେ ହିଁ ରଖିବା, ପୂର୍ବରୁ ଘୋଷିତ ଓଡ଼ିଶାର ଦ୍ବିତୀୟ ଚିଡ଼ିଆଖାନା ସମ୍ବଲପୁରଠାରେ ସ୍ଥାପନ କରିବା, ପଦ୍ମପୁର,ଟିଟିଲାଗଡ଼,ବଣେଇଗଡ଼ ଓ କୁଚିଣ୍ଡାକୁ ଜିଲ୍ଲା ଘୋଷଣା କରିବା, କଳାହାଣ୍ଡି ଜିଲ୍ଲାକୁ ଉତ୍ତରାଞ୍ଚଳ ରାଜସ୍ବ ଡିଭିଜନ୍‌ ଅନ୍ତର୍ଗତ କରିବା,କଳାହାଣ୍ଡି ଠାରେ ଆଦିବାସୀ ବିଶ୍ବବିଦ୍ୟାଳୟ ସ୍ଥାପନ କରିବା, ପୂର୍ବରୁ ଘୋଷିତ ସମ୍ବଲପୁରୀ ଭାଷା-ସାହିତ୍ୟ-ସଂସ୍କୃତି ଗବେଷଣା ପରିଷଦ ସ୍ଥାପନ କରିବା, ପୂର୍ବରୁ ଘୋଷିତ ଝାର୍‌ସୁଗୁଡ଼ା-ସମ୍ବଲପୁର ଯୁଗ୍ମ ସିଟି କମିଶନରେଟ୍‌ ପୋଲିସ୍‌ ସ୍ଥାପନ କରିବା,ଝାର୍‌ସୁଗୁଡ଼ା ଓ ଆଖପାଖ ଅଂଚଳରୁ ମନଇଚ୍ଛା କୋଇଲା ଖନନ ଉପରେ ରୋକ୍‌ ପାଇଁ ସଂକଳ୍ପ ପତ୍ର ଜାରୀ କରିବା, ଝାରସୁଗୁଡ଼ା ଓ ଆଖପାଖ ଅଂଚଳରେ ମନଇଚ୍ଛା ତାପଜ ବିଦ୍ୟୁତ କେନ୍ଦ୍ର ସ୍ଥାପନରୁ ବିରାମ ନେବା,ଶିଳ୍ପାଞ୍ଚଳରେ ଚାଷ ଜମିର କ୍ରମବର୍ଦ୍ଧିଷ୍ନୁ ଅମଳକ୍ଷମତା ହ୍ରାସ ଓ ମାନବ ଜୀବନ ଉପରେ କୂ-ପ୍ରଭାବ ବିଷୟରେ ଶ୍ବେତ ପତ୍ର ପ୍ରକାଶ କରିବା,ହୀରାକୁଦ କମାଣ୍ଡ ଏରିଆରେ ଚାଷରେ ବିଭିନ୍ନ ସାର ପ୍ରୟୋଗଜନିତ କେନ୍ସର ଗବେଷଣା ବ୍ୟବସ୍ଥା କରିବା, ଅଣ ଜଳସେଚିତ ଅଂଚଳ ପାଇଁ ବିଭିନ୍ନ ମାଧ୍ୟମରେ ଜଳ ସେଚନର ସମୟବଦ୍ଧ ଯୋଜନାକୁ କାର୍ଯ୍ୟାନ୍ନ୍ବୟନ କରିବା,ଦାଦନ ଦୁଃଖ ସବୁଦିନ ପାଇଁ ବନ୍ଦ କରିବା ପାଇଁ ବିକଳ୍ପ ରୋଜଗାର ବ୍ୟବସ୍ଥା ସମୟବଦ୍ଧ ଭାବେ କରିବା, ପଶ୍ଚିମ ଓଡ଼ିଶାର ସମସ୍ତ ନଦୀ,ଉପ ନଦୀ,ଶାଖା ନଦୀ,ଜୋର୍‌,ନଲିଆରେ ଚେକ୍‌ ଡେମ୍‌ କରି ଜିରୋ ବିସ୍ଥାପନରେ ଅନ୍ତତ ଗୋଟିଏ ଋତୁର ଧାନ ଫସଲ ପାଇଁ ଜଳସେଚନର ବ୍ୟବସ୍ଥା କରିବା, ‘ଏମ୍‌ଏସ୍‌ପି’ ଘୋଷଣା ନ ହେବା ପୂର୍ବରୁ ବିକଳ୍ପ ଭାବରେ ଛତିଶଗଡ଼ ଢ଼ାଞ୍ଚାରେ ଦର ଓ ବୋନସ୍‌ ଦେବା,ଜଙ୍ଗଲ ଜାତ ଦ୍ରବ୍ୟର ଉଚିତ ବଜାର ମୂଲ୍ୟ ପାଇଁ ‘ଲାଭ’ ଯୋଜନାରେ ଆମୂଳଚୂଳ ପରିବର୍ତ୍ତନ କରି ବନଜିବୀଙ୍କୁ ତାଙ୍କର ଉଚିତ ମୂଲ୍ୟ ପ୍ରଦାନ କରିବା,’ପଶ୍ଚିମାଞ୍ଚଳ ଜୀବନ ଧାରଣ ଯୋଜନା’ କରି ଆଞ୍ଚଳିଳ ଭିତ୍ତିକ କର୍ମ ଓ ଜୀବନ ଜୀବିକା ମିଶନ୍‌ ମୋଡ଼୍‌ରେ ପ୍ରବର୍ତ୍ତନ କରିବା,ଓଡ଼ିଶାକୁ ଟୋଲ୍‌ ଟେକ୍ସ୍‌ ଫ୍ରୀ ରାଜ୍ୟ ଘୋଷଣା କରି ସମସ୍ତ ଘରୋଇ ଯାନବାହନକୁ ଟୋଲ୍‌ ଟେକ୍ସ୍‌ ମୁକ୍ତ କରିବା, ଓଡ଼ିଶା ରାଜ୍ୟରେ ବିହାର ଓ ଗୁଜୁରାଟ ଭଳି ସଂପୂର୍ଣ ନିଶାମୁକ୍ତ ରାଜ୍ୟ ଘୋଷଣା କରିବା ଭଳି ବହୁ ସ୍ଥାୟୀ ବିକାଶ ପ୍ରସ୍ତାବ ଦିଆଯାଇଛି।
ସିଭିଲ୍‌ ସୋସାଇଟିର ଆବାହକ ଡ଼. ସପନ ମିଶ୍ର ଓ ସଚେତନ ନାଗରିକ କମିଟି ସମ୍ବଲପୁରର ସଭାପତି ଭକ୍ତ ପ୍ରସାଦ ନନ୍ଦ ଆଶା ପ୍ରକାଶ କରିଛନ୍ତି ଯେ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରର୍ଥୀମାନେ ନିଜ ଘୋଷଣା ପତ୍ରରେ ସ୍ଥାନଦେବେ। ସାମ୍ବାଦିକ ଶିବ ନନ୍ଦ ପ୍ରଶାସକଙ୍କୁ ଶିଷ୍ଟାଚାରପୂର୍ବକ ବ୍ୟବହାର କରିବା ପାଇଁ ରହିଥିବା ପ୍ରଟୋକଲ୍‌କୁ ଆଉ ଥରେ ପ୍ରଶାସକମାନଙ୍କୁ ସ୍ମରଣ କରାଇ ଦେବାକୁ କହିଥିଲେ। ପାର୍ବତୀ ସେଠ୍‌ ଗ୍ରିଭାନ୍ସ୍‌ ରିଡ୍ରୀସାଲ୍‌ ମେକାନିଜ୍‌ ପ୍ରବର୍ତ୍ତନ କରି ପ୍ରତି ମାସ,ବର୍ଷରେ ନାଗରିକମାନଙ୍କ ପରାମର୍ଶଭିତ୍ତିକ ଶାସନ-ପ୍ରଶାସନ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଥିଲେ।

ଉଭୟ ପ୍ରାର୍ଥୀ ନାଗରିକ ମାନଙ୍କ ସମସ୍ତ ପ୍ରସ୍ତାବକୁ ଧୈର୍ଯ୍ୟର ସହ ଶୁଣିବା ସହିତ ଆଗାମୀ ୧୦ ଦିନ ମଧ୍ୟରେ କେତେକ ମୁଖ୍ୟ ସମସ୍ୟାର ସମାଧାନ ନେଇ ନିଜର ସହଭାଗିତାକୁ ଗ୍ରହଣ କରିଥିବାରୁ ଏହି ବୈଠକର ଗୁରୁତ୍ୱ ରହୁଥିବା ଆଶା କରାଯାଉଛି।(ଡା.ରାଜାରାମ ଷଡଙ୍ଗୀ)