ପୋଚାଲୁଣ୍ଡି ଡକାୟତି ଘଟଣାର ପର୍ଦ୍ଦାଫାସ , ୪ ଡକାୟତ ଗିରଫ , ଲୁଟ୍ ସୁନା ଓ ଟଙ୍କା ଲୁଟ ସହ ପିସ୍ତଲ ଛୁରୀ ଓ ସ୍କୁଟି ଜବତ
ବୁଗୁଡ଼ା : ତା ୨୬/୧୧/୨୬ : ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ପୋଚାଲୁଣ୍ଡି ଗ୍ରାମରେ ଘରେ ପଶି ଡକାୟତି ଘଟଣାରେ ପୋଲିସ ୪ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ନିକଟରୁ ଗୋଟିଏ ଲେଖାଏଁ ଦେଶୀ ପିସ୍ତଲ, ଛୁରୀ ଓ ସ୍କୁଟି(ନଂ-ଓଡି-୦୭ବିଜି-୦୨୭୩) ଜବତ କରିଥିବା ବେଳେ ୬୫ ଗ୍ରାମ ଚୋରି ସୁନା ଓ କିଛି ଟଙ୍କା ଉଦ୍ଧାର କରିଛି। ଗିରଫ ଡକାୟତମାନେ ହେଲେ ବୁଗୁଡ଼ା ଥାନା ଅରଖପୁର ରୋଡ଼ ସାହିର ହିତେଶ ସ୍ୱାଇଁ (୨୪),ଭାମଶିଆଳି ଗ୍ରାମର ରୁଦ୍ର ନାରାୟଣ ସେଠୀ (୨୦), କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବୋଲୋସର ଗ୍ରାମର ମୁଳବାସିନ୍ଦା ତଥା ପୋଲସରା ଥାନା ହାତୀଓଟ ଗ୍ରାମରେ ରହୁଥିବା କାହ୍ନା ପୋଲେଇ(୨୪) ଓ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସିକୁଳା ଗ୍ରାମର ବିକ୍ରମ ପ୍ରଧାନ (୨୨) । ସୂଚନା ଅନୁଯାୟୀ ପଚାଲୁଣ୍ଡି ଗ୍ରାମ ଛକ ନିକଟରେ ଏକାକୀ ଘର କରି ରହୁଥିବା ଦିଲ୍ଲୀପ ସେଠୀଙ୍କ ଘରେ ଗତ ୨୩ ତାରିଖ ସନ୍ଧ୍ୟାରେ ୯ ଜଣ ଡକାୟତ ଘରେ ପଶି ଦିଲ୍ଲୀପଙ୍କ ପୁଅ ସୁନୀଲଙ୍କ ମୁଣ୍ଡରେ ଦୁଇ ଜଣ ଦୁଇ ପଟେ ଦୁଇଟି ପିସ୍ତଲ ଲଗାଇ ଭୟଭୀତ କରିବା ସହ ଘରେଥିବା ସୁନୀଲଙ୍କ ମାଆ ଓ ଦୁଇ ଭଉଣୀଙ୍କୁ ଛୁରୀ ଦେଖାଇ ସେମାନେ ପିନ୍ଧି ଥିବା ସୁନା ଅଳଙ୍କାର ସହ ଆଲମିରାରେ ଥିବା ସୁନା ଅଳଙ୍କାର ଓ ନଗଦ ଟଙ୍କା ନେଇ ଯାଇଥିଲେ l ସେମାନେ ଗଲାବେଳେ ପରିବାର ଲୋକଙ୍କ ମୋବାଇଲଗୁଡିକୁ ଘର ବାହାରେ ରଖି ଘରର ବାହାର ପଟୁ କବାଟ ବନ୍ଦ କରି ଦେଇ ଚମ୍ପଟ ମରିଥିଲେ l ଘଟଣା ଦିନ ଡକାୟତମାନେ ସନ୍ଧ୍ୟା ୭.୧୫ ରୁ ୭.୪୫ ମାତ୍ର ଅଧ ଘଣ୍ଟା ଭିତରେ ସବୁ କାମ ସାରି ଦେଇଥିଲେ l ସୁନୀଲଙ୍କ ପରିବାର ସନ୍ଧ୍ୟା ୮ଟା ବେଳେ ପାର୍ଶ୍ବରେଥିବା ଏକ ଗୁହାଳକୁ ଆସିଥିବା ଜଣେ ଯୁବକଙ୍କ ସହାୟତାରେ କବାଟ ଖୋଲି ବାହାରକୁ ଆସିବା ପରେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ l ଏ ନେଇ ପୋଲିସ କେସ ନଂ ୫୮୦/୨୬ରେ ଏକ ମାମଲା ରୁଜୁ କରି ତଦନ୍ତକୁ ଜୋରଦାର କରିଥିଲା l ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେଙ୍କ ତତ୍ତ୍ୱାବଧାନ ଏବଂ ଏସଡିପିଓ ଦୀପକ କୁମାର ମିଶ୍ରଙ୍କ ନେତୃତ୍ୱରେ ବୁଗୁଡ଼ା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା, ବାଲିପଦର ଫାଣ୍ଡି ଅଧିକାରୀ କେ.ନୀଳାଦ୍ରି ରେଡ୍ଡୀ, ବୁଗୁଡ଼ା ଥାନା ଏଏସଆଇ ସୁମନ୍ତ ବେହେରା, କନଷ୍ଟେବଲ ଉମେଶ କୁମାର ଗୌଡ଼, ଶିବରାମ ବେହେରା , ଓଏପିଏଫ ଲୋକନାଥ ନାୟକଙ୍କୁ ନେଇ ଗଠିତ ଟିମ, ସାଇଣ୍ଟିଫିକ ଟିମ ଓ ସନ୍ଧନୀ କୁକୁର ସହାୟତାରେ ତଦନ୍ତ କରିବା ପରେ ବିଭିନ୍ନ ସ୍ଥାନରେ ଚଡାଉ କରି ୪ ଜଣକୁ ଗିରଫ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରାଯିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
