ବ୍ରହ୍ମକ୍ଷେତ୍ର ଗଡ଼ମାଣତୀର ରେ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବୋଲଗଡ଼,(ଉପାନ୍ତ ଖବର): ଇତିହାସ ଓ ପ୍ରସିଦ୍ଧ କିମ୍ବଦନ୍ତୀ ରୁ ଆଧାରିତ ଐତିହାସିକ ଘଟଣାବଳିର ମୂକସାକ୍ଷୀ ଏହି ଗଡ଼ମାଣତୀର ଗ୍ରାମ । ମୋଗଲ ତଥା ଇଂରେଜ ରାଜୁତି କାଳରେ ଖୋର୍ଦ୍ଧା ଇତିହାସ ରେ ବେଗୁନିଆ ବ୍ଳକ ଗଡ଼ମାଣତୀର ର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଖୋର୍ଦ୍ଧା ଭୋଇ ରାଜବଂଶର ଗଜପତି ମହାରାଜା ତଥା ଓଡ଼ିଶାର ଆରାଧ୍ୟ ଓ ପ୍ରାଣର ଦେବତା ଜଗତର ନାଥ ଜଗନ୍ନାଥ ଙ୍କୁ ସୁରକ୍ଷିତ ରଖିବା ରେ ଲୀଳାକ୍ଷେତ୍ର ଗଡ଼ମାଣତୀର ସ୍ୱର୍ଣ୍ଣାକ୍ଷର ରେ ଲିପିବଦ୍ଧ ହୋଇ ରହିଅଛି । ୧୬୨୨ ଖ୍ରୀଷ୍ଟାବ୍ଦରେ ମିର୍ଜା ଅହମ୍ମଦ ବେଗ କଟକ ସୁବେଦାର ହୋଇ ଆସିବା ପରେ ଖୋର୍ଦ୍ଧା ଆକ୍ରମଣ କରିବାରୁ ତତ୍କାଳୀନ ଗଜପତି ନରସିଂହ ଦେବ ଏହି ଗଡ଼ମାଣତୀର ରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମବ୍ରହ୍ମ ଙ୍କୁ ଆଣି ଅଦିନରେ ନବକଳେବର କରି ଏକ ଚାଳିଆ ମାଟି ଘରେ ସ୍ଥାପନା କରିଥିଲେ । ତେଣୁ ଗଡ଼ମାଣତୀର ବ୍ରହ୍ମକ୍ଷେତ୍ର ରୂପେ ପରିଚିତ । ଆଜି ସେହି ଗଡ଼ମାଣତୀର ରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୂତନ ଭବ୍ୟ ମନ୍ଦିର ଓ ଚତୁର୍ଧାମୂର୍ତ୍ତି ଙ୍କୁ ପ୍ରାଣ ପ୍ରତିଷ୍ଠା କରାଯାଇଛି । ୨୩ ତାରିଖରୁ ଆରମ୍ଭ ହୋଇଥିବା ପ୍ରତିଷ୍ଠା ରେ ପ୍ରଥମ ଦିନରେ ଶୁଭଅଙ୍କୁରାରୋପଣ ପରଦିନ ଗ୍ରାମର ୧୦୮ ଜଣ ମହିଳା ଓ ପୁରୁଷ ନିକଟସ୍ଥ ପୁଷ୍କରିଣୀ ରୁ ଜଳ କଳସ ଧରି ଏକ ବିରାଟ ଶୋଭାଯାତ୍ରାରେ ମନ୍ଦିର ପରିସରରେ ପହଞ୍ଚି କଳସ ସ୍ଥାପନା କରିଥିଲେ ପରେ ବୈଦିକ ରୀତିରେ ଶାଲାପୂଜା , ଗୋପୂଜା ସୂର୍ଯ୍ୟପୂଜା , ଆହୁତି ଓ ପୂର୍ଣାହୂତି ପ୍ରଦାନ କରାଯାଇଥିଲା । ଅପରାନ୍ହ ସମୟରେ ବେଦମନ୍ତ୍ର ଓ ସଂକୀର୍ତ୍ତନ ରେ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ନୂତନ ମନ୍ଦିର ଗର୍ଭଗୃହ ରେ ତିଆରି ହୋଇଥିବା ସିଂହାସନ ରେ ଉପବିସନ କରାଯାଇଥିଲା ଏହି ସମୟରେ ଭକ୍ତମାନଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା ଶଙ୍ଖନାଦ , ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ଏକ ଅଲୌକିକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଶେଷରେ ଭକ୍ତମାନେ ଆନନ୍ଦ ବଜାରରେ ପ୍ରସାଦ ସେବନ କରି ଆନନ୍ଦିତ ମନରେ ଘରକୁ ଫେରିଥିଲେ । ଉକ୍ତ ପ୍ରତିଷ୍ଠା ଉତ୍ସବରେ ପୁରୀ ଶ୍ରୀମନ୍ଦିର ର ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର , ପୁରୀ ମୁକ୍ତିମଣ୍ଡପ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ବିଶ୍ୱନାଥ ମିଶ୍ର , ସତ୍ୟଚେତନା ଆଶ୍ରମ ର ମହାରାଜା ଶ୍ରୀ ଆତ୍ମାନନ୍ଦ ଜି , ପ୍ରବଚକ ଆଶୁତୋଷ ପ୍ରସାଦ ମିଶ୍ର , ବିଧାୟକ ପ୍ରଦୀପ କୁମାର ସାହୁ , ସମାଜସେବୀ ଶିବନାରାୟଣ ମିଶ୍ର , ସମାଜସେବୀ ବ୍ରଜବନ୍ଧୁ ସୁବୁଦ୍ଧି ଏବଂ ବହୁ ସାଧୁ ସନ୍ଥ ମାନେ ଯୋଗ ଦେଇ ମହାପ୍ରଭୁଙ୍କ ଆର୍ଶୀବାଦ ଲାଭ କରିଥିଲେ । ତତ୍ସହିତ ଗ୍ରାମର ସମସ୍ତ ଜଗନ୍ନାଥ ପ୍ରେମୀ ଭକ୍ତ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
