November 27, 2026

୨୦ ସୂତ୍ରୀ ଦାବିପତ୍ର ନେଇ ଏସଏମସି କମିଶନରଙ୍କୁ ଭେଟିଲେ ପ୍ରତିନିଧି ଦଳ୧୯ ନମ୍ବର ୱାର୍ଡକୁ ‘ଆଦର୍ଶ ୱାର୍ଡ’ କରିବାକୁ ସଚେତନ ନାଗରିକଙ୍କ ଅଭିନବ ପ୍ରୟାସ…..

IMG-20261127-WA0001
Share

ସମ୍ବଲପୁର, ୨୬/୧୧: ଆଦର୍ଶ ୱାର୍ଡ ଗଠନ କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ଏଥିରେ ନାଗରିକଙ୍କ ସକ୍ରିୟ ଭାଗୀଦାରି ମଧ୍ୟ ଅପରିହାର୍ଯ୍ୟ। ଏହି ମହତ୍ ଉଦ୍ଦେଶ୍ୟକୁ ସାକାର କରିବା ପାଇଁ ସମ୍ବଲପୁର ମହାନଗର ନିଗମର ୧୯ ନମ୍ବର ୱାର୍ଡର ସଚେତନ ନାଗରିକମାନେ ଏକଜୁଟ ହୋଇ ଆଗେଇ ଆସିଛନ୍ତି। ୱାର୍ଡର ସାମଗ୍ରିକ ବିକାଶ, ସ୍ୱଚ୍ଛତା, ସୁରକ୍ଷା ଓ ନାଗରିକ ସୁବିଧାକୁ ପ୍ରାଥମିକତା ଦେଇ ୨୦ ସୂତ୍ରୀ କାର୍ଯ୍ୟକ୍ରମ ହାତକୁ ନେଇଛି ‘ସମାଜ ଉନ୍ନୟନ ସମିତି’।ଗତ ନଭେମ୍ବର ୧୫ ତାରିଖରେ ସ୍ଥାନୀୟ ସାଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ସମିତିର ବୈଠକରେ ୱାର୍ଡର ବିକାଶ ପାଇଁ ୨୦ ସୂତ୍ରୀ ପ୍ରସ୍ତାବ ଗୃହୀତ ହୋଇଥିଲା। ଏଥିରେ ପରିମଳ ବ୍ୟବସ୍ଥାର ସୁଧାର, ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ୍ ଓ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା, ଛୋଟ ଡ୍ରେନ୍‌ଗୁଡ଼ିକୁ ମୁଖ୍ୟ ଡ୍ରେନ୍ ସହ ସଂଯୋଗ, ୱାର୍ଡରୁ ମଦଭାଟି ଉଚ୍ଛେଦ, ତିନୋଟି ବଡ଼ ବନ୍ଧର ପୁନରୁଦ୍ଧାର ଓ ନବୀକରଣ ଭଳି ୨୦ଟି ଜନସ୍ୱାର୍ଥ ସମ୍ବଳିତ ଦାବି ରହିଛି।ସେହିପରି ବେଆଇନ ରାସ୍ତା ପାର୍କିଂର ସମାଧାନ, ଭୀମ ଭୋଇ ମଣ୍ଡପର ଆଧୁନିକୀକରଣ ଏବଂ ଭୀମ ଭୋଇ ପାର୍କରେ ମହିଳା ଶୌଚାଳୟ, ଆଧୁନିକ ଖେଳ ଉପକରଣ ଓ ମହିଳାଙ୍କ ପାଇଁ କଟେଜ୍ ନିର୍ମାଣ ସହିତ ବ୍ୟାପକ ଜନସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି।ଏହି ଦାବିଗୁଡ଼ିକର ତ୍ୱରିତ ଓ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରିତା ନିମନ୍ତେ ସମିତିର ସଂଯୋଜକ ବିଶ୍ୱରଞ୍ଜନ ଜେନାଙ୍କ ନେତୃତ୍ୱରେ ଗୁରୁବାର ଏକ ପ୍ରତିନିଧି ଦଳ ମହାନଗର ନିଗମ କମିଶନରଙ୍କୁ ସାକ୍ଷାତ କରି ୨୦ ସୂତ୍ରୀ ଦାବିପତ୍ର ପ୍ରଦାନ କରିଥିଲେ। କମିଶନର ପ୍ରତିନିଧି ଦଳର ସମସ୍ତ ପ୍ରସ୍ତାବକୁ ଆଗ୍ରହର ସହ ଶୁଣିବା ସହ ଏହାର ଗୁରୁତ୍ୱକୁ ସ୍ୱୀକାର କରିଥିଲେ ଏବଂ ଆବଶ୍ୟକ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ।ଏହି ପ୍ରତିନିଧି ଦଳରେ ବରିଷ୍ଠ ନାଗରିକ ସଂସ୍କୃତି ରତ୍ନ କାର୍ତ୍ତିକ ବହିଦାର, ସାଇ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷା ସୌଗତା ଷଡ଼ଙ୍ଗୀ, ଅଧିବକ୍ତା ବୀରେନ୍ଦ୍ର ମେହେର, ବିନୟ ସୋନୀ, ହୋତିଲାଲ ଗୁପ୍ତା, ବ୍ୟୋମକେଶ ସାହୁ, ରୁଦ୍ର କର୍ଣ୍ଣ, ପ୍ରମିତ ଷଡ଼ଙ୍ଗୀ, ଲକ୍ଷ୍ମଣ ପୃଷ୍ଟି, ସୌଭାଗ୍ୟ ପଟେଲ ଓ ଭରତ ବିଶ୍ୱାଳ ପ୍ରମୁଖ ସାମିଲ ଥିଲେ।ସହରର ବିକାଶ କେବଳ ରାସ୍ତା, ଡ୍ରେନ୍ ଓ ଆଲୋକୀକରଣରେ ସୀମିତ ନୁହେଁ। ଏହା ସ୍ୱଚ୍ଛ, ସୁସ୍ଥ, ସୁରକ୍ଷିତ ଓ ସୁସଂଗଠିତ ଜୀବନଶୈଳୀର ପରିଚୟ। ତେଣୁ ନାଗରିକଙ୍କ କର୍ତ୍ତବ୍ୟବୋଧ ଓ ପ୍ରଶାସନର ଉତ୍ତରଦାୟିତ୍ୱ ଏକାଠି ହେଲେ ହିଁ ବିକାଶର ସ୍ୱପ୍ନ ସାକାର ହୋଇପାରିବ। ଏବେ ଦାବିପତ୍ର ଗ୍ରହଣ ପରେ ପ୍ରଶାସନର ପ୍ରତିଶ୍ରୁତି କେତେ ଶୀଘ୍ର ବାସ୍ତବ ରୂପ ନେଉଛି, ତାହା ଉପରେ ୱାର୍ଡବାସୀଙ୍କ ନଜର ରହିଛି। ୧୯ ନମ୍ବର ୱାର୍ଡର ଏହି ସାମୂହିକ ପ୍ରୟାସ ସମ୍ବଲପୁରର ଅନ୍ୟ ୱାର୍ଡଗୁଡ଼ିକ ପାଇଁ ମଧ୍ୟ ଏକ ପ୍ରେରଣାଦାୟୀ ଉଦାହରଣ ହେବ ବୋଲି ଆଶା ପ୍ରକାଶ ପାଇଛି।

You may have missed