ରାସ୍ତା ମଝିରେ ବିଦ୍ୟୁତ୍ ଖୁଣ୍ଟ ଷ୍ଟେ ଓ୍ବାଇର୍, ଘଟୁଛି ଦୁର୍ଘଟଣା , ପ୍ରତିକାର ଦାବି

cutn
Share


ବୁଗୁଡ଼ା : ତା ୨୬/୦୪/୨୪ : ରାସ୍ତା ମଝିରେ ରହିଛି ବିଦ୍ୟୁତ୍ ଖୁଣ୍ଟକୁ ଟାଣି ଧରିଧିବା ଲୁହା ତାର । ଯାହା ଫଳରେ ଘଟୁଛି ଅନେକ ଦୁର୍ଘଟଣା । ଏହାକୁ ବିଦ୍ୟୁତ୍ ବିଭାଗ ଅଣଦେଖା କରୁଥିବାରୁ ସାଧାରଣରେ ଦେଖା ଦେଇଛି ଅସନ୍ତୋଷ । ଏଭଳି ବିରଳ ଦୃଶ୍ଯ ଦେଖିବାକୁ ମିଳିଛି ବୁଗୁଡା ବ୍ଲକର କୁଞ୍ଜବନ-ଗୌଡିଆବୋରଦା ଗାଁ କେନାଲ ରାସ୍ତାରେ । ସେହି ରାସ୍ତାରେ ଏଭଳି ଅବ୍ଯବସ୍ଥା ଯୋଗୁଁ ଅନେକ ଥର ଦୁର୍ଘଟଣା ଘଟିଥିଲେ ହେଁ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଜନୈକ ବୃଦ୍ଧ ଗାଈଗୋରୁଙ୍କ ପାଇଁ ସାଇକେଲରେ ଘାସ ବୋଝେଇ କରି ଘରକୁ ଫେରୁଥିବା ବେଳେ ସେହି ତାର ସହ ଧକ୍କା ହୋଇ ଆହତ ହୋଇଥିଲେ । ସେ କଚାଡି ହୋଇ ପଡିବା ଫଳରେ ତାଙ୍କର ମୁହଁ ଏବଂ ବାମ ପଟ ଡେଣା ଖଣ୍ଡିଆ ଖାବରା ହୋଇଯାଇଥିଲେ । ସେହି ରାସ୍ତା ଦେଇ ଆସୁଥିବା ଅନ୍ୟ ଲୋକେ ତାଙ୍କୁ ସ୍ଥାନୀୟ ମେଡିକାଲକୁ ଆଣି ଚିକିତ୍ସା କରାଇଥିଲେ । ଅନ୍ଯପକ୍ଷରେ ଗତ ସପ୍ତାହରେ ଟାଇଁ ଟାଇଁ ଖରାବେଳେ ବାଇକରେ ଆସୁଥିବା ଏକ ଦମ୍ପତ୍ତି ରାସ୍ତା ମଝିରେ ଥିବା ସେହି ଲୁହା ତାରକୁ ଭଲ ଭାବରେ ଦେଖିନପାରି ଧକ୍କା ଦେବା ପୂର୍ବରୁ ହଠାତ୍ ବ୍ରେକ୍ ମାରିବା ଫଳରେ ଭାରସାମ୍ଯ ହରାଇ ପଡିଯିବାରୁ ଖଣ୍ଡିଆ ଖାବରା ହୋଇଥିଲେ । ଏଣୁ ଦୁର୍ଘଟଣାକୁ ଆହ୍ବାନ କରୁଥିବା ରାସ୍ତା ମଝିରେ ଥିବା ସେହି ବିଦ୍ୟୁତ୍ ଖୁଣ୍ଟର ଷ୍ଟେ ଓ୍ବାଇରକୁ ତୁରନ୍ତ ହଟାଇବା ନିମନ୍ତେ ବିଦ୍ଯୁତ୍ ବିଭାଗ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

You may have missed